Unknown

 

 

 

 

 

 

 

 

 

 

ରାଜକୁମାର

ଅନୁବାଦ

ଚିତ୍ତରଞ୍ଜନ ଦାସ

 

ଉତ୍ସର୍ଗ

 

ଲିଅଁ ଓ୍ୱେର୍ଥ୍‍କୁ–

 

ଏହି ବହିଟିକୁ ମୁଁ ଜଣେ ବୟସ୍କ ଲୋକକୁ ଉତ୍ସର୍ଗ କରୁଚି; ଯେଉଁ ପିଲାମାନେ ଏହି ବହି ପଢ଼ିବେ, ସେମାନଙ୍କ ପାଖରେ ମୁଁ ସେଥିଲାଗି ଅନୁମତି ପ୍ରାର୍ଥନା କରୁଚି । ଏପରି କରିବାର ଏକ ଗୁରୁତର କାରଣ ରହିଚି : ଏହି ଦୁନିଆରେ ସିଏ ହେଉଚି ମୋର ସବୁଠାରୁ ଅନ୍ତରଙ୍ଗ ବନ୍ଧୁ । ଆଉ ଗୋଟିଏ କାରଣ ଯେ, ଏହି ବୟସ୍କ ଲୋକଟି ବୟସ୍କ ହେଲେ ମଧ୍ୟ ସବୁ କଥା ବୁଝିପାରେ, ଏପରିକି ପିଲାମାନଙ୍କ ଲାଗି ଲେଖା ହୋଇଥିବା ବହିସବୁକୁ ମଧ୍ୟ ସେ ବୁଝିପାରେ । ମୋର ତୃତୀୟ କାରଣ ହେଉଚି : ସେ ଫ୍ରାନ୍‌ସରେ ଗୋଟିଏ ଜାଗାରେ ବର୍ତ୍ତମାନ ଭୋକ ଓ ଶୀତ ହେତୁ ଦାରୁଣ ଦୁଃଖ ଭୋଗ କରୁଚି । ସାନ୍ତ୍ଵନା ଆଉ ଖୁସି ଟିକିଏ ସେ ଚାହେ । ଏହି କାରଣ ସବୁ ଯଦି ଯଥେଷ୍ଟ କୈଫିୟତ୍ ନ ହୁଏ, ତେବେ ମୁଁ ଏହି ବହିଟିକୁ ସେଇ ପିଲାକୁ ଉତ୍ସର୍ଗ କରିବି, ଯେଉଁ ପିଲାଟି କି ବଡ଼ ହୋଇ ଆଜି ବୟସ୍କ ଲିଅଁ ଓ୍ୱେର୍ଥ୍‍ ହୋଇ ପାରିଚି । ଆଜି ବୟସ୍କ ବୋଲାଉଥିବା ସବୁ ମଣିଷ ଦିନେ ନା ଦିନେ ପିଲା ଥିଲେ । ଅବଶ୍ୟ ବଡ଼ ହୋଇଗଲେ ଖୁବ୍ ଅଳ୍ପ ଲୋକଙ୍କର ସେ କଥା ମନେ ଥାଏ । ତେଣୁ ମୁଁ ମୋର ଉତ୍ସର୍ଗ-ପତ୍ରଟିକୁ ଏହିପରି ଭାବରେ ସଂଶୋଧିତ କରିନେଉଚି :

 

-ପିଲାବେଳର ଲିଅଁ ଓ୍ୱେର୍ଥ୍‍କୁ ।

Image

 

...ଆଜିକୁ ଠିକ୍ ଚଉଦ ବର୍ଷ ତଳେ ୧୯୫୮ ମସିହାରେ ମୁଁ Le petit princeର ଓଡ଼ିଆ ଅନୁବାଦ କରିଥିଲି । ଚମ୍ପତିମୁଣ୍ଡା ଜୀବନ ବିଦ୍ୟାଳୟର ଗୋଟିଏ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ସକାଶେ ଏହି ଅନୁବାଦଟି ପ୍ରସ୍ତୁତ କରାଯାଇଥିଲା । ସେହି ବିଦ୍ୟାଳୟର ତତ୍କାଳୀନ ଛାତ୍ର ଓ ବର୍ତ୍ତମାନ ଅନୁଗୁଳ ବେସିକ୍‌ ଟ୍ରେନିଂ କଲେଜର କଳା-ଶିକ୍ଷକ ଅନୁଜୋପମ ଶ୍ରଦ୍ଧେୟ ଅନିରୁଦ୍ଧ ମହାନ୍ତି ଭାରି ଖୁସି ହୋଇ ବହିଟିର ମୂଳ ଛବିଗୁଡ଼ିକୁ ନକଲ କରିଦେଇଥିଲେ । ତାଙ୍କୁ କୃତଜ୍ଞତା ଜଣାଉଛି ।

 

ଅନୁବାଦଟିକୁ ମୁଁ ପ୍ରଥମେ ବହିଟିର ଡେନିସ୍ ଜର୍ମାନ୍ ଓ ଫିନିସ୍ ଅନୁବାଦରୁ ପ୍ରସ୍ତୁତ କରିଥିଲି । ପରେ ମୂଳ ଫରାସୀ ବହିଟି ହସ୍ତଗତ ହେବା ପରେ ସେଇଟି ସହିତ ମଧ୍ୟ ମିଳାଇ ନେଇଛି । ଯେଉଁ ଆଗ୍ରହ ଦେଖାଇ ‘ବିଦ୍ୟାପୁରୀ’ ଅନୁବାଦଟିକୁ ପ୍ରକାଶ କରୁଛନ୍ତି, ସେଥିଲାଗି ମଧ୍ୟ ଧନ୍ୟବାଦଟିକୁ ଦେଉଛି ।

 

ଅନୁବାଦକ

Image

 

।। ଏକ ।।

 

Image

ମତେ ଛଅ ବର୍ଷ ବୟସ ହୋଇଥିଲା ବେଳେ ଥରେ ମୁଁ ଗୋଟିଏ ବଢ଼ିଆ ଛବି ଦେଖିଥିଲି । ‘ଘନ ଅରଣ୍ୟର କାହାଣୀ’ ନାମକ ଖଣ୍ଡିଏ ବହିରେ ଏଇ ଛବିଟି ଥିଲା । ଛବିଟିରେ ଗୋଟାଏ ଅଜଗର ସାପ ଗୋଟାଏ ବନ୍ୟଜନ୍ତୁକୁ ଗିଳୁଥିଲା । ଉପରେ ମୁଁ ସେହି ଛବିଟିର ନକଲ ଦେଇଚି ।

 

ବହି ଭିତରେ ଲେଖା ହୋଇଥିଲା, “ଅଜଗର ସାପ କୌଣସି ବନ୍ୟଜନ୍ତୁକୁ ଖାଇଲାବେଳେ ତାକୁ ଚୋବାଇକରି ଖାଏ ନାହିଁ, ସିଧା ଗିଳିକରି ପେଟଭିତରକୁ ନେଇଯାଏ । କିନ୍ତୁ ଗିଳିସାରିବା ପରେ ଅଜଗର ବିଚରା ଆଉ କୁଆଡ଼େ ହେଲେ ଯାଇପାରେ ନାହିଁ, ଗୋଟାଏ ଜାଗାରେ ଅଚଳ ହୋଇ ପଡ଼ି ଖାଲି ଗଡ଼େଇ ତଡ଼େଇ ହେଉଥାଏ । ଜନ୍ତୁଟିକୁ ହଜମ କରିବା ସକାଶେ ତାକୁ ଛ’ ମାସ ପର୍ଯ୍ୟନ୍ତ ଶୋଇ ରହିବାକୁ ହୁଏ ।”

 

ସେହି ପିଲା ସମୟରେ ଗହନ ଜଙ୍ଗଲର ଏହିସବୁ ତୁମୂଳ ଦୁଃସାହସିକ କାଣ୍ଡ ବିଷୟରେ ମୁଁ ଭାରି ଭାବୁଥିଲି । ଗୋଟାଏ ରଙ୍ଗ ପେନ୍‌ସିଲ ଧରି ଗୁଡ଼ାଏ ଗାରିଆଗାରି କରିବା ପରେ ଦିନେ ମୁଁ ଜୀବନର ପ୍ରଥମ ଛବି ଆଙ୍କି ପାରିଥିଲି । ତାହା ହେଉଚି–“ମୋର ଏକ ନମ୍ବର ଛବି ।” ସେହି ଛବିଟି ଠିକ୍ ତଳ ଛବିଟି ପରି ଦେଖାଯାଉଥିଲା ।

Image

 

ମୋର ଏହି ଚମତ୍କାର ଛବିଟିକୁ ନେଇ ମୁଁ ବୟସ୍କ ଗୁରୁଜନମାନଙ୍କ ଆଗରେ ଦେଖାଇବାକୁ ଗଲି । ଛବିଟିକୁ ଦେଖି ସେମାନଙ୍କୁ ଭାରି ଡର ମାଡ଼ୁଚି କି ନାହିଁ ବୋଲି ମୁଁ ସେମାନଙ୍କୁ ପଚାରିଥିଲି ।

 

କିନ୍ତୁ ସେମାନେ ମୋର କଥାକୁ ଏକାବେଳେକେ ହସରେ ଉଡ଼ାଇ ଦେଲେ । କହିଲେ, “ଡର ? ଗୋଟାଏ ଟୋପି ଦେଖିଲେ କାହିଁକି କାହାକୁ ଡର ମାଡ଼ିବ ?”

 

ମାତ୍ର ମୁଁ କ’ଣ ଟୋପିର ଛବି ଆଙ୍କିଥିଲି ? ପେଟଭିତରେ ଗୋଟାଏ ହାତୀକୁ ହଜମ କରୁଥିବା ଗୋଟାଏ ଭୟଙ୍କର ଅଜଗର ସାପର ଛବି ମୁଁ ଆଙ୍କିଥିଲି । କିନ୍ତୁ ବୟସ୍କମାନେ ମୋ ଛବିର ତାତ୍ପର୍ଯ୍ୟ ବୁଝିପାରିଲେ ନାହିଁ । ତହୁଁ ଖାସ୍ ସେମାନଙ୍କର ବୁଝିବା ଲାଗି ମୁଁ ଆଉ ଗୋଟିଏ ଛବି ଆଙ୍କିଲି । ଛବିଟିରେ ମୁଁ ଅଜଗର ସାପର ପେଟ ଭିତରଟାକୁ ଆହୁରି ସ୍ପଷ୍ଟ ଭାବରେ ଦେଖାଇ ଦେଇଥିଲି, ଯେପରିକି ତାହା ବୟସ୍କମାନଙ୍କ ଆଖିକୁ ଠିକ୍ ଠିକ୍ ଦେଖାଯାଇପାରିବ । ବୟସ୍କମାନଙ୍କୁ ସବୁବେଳେ ସବୁକଥା ଖୋଲିକରି ଦେଖାଇ ଦେବାକୁ ବା ବୁଝାଇ ଦେବାକୁ ପଡ଼େ । ମୋର ଦୁଇ ନମ୍ବର ଛବିଟି ଠିକ୍ ଏହିପରି ଦିଶୁଥିଲା ।

Image

ତା’ପରେ ମୁଁ ଛବିଟିକୁ ନେଇ ବୟସ୍କମାନଙ୍କୁ ଦେଖାଇଲି । ସେଇଟି ଦେଖିବା ପରେ ଭିତର ବା ବାହାର କୌଣସି ପଟୁ ଅଜଗର ସାପର ଛବି ଆଙ୍କିବାର ସମୟ ନଷ୍ଟ ନ କରି ସେମାନେ ମୋତେ ଭୂଗୋଳ, ଇତିହାସ, ଅଙ୍କ ଆଉ ବ୍ୟାକରଣ ଅଧ୍ୟୟନରେ ମନ ଦେବାକୁ ଉପଦେଶ ଦେଲେ । ବଡ଼ ହୋଇ ମୁଁ ହୁଏତ ଜଣେ ପୃଥିବୀବିଖ୍ୟାତ ଚିତ୍ରଶିଳ୍ପୀ ହୋଇପାରିଥାନ୍ତି । କିନ୍ତୁ ବଡ଼ମାନଙ୍କର ତାଗିଦାରେ ଛଅବର୍ଷ ବୟସରେ ମୋତେ ବାଧ୍ୟ ହୋଇ ଛବି ଆଙ୍କିବା ଛାଡ଼ିଦେବାକୁ ପଡ଼ିଥିଲା । ମୋର ଏକ ନମ୍ବର ଓ ଦୁଇ ନମ୍ବର ଛବିର ବିଫଳତା ମୋତେ ଭାରି ନିରାଶ କରିଦେଇଥିଲା । ବଡ଼ମାନେ ତ ଆପଣା ମନରୁ କୌଣସି କଥା ବୁଝିପାରନ୍ତି ନାହିଁ ! ସେମାନେ ବୁଝିପାରିବା ଯାଏ ସେମାନଙ୍କ ଆଗରେ ଜିରାରୁ ଶିରା କାଢ଼ି ସବୁକଥା ବୁଝାଇବାକୁ ମଧ୍ୟ ପିଲାମାନଙ୍କୁ ଭାରି ବିରକ୍ତ ଲାଗେ ।

 

ଛବି ଆଙ୍କିବା ଛାଡ଼ିଦେବା ପରେ ମୁଁ ଭବିଷ୍ୟତ୍ ପାଇଁ ଅନ୍ୟ ଏକ ବେଉସା ଧରିଲି । ମୁଁ ଉଡ଼ାଜାହାଜ ଚଳାଇ ଶିଖିବା ଆରମ୍ଭ କରିଦେଲି । ଉଡ଼ାଜାହାଜ-ଚାଳକ ହିସାବରେ ମୁଁ ପୃଥିବୀର ଅନେକ ସ୍ଥାନ ଅଳ୍ପବହୁତ ଦେଖିସାରିଲିଣି । ପିଲାଦିନରେ ପଢ଼ିଥିବା ଭୂଗୋଳ ବହିର ପାଠ ପ୍ରକୃତରେ ମୋର ଭାରି କାମରେ ଲାଗିଲା, ଏହି କଥାଟି ମୋତେ ଅବଶ୍ୟ ସ୍ଵୀକାର କରିବାକୁ ହେବ । ପୃଥିବୀର ମାନଚିତ୍ରକୁ ଅନାଇଦେବା ମାତ୍ରକେ ମୁଁ ଚୀନ୍‌ରୁ ଆରିଜୋନାକୁ ଅଲଗା କରି କହିଦେଇ ପାରିବି । ରାତିରେ ହଠାତ୍ ବାଟ ଭୁଲିଗଲେ ଏହିସବୁ ଜ୍ଞାନ ଭାରି ସାହାଯ୍ୟ କରିଥାଏ ।

 

ମୋର ଜୀବନକାଳ ଭିତରେ ମୁଁ ବଡ଼ ବଡ଼ ବିଷୟ ଓ ବ୍ୟାପାରରେ ବ୍ୟସ୍ତ ଥିବା ଅନେକ ବଡ଼ ବଡ଼ ଲୋକଙ୍କର ସମ୍ପର୍କରେ ଆସିପାରିଚି । ବୟସ୍କମାନଙ୍କ ସହିତ ମୋର ଅନେକ ଦିନ ଅନେକ ସମୟ କଟିଚି । ମୁଁ ସେମାନଙ୍କୁ ଅତି ନିକଟରୁ ନିରୀକ୍ଷଣ କରି ଦେଖିବାର ସୁଯୋଗ ପାଇଚି । କିନ୍ତୁ ଏତେ ଦେଖିବା ପରେ ମଧ୍ୟ ସେମାନଙ୍କ ବିଷୟରେ ପିଲାଦିନେ ମୋର ଯେଉଁ ଧାରଣା ଥିଲା, ବର୍ତ୍ତମାନ ମଧ୍ୟ ମୋର ସେହି ଧାରଣାରେ ଖୁବ୍ ବେଶି ପରିବର୍ତ୍ତନ ହୋଇ ନାହିଁ ।

 

ମୋର ସମ୍ପର୍କରେ ଆସୁଥିବା ବୟସ୍କମାନଙ୍କ ଭିତରୁ ମୁଁ ଯେଉଁମାନଙ୍କର କିଛି ବୁଦ୍ଧି ବା ବିବେକ ଥିବ ବୋଲି ଅନୁମାନ କରିଚି, ମୋ ପାଖରେ ରହିଥିବା ଏକ ନମ୍ବର ଛବିଟିକୁ ମୁଁ ସେହିମାନଙ୍କୁ ନେଇ ଦେଖାଇଚି ! ମୋର ଛବି ଦେଖୁଥିବା ବଯସ୍କଜଣଙ୍କର ପ୍ରକୃତରେ କୌଣସି ବୁଦ୍ଧିଶକ୍ତି ଅଛି କି ନାହିଁ, ମୁଁ ସେହି କଥା ପରୀକ୍ଷା କରି ଦେଖିଚି । କିନ୍ତୁ ମୁଁ ଯେତେଥର ଏପରି କରିଚି, ସିଏ ଯେଡ଼େବଡ଼ ମଣିଷ ହୋଇଥାଆନ୍ତୁ ପଛକେ, ସିଏ ପୁରୁଷ ବା ସ୍ତ୍ରୀ ଯାହା ହୋଇଥାଆନ୍ତୁ ପଛକେ, ସେମାନଙ୍କଠାରୁ ମୁଁ ସବୁଥର ସେହି ଗୋଟିଏ ଉତ୍ତର ଶୁଣିଚି ।

 

“ସେଇଟା ଗୋଟାଏ ଟୋପି !”

 

ଏହିପରି ଏକ ନିର୍ବୋଧ ଉତ୍ତର ପାଇଲା ପରେ ସେମାନଙ୍କ ସହିତ ଆଉ ଅଜଗର ସାପ, ଗହନ ଅରଣ୍ୟ ବା ଗ୍ରହନକ୍ଷତ୍ରଙ୍କ ବିଷୟରେ କୌଣସି କଥାବାର୍ତ୍ତା କରିବାକୁ ଆଉ ମୋର କୌଣସି ଇଚ୍ଛା ହୋଇ ନାହିଁ । ସେମାନଙ୍କ ସହିତ ତହୁଁ ମୁଁ ତାଆସ ବା ଗଲ୍‌ଫ ଖେଳ, ରାଜନୀତି କିମ୍ବା ନେକ୍‌ଟାଇ ବିଷୟରେ କଥାବାର୍ତ୍ତା କରିଚି । ଏହିସବୁ କଥାବାର୍ତ୍ତାରେ ବୟସ୍କମାନେ ମୋ ଉପରେ ଭାରି ଖୁସି ହୋଇଯାଇଚନ୍ତି ଏବଂ ମୋତେ ଜଣେ ଭାରି ବୁଦ୍ଧିମାନ୍ ଓ ପଣ୍ଡିତ ଲୋକ ବୋଲି ଭାବିଚନ୍ତି ।

 

॥ ଦୁଇ ॥

 

ଏହିସବୁ କାରଣରୁ ମୋର ଜୀବନଟାଯାକ ପ୍ରାୟ ଏକୁଟିଆ ଭାବରେ କଟିଯାଇଚି । ଯାହା ସହିତ ମୁଁ ପ୍ରକୃତରେ ମନ ଖୋଲି କଥା କହିପାରିବି, ଏପରି ଜଣେ ମଣିଷ ସହିତ ମଧ୍ୟ ମୋର କେବେହେଲେ ଭେଟ ହୋଇ ନାହିଁ । କିନ୍ତୁ ଦୈବାତ୍ ଛଅ ବର୍ଷ ତଳେ ମୁଁ ସେହିପରି ଜଣେ ମଣିଷକୁ ଭେଟିବାର ସୌଭାଗ୍ୟ ଲାଭ କରିଥିଲି । ସେତେବେଳେ ଗୋଟିଏ ଆକସ୍ମିକ ଦୁର୍ଘଟଣାର ସମ୍ମୁଖୀନ ହୋଇ ମୋର ବ୍ୟୋମଯାନଟି ସହିତ ମୁଁ ଆଫ୍ରିକାର ସାହାରା ମରୁଭୂମି ଭିତରେ ଖସିପଡ଼ିଥାଏ । ମୋ ସାଙ୍ଗରେ ଆଉ କୌଣସି କାରିଗର ବା ଯାତ୍ରୀ କେହି ନ ଥାନ୍ତି । ଏଣେ ଇଞ୍ଜିନ୍ ଭିତରେ କୋଉଠି କ’ଣ ଗୋଟିଏ ଭାଙ୍ଗିଯାଇଥାଏ । ତେଣୁ ମୁଁ ବାଧ୍ୟ ହୋଇ ଏକା ଏକା ଇଞ୍ଜିନ୍‌ଟିକୁ ସଜାଡ଼ିବାରେ ଲାଗିପଡ଼ିଲି । ମୁଁ ଏକ ଜୀବନମରଣର ସମସ୍ୟା ଭିତରେ ପଡ଼ିଥିଲି ବୋଲି କହିବାକୁ ହେବ । ମୋ ସାଙ୍ଗରେ ପ୍ରାୟ ମାତ୍ର ସପ୍ତାହକର ପିଇବାପାଣି ମହଜୁଦ ଥାଏ ।

 

ପ୍ରଥମ ରାତିଟି ମୋତେ ମରୁଭୂମିର ସେହି ବାଲି ଉପରେ ଶୋଇବାକୁ ପଡ଼ିଲା । ମୋର ଚାରି ପାଖରେ ପ୍ରାୟ ହଜାର ମାଇଲ ଆକ୍ରାନ୍ତରେ ଅନ୍ୟ କୌଣସି ମଣିଷର ବାସବସତି ଥିବ କି ନ ଥିବ କେଜାଣି ? ଜାହାଜ ବୁଡ଼ିଯିବା ପରେ ଜାହାଜର ଖଣ୍ଡେ କଡ଼ି କାଠକୁ ଆଶ୍ରା କରି ଅଥଳ ସମୁଦ୍ରଜଳରେ ଭାସୁଥିବା ନାବିକଠାରୁ ମଧ୍ୟ ମୁଁ ସଂସାରରୁ ଅଧିକ ବିଚ୍ଛିନ୍ନ ହୋଇ ପଡ଼ିଥିଲି ବୋଲି କହିବାକୁ ହେବ । ସକାଳେ ସୂର୍ଯ୍ୟାଦୟ ସମୟରେ ହଠାତ୍ କାହାର ଏକ ଅପରିଚିତ କୋମଳ କଣ୍ଠସ୍ଵର ମୋତେ ଡାକି ଉଠାଉଥିବାର ମୁଁ ଅନୁଭବ କଲି । ସେହି କଣ୍ଠସ୍ଵର ଶୁଣି ମୁଁ କେତେଦୂର ଆଶ୍ଚର୍ଯ୍ୟ ହୋଇଯାଇଥିବି, ସମସ୍ତେ ତାହା ଅବଶ୍ୟ ଅନୁଭବ କରି ପାରୁଥିବେ । କଣ୍ଠସ୍ଵରଟି ମୋତେ ସମ୍ବୋଧନ କରି କରି କହିଲା :

 

“ହେ,–ମତେ ଗୋଟାଏ ମେଣ୍ଢା ଆଙ୍କିଦେଲୁ !”

 

“କ’ଣ କହିଲୁ ?”

 

“ମତେ ଗୋଟାଏ ମେଣ୍ଢା ଆଙ୍କି ଦେ !”

 

ମୁଁ ବଡ଼ ଆଶ୍ଚର୍ଯ୍ୟ ହୋଇ ଉଠିବସିଲି । ସତେଯେପରି ଗୋଟାଏ ଘଡ଼ଘଡ଼ି ଆସି ମୋ ମୁଣ୍ଡରେ ପଡ଼ି ମୋତେ ଚମକାଇ ଦେଲା ! ଦୁଇ ଆଖିକୁ ଭଲକରି ମଳି ମୁଁ ସ୍ଥିର ହୋଇ ଚାରିଆଡ଼କୁ ଅନାଇ ଦେଖିଲି । ଦେଖିଲି, ଗୋଟିଏ ଅଦ୍ଭୁତ ଟିକି ମଣିଷ ମୋ ଆଗରେ ଆସି ଠିଆ ହୋଇଚି ଓ ଭାରି ଉତ୍କଣ୍ଠିତ ଆଉ ଗମ୍ଭୀର ଭାବରେ ମୋ ଆଡ଼କୁ ଅନାଇ ରହିଚି । ପରେ ଅନେକ ଚେଷ୍ଟାକରି ମୁଁ ତାହାର ଗୋଟିଏ ଛବି ଆଙ୍କି ରଖିଚି, ଏହି ଛବିଟିରୁ ତୁମେମାନେ ତାହାର ରୂପଟିକୁ ଅନୁମାନ କରି ପାରିବ । କିନ୍ତୁ ଅସଲ ରୂପର ତୁଳନାରେ ମୋର ହାତଅଙ୍କା ଛବିଟି ଆଦୌ କିଛି ନୁହେଁ ବୋଲି ମୁଁ କହିବି ।

 

[ବହିର ମଲାଟ ଦେଖନ୍ତୁ]

 

କିନ୍ତୁ ଖରାପ ଛବି ଆଙ୍କିବା ଛଡ଼ା ମୋର ଆଉ କି ଚାରା ଅଛି ? ଛଅ ବର୍ଷ ବୟସରେ ବୟସ୍କମାନଙ୍କର ତାଗିଦା ପାଇ ଭବିଷ୍ୟତରେ ଜଣେ ଭଲ ଛବି-ଆଙ୍କିଲାବାଲା ହେବାର ମୋର ସମସ୍ତ ଉଚ୍ଚ ଆଶା ନଷ୍ଟ ହୋଇଯାଇଥିଲା । ସେହି ତାଗିଦାର ଆଘାତରେ ମୁଁ ଏତେଦୂର ନିରଶ ହୋଇ ପଡ଼ିଥିଲି ଯେ ସେହିଦିନଠାରୁ ମୁଁ ଆଉ କେବେହେଲେ କୌଣସି ଛବି ଆଙ୍କିବାକୁ ମନ ବଳାଇ ନ ଥିଲି । ସେହି ପିଲାଦିନେ ଭିତର ଓ ବାହାରପଟୁ ଅଜଗର ସାପକୁ ଦେଖାଇ ମୁଁ ଯେଉଁ ଦୁଇଟି ଛବି ଆଙ୍କିଥିଲି, କେବଳ ସେତିକି ।

 

ବିସ୍ମୟପୂର୍ଣ୍ଣ ଆଖିରେ ମୋର ସମ୍ମୁଖରେ ଛାଇପରି ଠିଆ ହୋଇ ରହିଥିବା ଏହି ମଣିଷଟିକୁ ମୁଁ ଅନାଇ ରହିଲି । ପୃଥିବୀର ସକଳ ଜନବସତିଠାରୁ ହଜାର ମାଇଲ ଦୂରରେ ସେହି ମରୁଭୂମିରେ ଯେ ମୁଁ ଏକା ପଡ଼ିଥାଏ । ଏକଥା ଯେପରି କେହି ଭୁଲି ନ ଯାନ୍ତି । କିନ୍ତୁ ଏହି ଟିକି ମଣିଷଟିକୁ ଦେଖି ସେ ବାଲିରେ ବାଟବଣା ହୋଇଯାଇଚି ବା ଚାଲି ଚାଲି କ୍ଳାନ୍ତ ହୋଇପଡ଼ିଚି ବୋଲି ଆଦୌ ମନେହେଉ ନ ଥିଲା । ତା’ର ମୁହଁ ଉପରେ ଭୋକ, ଶୋଷ ବା ଭୟର କୌଣସି ପ୍ରକାର ବିଷଷ୍ଣ ଛାପ ନ ଥିଲା । ମନୁଷ୍ୟବସତିଠାରୁ ହଜାର ମାଇଲ ଦୂରରେ ମରୁଭୂମିରେ ବାଟ ଭୁଲିଯାଇଥିବା କୌଣସି ଅସହାୟ ବାଳକର କୌଣସି ଲକ୍ଷଣ ମୁଁ ତା’ ମୁହଁ ଉପରୁ ଲକ୍ଷ୍ୟ କରିପାରିଲି ନାହିଁ । ନୀରବରେ ଏହିପରି କେତେକ୍ଷଣ କଟିଗଲା ପରେ ମୁଁ ତାକୁ ପଚାରିଲି :

 

“କିନ୍ତୁ–ତୁ ଏଠି କ’ଣ କରୁଚୁ ?”

 

ମାତ୍ର ସିଏ କ’ଣ ମୋ କଥା ଶୁଣିବା ପିଲା ? ସତେଯେପରି ସେ କୌଣସି ଗୋଟାଏ ଭାରି ଗମ୍ଭୀର ଓ ଗୁରୁତ୍ଵପୂର୍ଣ୍ଣ ଚିନ୍ତାରେ ନିମଗ୍ନ ହୋଇ ରହିଥାଏ ! ତା’ର କାନରେ ମୋର କଥାଗୁଡ଼ାକ ଆଦୌ ବାଜିଲା ନାହିଁ । ଭାରି ଧୀର ଭାବରେ ସେ ପୁଣି କହିଲା :

 

“ମୋତେ ଗୋଟାଏ ଆଙ୍କି ଦେ’ ମ !”

 

ଏହି ରହସ୍ୟ ଭିତରେ ପ୍ରବେଶ କରିବାକୁ ମୋର ଆଉ ଅକଲ ପାଇଲା ନାହିଁ । ତା’ର ବୋଲ ମାନିବା ବ୍ୟତୀତ ମୋର ଅନ୍ୟ ଉପାୟ ନ ଥିଲା । ଜଗତର ଲୋକବସତିଠାରୁ ହଜାର ମାଇଲ ଦୂରରେ, ମରଣାପନ୍ନ ବିପତ୍ତିରେ ପଡ଼ିଥିବାବେଳେ ମୋତେ ସମସ୍ତ ବ୍ୟାପାରଟି ଏକ ଅସମ୍ଭବ ସ୍ଵପ୍ନ ପ୍ରାୟ ମନେ ହେଉଥାଏ । ପକେଟ୍‌ରୁ ମୁଁ ଖଣ୍ଡେ କାଗଜ ଓ ଫାଉଣ୍ଟେନ୍ କଲମ ବାହାର କଲି । କିନ୍ତୁ ଛବିଟିଏ ଆଙ୍କି ଦେବାକୁ ଯାଉଚି, ଏତିକିବେଳେ ମନେପଡ଼ିଲା ଯେ ଛଅବର୍ଷ ବୟସରୁ ମୁଁ ଏହି ଧନ୍ଦା ଛାଡ଼ି ଦେଇଚି । ସେହିଦିନଠାରୁ କେବଳ ଭୂଗୋଳ, ଇତିହାସ, ଗଣିତ ଓ ବ୍ୟାକରଣ ଭିତରେ ମୋର ପାଠ ସୀମାବଦ୍ଧ ହୋଇ ରହିଚି । ଆପଣା ଉପରେ ମନେମନେ ମୁଁ ଟିକିଏ ବିରକ୍ତ ହୋଇପଡ଼ିଲି । ଟିକି ମଣିଷଟିକୁ କହିଲି ଯେ ମୋତେ ଛବି ଆଙ୍କିବାର ବିଦ୍ୟା ମାଲୁମ ନାହିଁ । କିନ୍ତୁ ସେ ଉତ୍ତର ଦେଲା :

“ସେଥିରେ କିଛି ଯାଏଆସେ ନାହିଁ । ତୁ ମତେ ମେଣ୍ଢାଟିଏ ଆଙ୍କି ଦେ’ ।”

କିନ୍ତୁ ମୁଁ ଆଗରୁ କୌଣସି ଦିନ ମେଣ୍ଢାର ଛବି ଆଙ୍କି ନ ଥିଲି । ତେଣୁ ପୂର୍ବେ କେତେଥର ଆଙ୍କିଥିବା ସେଇ ଦୁଇଟି ଛବିରୁ ଗୋଟିଏ ଆଙ୍କିଦେଇ ମୁଁ ତାକୁ ଦେଖାଇଲି । ଏଇଟି ହେଉଚି ବାହାରୁ ଅଜଗର ସାପର ଛବି, ମୋର ପ୍ରଥମ ନମ୍ବର ଚିତ୍ର । ତାକୁ ଦେଖିବା ମାତ୍ରକେ ଟିକି ମଣିଷ ଯାହା କହିଲା, ସେ କଥା ଶୁଣି ମୋର ଆଶ୍ଚର୍ଯ୍ୟର ସୀମା ହିଁ ରହିଲା ନାହିଁ ।

“ନାଇଁ, ନାଇଁ ! ଅଜଗର ସାପର ପେଟ ଭିତରେ ଥିବା ଗୋଟିଏ ହାତୀ ନେଇ ମୁଁ କ’ଣ କରିବି ? ଅଜଗର ସାପ ହେଉଚି ଭାରି ଭୟାନକ ଜନ୍ତୁ, ଆଉ ହାତୀଟା ମଧ୍ୟ ଗୋଟାଏ ପ୍ରକାଣ୍ଡ ବୋଝ । ମୁଁ ଯୋଉଠି ବାସ କରେ, ସେଠି ସବୁ ହେଉଚି ଭାରି ସାନ ସାନ । ମୋର ମେଣ୍ଢାଟିଏ ଦରକାର । ତୁ ମତେ ଗୋଟିଏ ମେଣ୍ଢା ଆଙ୍କି ଦେ !”

ସେଇଠୁ ମୁଁ ମେଣ୍ଢାଟିଏ ଆଙ୍କିଦେଲି ।

ଭାରି ଯତ୍ନସହକାରେ ସେ ଛବିଟିକୁ ଚାହିଁ ଦେଖିଲା । ତା’ପରେ କହିଲା,

“ନାଇଁ, ନାଇଁ । ଏଇ ମେଣ୍ଢାଟା ଭାରି ରୋଗଣା ଦିଶୁଚି । ମତେ ତୁ ଆଉ ଗୋଟାଏ ଆଙ୍କି ଦେ !

Image

ପୁଣି ତାକୁ ମୁଁ ଆଉ ଗୋଟାଏ ମେଣ୍ଢା ଆଙ୍କି ଦେଲି ।

Image

ଛବିଟାକୁ ଭାରି ନାପସନ୍ଦ କଲାପରି ମୋର ଟିକି ବନ୍ଧୁ ମୁରୁକି ହସି କହିଲା “ତୁ ନିଜେ ଦେଖିପାରୁନୁ ? ଏଇଟା କ’ଣ ମେଣ୍ଢା ? ଏଇଟା ହେଉଛି ଗୋଟାଏ ଗାରଡ଼ । ଗାରଡ଼ର ସିନା ଦୁଇଟା ଶିଙ୍ଗ, ମେଣ୍ଢାର କ’ଣ ଶିଙ୍ଗ ଅଛି ?”

 

ତେଣୁ ପୁଣି ତୃତୀୟ ଥର ପାଇଁ ମୋତେ ମେଣ୍ଢାଟିଏ ଆଙ୍କିକରି ଦେବାକୁ ପଡ଼ିଲା । କିନ୍ତୁ ଏଇଟି ମଧ୍ୟ ତା’ର ମନକୁ ପାଇଲା ନାହିଁ । ସେ କହିଲା, “ଏଇଟା ଭାରି ବୁଢ଼ା ହୋଇଗଲାଣି । ମୋର ଏମିତି ଗୋଟିଏ ମେଣ୍ଢା ଦରକାର ଯିଏ କି ଅନେକ ଦିନ ବଞ୍ଚି ପାରିବ ।”

Image

କିନ୍ତୁ ଏତେବେଳକୁ ଆଉ ମୋର ଧୈର୍ଯ୍ୟ ରହିଲା ନାହିଁ । ଏଣେ ଇଞ୍ଜିନକୁ ଖୋଲି ପୁଣି ସଜାଡ଼ିବାର କାମ ବାକି ରହିଥାଏ । ତେଣୁ ତରତର କରି ମୁଁ ୟାଡ଼ୁସାଡ଼ୁ ଗୋଟିଏ ଛବି ଆଙ୍କିଦେଲି-

 

ତାକୁ ଭଣ୍ଡାଇ ଦେଇ କହିଲି, “ଏଇଟା ହେଉଚି କେବଳ ବାକ୍ସ । ତୁ ଯୋଉ ମେଣ୍ଢାଟି ନେବୁ, ସେ ଏହି ବାକ୍ସ ଭିତରେ ଅଛି ।”

Image

କିନ୍ତୁ କି ଆଶ୍ଚର୍ଯ୍ୟର କଥା, ଏତକ ଶୁଣି ମୋର ବିଚାରକର ମୁଖମଣ୍ଡଳ ଉପରେ ଆଲୋକର ରେଖା ଫୁଟିଉଠିବା ପରି ବୋଧ ହେଲା । “ଠିକ୍ ଏମିତି ମେଣ୍ଢାଟିଏ ମୋର ଲୋଡ଼ା ଥିଲା । ତୁ କ’ଣ ଭାବୁଚୁ, ୟାକୁ ଖାଇବାକୁ ଦେବାଲାଗି ଗୁଡ଼ାଏ ଘାସ ଦରକାର ହେବ ?”

“କାହିଁକି ?”

“କାରଣ ମୁଁ ଯେଉଁଠି ବାସ କରେ, ସେଠି ସବୁ ଜିନିଷ ଭାରି ଛୋଟ ଛୋଟ ।”

ମୁଁ କହିଲି, “ତଥାପି ସେଠି ତୋ’ର ମେଣ୍ଢା ପାଇଁ ନିଶ୍ଚୟ ଯଥେଷ୍ଟ ଘାସ ମିଳିବ । ତୋତେ ମୁଁ ଭାରି ଛୋଟିଆ ମେଣ୍ଢାଟିଏ ଆଙ୍କି ଦେଇଚି ।”

ମୁହଁ ନୁଆଁଇ ସେ ଛବିଟିକୁ ତନ୍ନତନ୍ନ କରି ଦେଖିଲା ।

“ନା–ଏକେବାରେ ଅତି ଛୋଟ ନୁହଁ,–ଦେଖ, ସେ କେମିତ ଶୋଇ ପଡ଼ିଲାଣି–”

ସେଦିନ ଏହିପରି ଭାବରେ ଟିକି ରାଜକୁମାର ସହିତ ମୋର ପରିଚୟ ହେଲା ।

Image

 

॥ ତିନି ॥

 

ରାଜକୁମାରର ପ୍ରକୃତ ଘର ଯେ କେଉଁଠି, ଏକଥା ଜାଣିବା ଲାଗି ମୋତେ ଅନେକ ସମୟ ଲାଗିଲା । ସେ ନିଜେ ମୋତେ ପ୍ରଶ୍ନ ପରେ ପ୍ରଶ୍ନ ପଚାରିବାରେ ଲାଗିଥାଏ, କିନ୍ତୁ ମୁଁ ତାକୁ ପଚାରୁଥିବା ପ୍ରଶ୍ନଗୁଡ଼ାକ ତା’ର କାନରେ ବାଜୁଥିଲାପରି ମୋର ମନେହେଉ ନ ଥାଏ । ହୁଏତ ମଝିରେ ମଝିରେ ଦୈବାତ୍ ତା’ ମୁହଁରୁ ଗୋଟାଏ ଗୋଟାଏ ଶବ୍ଦ ବା ଗୋଟାଏ ଗୋଟାଏ କଥା ଯାହା ବାହାରି ପଡ଼ୁଥିଲା, ସେତିକି । ସେଇଥିରୁ ମୁଁ କ୍ରମେ ତା’ର ସବୁକଥା ଜାଣିବାକୁ ପାଇଲି ।

Image

ଉଦାହରଣସ୍ୱରୂପ ଯେଉଁଦିନ ପ୍ରଥମ କରି ମୋର ବ୍ୟୋମଯାନ ଉପରେ ତା’ର ଆଖି ପଡ଼ିଗଲା, (କିନ୍ତୁ ମୁଁ ମୋର ବ୍ୟୋମଯାନଟିର ଛବି ଆଙ୍କି ଦେଖାଇବାର ଆଦୌ ଚେଷ୍ଟା କରିବି ନାହିଁ, ତାହା ମୋ ପରି ଜଣେ କଞ୍ଚା ଆଙ୍କିବାବାଲାପାଇଁ ଭାରି ଜଟିଳ ଓ କଷ୍ଟକର ହୋଇଯିବ ।) ସେ ମୋତେ ପଚାରିଲା :

 

“ସେଇଟା କି ଜିନିଷ ?”

 

“ସେଇଟା ଜିନିଷ ନୁହେଁ । ସେ ଉଡ଼ିପାରେ । ସେ ହେଉଚି ବ୍ୟୋମଯାନ । ମୋର ବ୍ୟୋମଯାନ !” ମୁଁ ଯେ ଆକାଶରେ ଉଡ଼ିପରେ, ରାଜକୁମାରକୁ ଏକଥା ଜଣାଇ ମୁଁ ବେଶ୍ ଗର୍ବ ଅନୁଭବ କରୁଥାଏ ।

 

ମୋର କଥା ଶୁଣି ସେ ଚିତ୍କାର କଲାପରି କହିଉଠିଲା :

 

“କ’ଣ କହିଲୁ ? ତୁ ଆକାଶରୁ ତଳକୁ ଖସିପଡ଼ିଚୁ ?”

 

ଟିକିଏ ଅପ୍ରସ୍ତୁତ ହୋଇଗଲାପରି ମୁଁ ଉତ୍ତର ଦେଲି, “ହଁ !”

 

“ଭାରି ମଜାର କଥା ତ !”

 

ଏତକ କହିଦେଇ ରାଜକୁମାର ଠୋ’ ଠୋ’ ହୋଇ ହସିବାକୁ ଲାଗିଲା । ତା’ର ହସରେ ମୁଁ ପ୍ରକୃତରେ ଭାରି ଅପମାନିତ ବୋଧକଲି । ମୋର ଭାରି ରାଗ ହୋଇଗଲା । ଜଣକର ଦୁର୍ଭାଗ୍ୟ ବା ବିପଦକୁ ଆଉ ଜଣେ ଏଡ଼େ ହାଲୁକା ଭାବରେ ଗ୍ରହଣ କଲେ ମୋତେ ଆଦୌ ଭଲ ଲାଗେ ନାହିଁ ।

 

ରାଜକୁମାର ପୁଣି କହିଲା :

 

“ତେବେ ତୁ ମଧ୍ୟ ଆକାଶରୁ ଖସି ପଡ଼ିଚୁ ? ତୋର ଘର କେଉଁ ଗ୍ରହରେ ?”

 

ସେତିକିବେଳେ ତା’ର ଅସ୍ତିତ୍ଵକୁ ଆବୃତ କରି ରଖିଥିବା ଅଭେଦ୍ୟ ରହସ୍ୟ ଭିତରେ ମୁଁ ଏକ କ୍ଷୀଣ ଆଲୋକରେଖାର ସୂଚନା ପାଇଲି । ସାଙ୍ଗେ ସାଙ୍ଗେ ତାକୁ ପଚାରିଲି :

 

“ତୁ କ’ଣ ଆଉ ଗୋଟାଏ ଗ୍ରହରୁ ଏହି ପୃଥିବୀକୁ ଆସିଚୁ ?”

 

କିନ୍ତୁ ସେ କୌଣସି ଜବାବ ଦେଲା ନାହିଁ । ଥିରି କରି ଖାଲି ମୁଣ୍ଡଟିକୁ ହଲାଇ ଦେଲା । ଏଣେ ସେ ଏକ ଆଖିରେ ମୋ ଉଡ଼ାଯାହାଜକୁ ଅନାଇ ରହିଥାଏ ।

 

“ମୁଁ ବେଶ୍ ଅନୁମାନ କରିପାରୁଚି ଯେ ତୁ ଖୁବ୍ ବେଶି ଦୂର ବାଟରୁ ଆସି ନାହୁଁ ।”

 

ଏତିକି କହିଦେଇ ସେ ଅନେକ ସମୟ ପର୍ଯ୍ୟନ୍ତ ସତେଅବା କେଉଁ ସ୍ଵପ୍ନ ଭିତରେ ନିମଗ୍ନ ରହିଲା । ତା’ପରେ ମୁଁ ତାକୁ ଆଙ୍କିଦେଇଥିବା ମେଣ୍ଢାଟିକୁ ଆପଣାର ପକେଟ୍ ଭିତରୁ ବାହାର କଲା ଓ ଏହି ବହୁମୂଲ୍ୟ ସମ୍ପଦର ଭାବନାରେ ବୁଡ଼ିରହି ସେ ନିଜକୁ ହଜାଇଦେଲା ।

 

‘ଅନ୍ୟ ଗ୍ରହ’ ବିଷୟରେ ତା’ର ଜ୍ଞାନର ସଙ୍କେତମାନ ପାଇ ଯେ ମୋର ମନ ଭିତରେ ଆହୁରି ଅଧିକ ଉତ୍କଣ୍ଠା ଜାତ ହେଲା, ଏକଥା ସମସ୍ତେ ଅନୁମାନ କରି ପାରୁଥିବେ । ତେଣୁ ଏହି ବିଷୟରେ ଅଧିକରୁ ଅଧିକ ଜାଣିପାରିବା ଲାଗି ମୁଁ ଖୁବ୍ ଚେଷ୍ଟା କରିବାକୁ ଲାଗିଲି ।

 

“ହେ ମୋର ଟିକିମଣିଷ, ମତେ କହିଲୁ ତୋର ଘର କେଉଁଠି ? ତୁ ବର୍ତ୍ତମାନ ଯୋଉ ତୋ ଘରକଥା କହିଲୁ, ତା’ର ତତ୍ପର୍ଯ୍ୟ କ’ଣ ? ତୋ’ର ମେଣ୍ଢାଟିକୁ ନେଇ ତୁ କୁଆଡ଼େ ଯିବୁ ?”

 

ନୀରବରେ କ’ଣ ସବୁ ଭାବୁ ଭାବୁ ସେ ଉତ୍ତର ଦେଲା :

 

“ମୋତେ ତୁ ଯେଉଁ ବାକ୍ସଟି ଦେଇଚୁ; ତାହା ସବୁଠାରୁ କେଉଁ ବଡ଼ କାମରେ ଲାଗିପାରିବ, ତୁ ସେ କଥା ଜାଣିଚୁ ? ରାତି ହେଲେ ମେଣ୍ଢା ଏହି ବାକ୍ସକୁ ଆପଣାର ଘରପରି ବ୍ୟବହାର କରିପାରିବ ।”

 

“ହଁ । ତୁ ଇଚ୍ଛାକଲେ ମୁଁ ତୋତେ ଦଉଡ଼ିଟିଏ ବି ଦେବି । ସେହି ଦଉଡ଼ିରେ ତୁ ଦିନବେଳେ ମେଣ୍ଢାଟିକୁ ବାନ୍ଧି ରଖିପାରିବୁ । ସେଥିପାଇଁ ମୁଁ ଗୋଟାଏ ଖୁଣ୍ଟ ମଧ୍ୟ କରିଦେବି ।”

 

ମୋର ଏ କଥା ଶୁଣି ଟିକି ରାଜକୁମାର ସତେଅବା ଭାରି ଆତଙ୍କିତ ହୋଇପଡ଼ିଲା ।

 

“ବାନ୍ଧି ରଖିବି ? ସିଏ ପୁଣି କି ଅଦ୍ଭୁତ କଥା ?”

 

ମୁଁ କହିଲି, “କିନ୍ତୁ ବାନ୍ଧି ନ ରଖିଲେ ମେଣ୍ଢା କୁଆଡ଼େ ମନକୁ ପଳାଇଯିବ, ସେଇଠୁ ବାଟବଣା ହୋଇଯିବ ।”

 

ମୋ କଥା ଶୁଣି ମୋ ସାଙ୍ଗ ପୁଣି ଠୋ’ ଠୋ’ କରି ହସିବାକୁ ଲାଗିଲା ।

 

“ସେ କୁଆଡ଼େ ପଳାଇଯିବ ବୋଲି ତୁ ଭାବୁଚୁ କହିଲୁ ?”

 

“ଯୁଆଡେ ଇଚ୍ଛା ସିଆଡ଼େ । ସିଧା ସିଧା ଯୁଆଡ଼କୁ ମନ କରିବ !”

 

ତା’ପରେ ରାଜକୁମାର ଗମ୍ଭୀର ହୋଇ କହିଲା ।

 

“ସେଥିରେ କିଛି ଯାଏଆସେ ନାହିଁ । ମୋ ଘରେ ସବୁ ଭାରି ଛୋଟ ଛୋଟ ।”

 

ତା’ପରେ ବୋଧହୁଏ ଟିକିଏ ବିରସ ହୋଇପଡ଼ି ସେ କହିଲା :

 

“ସିଧା ସିଧା ଗଲେ କେହି କଦାପି ବେଶି ବାଟ ଯାଇପାରିବ ନାହିଁ ।”

 

।। ଚାରି ।।

 

ଏହିପରି ଭାବରେ ମୁଁ ଆଉ ଗୋଟିଏ ବଡ଼ କଥା ଜାଣିବାକୁ ପାଇଲି ଯେ ରାଜକୁମାର ବାସ କରୁଥିବା ଗ୍ରହଟି ଆକାରରେ ଗୋଟିଏ ସାଧାରଣ ଘରଠାରୁ ବି ଅଧିକ ବଡ଼ ନ ଥିଲା ।

Image

Image

 

ଅବଶ୍ୟ ତା’ ଶୁଣି ମୋତେ ଆଦୌ ଆଶ୍ଚର୍ଯ୍ୟ ଲାଗିଲା ନାହିଁ । ଗ୍ରହନକ୍ଷତ୍ରଙ୍କ ବିଷୟରେ ଆଗରୁ ମୁଁ କେତେକ କଥା ଜାଣିଥିଲି । ପୃଥିବୀ, ଶୁକ୍ର, ମଙ୍ଗଳ, ବୁଧ, ପ୍ରଭୃତିଙ୍କ ବ୍ୟତୀତ ଆହୁରି ଶହ ଶହ ଗ୍ରହ ଯେ ଆକାଶମଣ୍ଡଳରେ ରହିଚନ୍ତି, ସେକଥା ମୋତେ ବେଶ୍ ଭଲକରି ଜଣାଥିଲା । ପ୍ରଥମଗୁଡ଼ିକୁ ତ ଆମେ ଗୋଟିଏ ଗୋଟିଏ ନାମ ଦେଇ ରଖିଚୁ । କିନ୍ତୁ ଆହୁରି ଏପରି ଅନେକ ଗ୍ରହ ରହିଛନ୍ତି, ଯେଉଁମାନେ ଆକାରରେ ଏଡ଼େ ଛୋଟ ଯେ ସେମାନଙ୍କୁ ଦୂରବୀକ୍ଷଣ ସାହାଯ୍ୟରେ ମଧ୍ୟ ପରିଷ୍କାର ଭାବରେ ଦେଖିବା ସମ୍ଭବ ହେବ ନାହିଁ । କୌଣସି ଜ୍ୟୋତିଷ-ପଣ୍ଡିତ ଗୋଟିଏ ଗ୍ରହ ଆବିଷ୍କାର କଲାବେଳେ ସେ ତାହାର ଆଉ କୌଣସି ନାମ ନ ଦେଇ କେବଳ ଗୋଟିଏ ନମ୍ବର ଦ୍ଵାରା ଚିହ୍ନାଇ ଦେଇଥାଏ । ଉଦାହରଣସ୍ୱରୂପ ସେ ତା’ର ନୂତନ ଆବିଷ୍କୃତ ଗ୍ରହକୁ ଗ୍ରହ ନ˚ ୩୨୫୧ ବୋଲି କହିପାରେ ।

 

ଅନେକ ଯୁକ୍ତିଯୁକ୍ତ କାରଣରୁ ମୋର ବିଶ୍ଵାସ ହେଉଚି ଯେ ରାଜକୁମାର ଯେଉଁ ଗ୍ରହରୁ ଆସିଥିଲା, ତାହାର ନାମ ହେଉଛି ବି-୬୧୨ । ୧୯୦୯ ଖ୍ରୀଷ୍ଟାବ୍ଦରେ ତୁରସ୍କ ଦେଶର ଜଣେ ପଣ୍ଡିତ ଦୂରବୀକ୍ଷଣ ସାହାଯ୍ୟରେ ଏହି ଗ୍ରହଟିକୁ ପ୍ରଥମେ ଦେଖିଥିଲେ । ତାଙ୍କର ଏହି ଆବିଷ୍କାରକୁ ସେ ଏକ ଆନ୍ତର୍ଜାତିକ ଜ୍ୟୋତିଷ ସମ୍ମିଳନୀ ଆଗରେ ବହୁ ପ୍ରମାଣ ସହିତ ଉପସ୍ଥାପିତ କରିଥିଲେ । କିନ୍ତୁ ତୁରସ୍କର ଦେଶୀ ପୋଷାକ ପିନ୍ଧି ସେ ସମ୍ମିଳନୀକୁ ଯାଇଥିଲେ : ତେଣୁ ସେ ଯାହାସବୁ କହିଲେ, ସମ୍ମିଳନୀରେ କେହି ସେଥିରେ କୌଣସି ବିଶ୍ଵାସ କଲେ ନାହିଁ ।

Image

କିନ୍ତୁ ବି-୬୧୨ର ଭାଗ୍ୟ ବୋଧହୁଏ ଭାରି ତେଜ । କିଛିଦିନ ପରେ ତୁରସ୍କ ଦେଶରେ ଜଣେ ଏକଛତ୍ର ଶାସକ ରାଜତ୍ଵ କଲେ । ସେ ଆଇନ୍ ଜାରି କରିଦେଲେ ଯେ ତୁରସ୍କର ଯେଉଁ ପ୍ରଜା ଇଉରୋପର ସାହେବୀ ପୋଷାକ ନ ପିନ୍ଧିବ, ତାକୁ ମୃତ୍ୟୁଦଣ୍ଡ ଦିଆଯିବ । ତେଣୁ ୧୯୨୦ ଖ୍ରୀଷ୍ଟାବ୍ଦରେ ପୁଣି ସେହି ପଣ୍ଡିତ ଇଉରୋପୀୟ ପୋଷାକ ପିନ୍ଧି ଆନ୍ତର୍ଜାତିକ ସମ୍ମିଳନୀରେ ତାଙ୍କର ପ୍ରମାଣ ଉପସ୍ଥାପିତ କରିଥିଲେ । ତାଙ୍କର ଚକ ଚକ ପୋଷାକ ସମସ୍ତଙ୍କୁ ଚମତ୍କୃତ କରିପାରିଥିଲା ଏବଂ ଏଥର ସମ୍ମିଳନୀର ସମସ୍ତେ ତାଙ୍କର ପ୍ରମାଣକୁ ବିଶ୍ଵାସ କରିଥିଲେ ।

 

ଗ୍ରହଟି ବିଷୟରେ ଯେ ମୁଁ ତୁମମାନଙ୍କୁ ଏତେକଥା ବୁଝାଇ କହିଲି ଓ ତୁମମାନଙ୍କର ମନେରଖିବା ଲାଗି ତାହାର ନମ୍ବରଟା ମଧ୍ୟ ଦେଲି, ଏହା ପ୍ରଧାନତଃ ବୟସ୍କ ମଣିଷ ଓ ସେମାନଙ୍କର ଅଦ୍ଭୁତ ବୁଝିବା-ଭଙ୍ଗୀ ସକାଶେ । ବୟସ୍କ ମଣିଷମାନେ ନମ୍ବର ବା ସଂଖ୍ୟାକୁ ଭାରି ପସନ୍ଦ କରନ୍ତି, ଭାରି ଭଲ ପାଆନ୍ତି । ମନେକର ତୁମେ ଆସି ସେମାନଙ୍କ ଆଗରେ ତୁମର ଜଣେ ନୂଆ ବନ୍ଧୁ ବିଷୟରେ କହିବାକୁ ଯାଉଚ । କିନ୍ତୁ ସେମାନେ ତୁମର ବନ୍ଧୁଟି ବିଷୟରେ ଅସଲ କଥାଗୁଡ଼ିକ ତୁମକୁ କେବେହେଲେ ପଚାରିବେ ନାହିଁ । ସେମାନେ କଦାପି ପଚାରିବେ ନାହିଁ, “ତା’ର କଣ୍ଠସ୍ଵର ଆଉ କାହାର କଣ୍ଠସ୍ଵର ପରି ? କେଉଁସବୁ ଖେଳ ଖେଳିବାକୁ ସେ ସବୁଠାରୁ ଅଧିକ ଭଲପାଏ ? ସେ ପ୍ରଜାପତି ସଂଗ୍ରହ କରେ କି ?” ତା’ ପରିବର୍ତ୍ତେ ସେମାନେ ଜାଣିବାକୁ ଚାହିବେ, “ତା’ର ବୟସ କେତେ ? ତା’ର ଭାଇ କେତୋଟି ? ତା’ର ଓଜନ କେତେ ସେର ? ତା’ ବାପା ମାସକୁ କେତେ ଟଙ୍କା ରୋଜଗାର କରନ୍ତି ?” ତୁମଠାରୁ ଏହି ହିସାବମାନ ପାଇଗଲେ ସେମାନେ ତୁମର ବନ୍ଧୁଟି ବିଷୟରେ ଅନେକ ବିଷୟ ଜାଣିବାକୁ ପାଇଲେ ବୋଲି ନିଶ୍ଚୟ ଅନୁମାନ କରିନେବେ ।

Image

ଯଦି ଦିନେ ତୁମେ ଆସି ବୟସ୍କମାନଙ୍କୁ କହିବ, “ମୁଁ ଗୋଟାଏ ଭାରି ସୁନ୍ଦର ଘର ଦେଖି ଆସିଲି । ତା’ର ଇଟାଗୁଡ଼ିକ ଗୋଲାପି ରଙ୍ଗର, ଝରକାଗୁଡ଼ିକ ଉପରେ କେଡ଼େ ସୁନ୍ଦର ଲତାମାନ ମାଡ଼ିଚି, ଛାତ ଉପରେ ପାରା ବସିଚନ୍ତି,” ତୁମଠାରୁ ଏହି କଥାମାନ ଶୁଣିବା ପରେ ମଧ୍ୟ ସେମାନେ ଘରଟି ସମ୍ବନ୍ଧରେ କୌଣସି ଧାରଣା ହିଁ କରିପାରିବେ ନାହିଁ । କିନ୍ତୁ ତୁମେ ଯଦି ଆସି କହିବ, “ମୁଁ ଏପରି ଗୋଟାଏ ଘର ଦେଖିଆସିଲି ଯାହାକୁ ତିଆରି କରିବାକୁ କି ଷାଠିଏହଜାର ଟଙ୍କା ଖରଚ ହୋଇଚି ।” ସଙ୍ଗେ ସଙ୍ଗେ ବୟସ୍କମାନେ ସବୁ ଜାଣିଗଲା ପରି ପାଟିକରି କହିଉଠିବେ, “ଆରେ ବାଃ, ସିଏ ପ୍ରକୃତରେ କେଡ଼େ ବଢ଼ିଆ ଘର ହୋଇ ନ ଥିବ ?”

 

ଠିକ୍ ଏହିପରି ଭାବରେ ତୁମେ ସେମାନଙ୍କୁ ଯାଇ କହିବ, “ରାଜକୁମାର ଦେଖିବାକୁ ଭାରି ସୁନ୍ଦର, ଦେଖିବା ମାତ୍ରକେ ମଣିଷର ଆଖି ମୁଗ୍ଧ ହୋଇଯିବ । ମୁଁ ତାକୁ ନିଜେ ହସିବାର ଦେଖିଚି । ତା’ର ଗୋଟିଏ ମେଣ୍ଢା ଦରକାର ଥିଲା । ସେ ଗୋଟିଏ ମେଣ୍ଢା ଖୋଜି ବୁଲୁଥିଲା, ଏହାହିଁ ତ ରାଜକୁମାର ପ୍ରକୃତରେ ଥିଲା ବୋଲି ଯଥେଷ୍ଟ ପ୍ରମାଣ ।” କିନ୍ତୁ ଏତିକି କହି ତୁମେମାନେ ବୟସ୍କମାନଙ୍କୁ କେବେହେଲେ ମନାଇ ପାରିବ ନାହିଁ । ତୁମର କଥା ଶୁଣି ହୁଏତ ସେମାନେ ଭ୍ରୂକୁଞ୍ଚନ କରିବେ, ପିଲାବୋଲି ତୁମକୁ ହୁଏତ ବେଖାତିର କରିଦେବେ । କିନ୍ତୁ ଯଦି ତୁମେ ସେମାନଙ୍କୁ କହିବ, “ରାଜକୁମାର ଘର ହେଉଚି ବି-୬୧୨ ଗ୍ରହରେ”, ତେବେ ଯାଇ ତୁମ କଥାରେ ସେମାନଙ୍କ ହୃଦବୋଧ ହୋଇଯିବ ଏବଂ ସେମାନେ ତୁମକୁ ଆଉ କୌଣସି ପ୍ରଶ୍ନ ପଚାରି ବିରକ୍ତ କରିବାକୁ ଆସିବେ ନାହିଁ ।

 

ବୟସ୍କମାନେ ଠିକ୍ ଏହିପରି । କିନ୍ତୁ ସେଥିଲାଗି ସେମାନଙ୍କ ପ୍ରତି କାହାରି କୌଣସି ଖରାପ ଧାରଣା ରଖିବା ଉଚିତ ନୁହେଁ । ବୟସ୍କ ଲୋକମାନଙ୍କ ପ୍ରତି ପିଲାମାନଙ୍କର ସବୁବେଳେ ସହନଶୀଳ ମନୋଭାବ ରହିବା ଉଚିତ ।

 

କିନ୍ତୁ ଆମେ ଯେଉଁମାନେ ଜୀବନର ପ୍ରକୃତ ଅର୍ଥ ବୁଝିଚୁ, ଆମମାନଙ୍କ ସକାଶେ ସଂଖ୍ୟାର ସେତେ ବେଶି ମୂଲ୍ୟ ନ ଥାଏ । ଠିକ୍ ଗୋଟିଏ ପରୀଗପ ପରି ମୁଁ ଏ ଗଳ୍ପଟି ଆରମ୍ଭ କରିଥାନ୍ତି । ମୁଁ କହିଥାନ୍ତି, “ଥରେ ଗୋଟିଏ ଗ୍ରହରେ ଗୋଟିଏ ଟିକି ରାଜକୁମାର ବାସ କରୁଥିଲା । ତା’ର ଗ୍ରହଟି ଠିକ୍ ତାହାରି ଭଳି ଭାରି ସାନ ଥିଲା । ସେହି ରାଜକୁମାର ଗୋଟିଏ ମେଣ୍ଢା ଖୋଜି ବୁଲୁଥିଲା ।”

 

ଯେଉଁମାନେ ଜୀବନକୁ ବୁଝନ୍ତି, ଏପରି ଭାବରେ ଆରମ୍ଭ କରିଥିଲେ ସେମାନେ ମୋର ଗଳ୍ପଟିରେ ଅଧିକ ସତ୍ୟ ଥିବାର ଅନୁଭବ କରିପାରିଥାନ୍ତେ ।

 

କାରଣ କୌଣସି ବ୍ୟକ୍ତି ଉଚିତ ଯତ୍ନସହକାରେ ମୋର ବହିଟିକୁ ନ ପଢ଼ୁ, ମୁଁ ଏ କଥା ଆଦୌ ଚାହେ ନାହିଁ । ଏହିସବୁ ସ୍ମୃତିକଥାକୁ ଭାଷାରେ ପ୍ରକାଶ କରିବାକୁ ମୋତେ ଅନେକ ଦୁଃଖ ଓ ପରିଶ୍ରମ କରିବାକୁ ପଡ଼ିଚି । ମୋର ଟିକି ବନ୍ଧୁ ତା’ର ମେଣ୍ଢାଟି ନେଇ ମୋ’ଠାରୁ ବିଦାୟ ନେଇଯିବାର ଆଜିକୁ ଛଅବର୍ଷ ହୋଇଗଲାଣି । ତାକୁ ମୁଁ ଭୁଲି ନାହିଁ କି ଭବିଷ୍ୟତରେ ମଧ୍ୟ କଦାପି ଭୁଲିବି ନାହିଁ । ଏ ବିଷୟରେ ନିଶ୍ଚିତ ହେବା ପାଇଁ ହିଁ ମୁଁ ତାକୁ ଏଠାରେ ବର୍ଣ୍ଣନା କରିବାକୁ ଚେଷ୍ଟା କରିଚି । ଆପଣାର ଜଣେ ବନ୍ଧୁକୁ ଭୁଲିଯିବାଠାରୁ ବଳି ଅଧିକ ଦୁଃଖର କଥା ଆଉ କ’ଣ ଅଛି ? ସଂସାରରେ ସମସ୍ତଙ୍କର ବନ୍ଧୁ ନ ଥାନ୍ତି । ପୁଣି ମୁଁ ଯଦି ମୋର ବନ୍ଧୁ ରାଜକୁମାରକୁ ଭୁଲିଯାଏ, ତେବେ ସଂଖ୍ୟା ବ୍ୟତୀତ ଆଉ କୌଣସିଥିରେ କୌଣସି ଆଗ୍ରହ ରଖୁ ନ ଥିବା ଲୋକଗୁଡ଼ାଙ୍କ ପରି ମୋର ଅବସ୍ଥା ମଧ୍ୟ ଅତି ଶୋଚନୀୟ ହୋଇଯିବ ।

 

ସେଇଥିପାଇଁ ମଧ୍ୟ ମୁଁ ଗୋଟିଏ ରଙ୍ଗବାକ୍ସ ଓ କେତେକ ପେନ୍‍ସିଲ୍‍ କିଣି ଆଣିଚି । ଏ ବୟସରେ ପୁଣି ଛବି ଆଙ୍କିବାକୁ ଆରମ୍ଭ କରିବା ଆଦୌ ସହଜ କଥା ନୁହେଁ । ଛଅବର୍ଷ ବୟସରେ ମୁଁ ଭିତର ଓ ବାହାରପଟୁ ଅଜଗର ସାପର ଯେଉଁ ଦୁଇଟି ଛବି ଆଙ୍କିଥିଲି, ସେତିକି । ତା’ପରେ ଛବି ଆଙ୍କିବା ବିଲ୍‍କୁଲ୍‍ ଛାଡ଼ିଦେଇଛି । ପ୍ରକୃତ ରୂପ ସହିତ ସାମଞ୍ଜସ୍ୟ ରଖି ମୋର ଛବିଗୁଡ଼ିକୁ ଅଙ୍କନ କରିବାକୁ ମୁଁ ଯଥାସାଧ୍ୟ ଚେଷ୍ଟା କରିବି । କିନ୍ତୁ ସେଥିରେ ମୁଁ କେତେଦୂର ସଫଳ ହେବି, ମୁଁ ସେକଥା କହିପାରୁ ନାହିଁ । ଗୋଟିଏ ଛବି ହୁଏତ ଠିକ୍‍ ହେବ, ଆଉ ଗୋଟିଏ ହୁଏତ ମୂଳବସ୍ତୁଠାରୁ ଏକାବେଳେକେ ଅଲଗା ପ୍ରକାରର ହୋଇଯିବ । ଟିକି ରାଜକୁମାରର ଉଚ୍ଚତା ବିଷୟରେ ମଧ୍ୟ ମୋର କେତେକ ଭୁଲ ରହିଯାଉଚି । ଗୋଟିଏ ଗୋଟିଏ ଜାଗାରେ ସେ ଭାରି ଡେଙ୍ଗା ହୋଇଯାଇଚି, ପୁଣି ଆଉ ଗୋଟିଏ ଗୋଟିଏ ଜାଗାରେ ଭାରି ଗେଡ଼ା ହୋଇଯାଇଚି । ରାଜକୁମାର ପିନ୍ଧିଥିବା ପୋଷାକ ବିଷୟରେ ମଧ୍ୟ ମୋର କେତେକ ସନ୍ଦେହ ରହିଗଲା ପରି ଲାଗୁଚି । ଏହିସବୁ ଦୃଷ୍ଟିରୁ ମୁଁ ମୋର ପାରୁପର୍ଯ୍ୟନ୍ତ ଚେଷ୍ଟା କରି ଛବିଗୁଡ଼ିକୁ ଆଙ୍କୁଚି । କେତେବେଳେ ଭଲ ହୋଇଯାଉଚି ତ ପୁଣି କେତେବେଳେ ମନ୍ଦ ବି ହୋଇଯାଉଚି । ତଥାପି ମୋର ଛବିଗୁଡ଼ିକ ବେଶ୍ ମଧ୍ୟମ ଧରଣର ହେବ ବୋଲି ମୁଁ ଆଶା କରୁଚି ।

 

ହୁଏତ କେତେଟା ଅସଲ ଜାଗାରେ ମୁଁ ଭୁଲ କରି ପକାଇବି । କିନ୍ତୁ ସେଥିଲାଗି କେହି ଯେପରି ମୋତେ କୌଣସି ଦୋଷ ନ ଦିଅନ୍ତି । ମୋର ଟିକି ବନ୍ଧୁ ମୋତେ କୌଣସି ବିଷୟକୁ ଭଲକରି ବୁଝାଇ କହି ନାହିଁ । ବୋଧହୁଏ ସେ ଭାବୁଥିଲା ଯେ ମୁଁ ଠିକ୍ ତା’ରିପରି ହୋଇଥିବି । କିନ୍ତୁ ହାୟ, ବାକ୍ସର କାଠପଟା ଭେଦକରି ବାକ୍ସ ଭିତରେ ରହିଥିବା ମେଣ୍ଢାଟିକୁ କିପରି ଦେଖିବାକୁ ହୁଏ, ସେ ବିଦ୍ୟା ତ ମୁଁ ଜାଣି ନାହିଁ । ଖୁବ୍ ସମ୍ଭବ ମୋର ମନଟା ମଧ୍ୟ କେତେକ ପରିମାଣରେ ବୟସ୍କ ଲୋକଙ୍କର ମନପରି ହୋଇଯାଇଚି । ମୁଁ ନିଶ୍ଚୟ ବୁଢ଼ା ହେବାକୁ ଆରମ୍ଭ କଲିଣି ।

 

।। ପାଞ୍ଚ ।।

 

ଦିନ ପରେ ଦିନ ରାଜକୁମାର ସହିତ କଥାବାର୍ତ୍ତା କରି ମୁଁ ତା’ ବିଷୟରେ ଅଧିକରୁ ଅଧିକ କଥା ଜାଣିବାକୁ ପାଇଲି । ତା’ର ଗ୍ରହ, ସେଠାରୁ ସେ କିପରି ବା କାହିଁକି ବାହାରକୁ ଆସିଚି, କୁଆଡ଼େ କୁଆଡ଼େ ସେ ବୁଲିକରି ଦେଖିଚି, କ୍ରମେ ମୁଁ ତା’ଠାରୁ ଏହିସବୁ ଖବର ଜାଣିବାକୁ ପାଇଲି । ରାଜକୁମାରଠାରୁ କୌଣସି ଖବର ମିଳିବା ସେତେଶୀଘ୍ର ସମ୍ଭବ ନୁହେଁ । ଯଦି ଦୈବାତ୍‍ ତା’ର ଭାବନା ଭିତରୁ ଗୋଟାଏ ଗୋଟାଏ କଥା ବାହାରି ପଡ଼ିଲା, ତେବେ ତାହାହିଁ ଯଥେଷ୍ଟ । ଠିକ୍‍ ଏହିପରି ଭାବରେ ତୃତୀୟ ଦିନ ମୁଁ ଅସୁରଜଟା ଗଛର ଦୁର୍ବିପାକ ବିଷୟରେ ତା’ଠାରୁ ଜାଣିବାକୁ ପାଇଲି ।

 

ଏଥିଲାଗି ମୋତେ ପୁଣି ସେହି ମେଣ୍ଢାକୁ ଧନ୍ୟବାଦ ଦେବାକୁ ହେବ । କାରଣ ସେଦିନ ରାଜକୁମାର ହଠାତ୍‍ ମୋତେ ପଚାରିଲା,–ସତେଅବା ସେ କୌଣସି ସଂଶୟର ଅଡ଼ୁଆ ଭିତରେ ପଡ଼ିଯାଇଥାଏ–

 

“କହିଲୁ, ଛୋଟିଆ ଛୋଟିଆ ବୁଦାଗଛକୁ ମେଣ୍ଢା ଖାଇଯାଏ କି ନାହିଁ ?”

 

“ହଁ, ଖାଇଯାଏ ।”

 

“ବାଃ, ତେବେ ସେ ଭାରି ଭଲକଥା ହେବ ।”

 

ମେଣ୍ଢା ଛୋଟିଆ ବୁଦାଗଛମାନଙ୍କୁ ଖାଇଯାଏ, ଏଥିରେ ଏତେବଡ଼ ମହତ୍ଵପୂର୍ଣ୍ଣ ବ୍ୟାପାର କ’ଣ ରହିଚି, ମୁଁ ସେକଥା ବୁଝିପାରିଲି ନାହିଁ । କିନ୍ତୁ ରାଜକୁମାର ପୁଣି ପଚାରିଲା, “ତେବେ ଅସୁରଜଟା ଗଛକୁ ମଧ୍ୟ ତ ମେଣ୍ଢା ଖାଇଦେଇ ପାରିବ ।”

 

ମୁଁ ବୁଝାଇ କହିଦେଲି ଯେ ଅସୁରଜଟା ଗଛକୁ ଛୋଟ ବୁଦା ବୋଲି କୁହାଯାଇ ପାରିବ ନାହିଁ । ତାହା ହେଉଚି ଏକ ପ୍ରକାଣ୍ଡ ବୃକ୍ଷ, ଗୋଟାଏ ଗୋଟାଏ ଦୁର୍ଗପରି ଏହାର ଉଚ୍ଚତା । ଏପରିକି ରାଜକୁମାର ଯଦି ପଲେ ହାତୀ ନେଇ ସେଠାକୁ ଯାଏ, ତେବେ ସେମାନେ ଗୋଟାଏ ଅସୁରଜଟା ଗଛକୁ ମଧ୍ୟ ଖାଇ ଶେଷ କରିପାରିବେ ନାହିଁ ।

Image

ପରେ ହାତୀଙ୍କ କଥା ଶୁଣି ରାଜକୁମାରକୁ ଭାରି ହସ ମାଡ଼ିଲା । ସେ କହିଲା, “ସେଠାରେ ଆମକୁ ଗୋଟାଏ ହାତୀ ଉପରେ ଆଉ ଗୋଟାଏ ହାତୀକୁ ଚଢ଼ାଇ……

 

ଧୀରେ ଧୀରେ ମୁଁ ଜାଣିବାକୁ ପାଇଲି ଯେ ଅନ୍ୟାନ୍ୟ ଗ୍ରହପରି ଟିକି ରାଜକୁମାରର ଗ୍ରହରେ ମଧ୍ୟ ଭଲ ଓ ମନ୍ଦ ଉଭୟ ପ୍ରକାରର ଗଛ ରହିଥିଲା । ଫଳରେ ଭଲ ଗଛରୁ ଭଲ ମଞ୍ଜି ଓ ଖରାପ ଗଛରୁ ଖରାପ ମଞ୍ଜି ମଧ୍ୟ ହେଉଥିଲା । କିନ୍ତୁ ମଞ୍ଜି ତ ଅଦୃଶ୍ୟ, ତାହାକୁ କେହି ଦେଖିପାରିବ ନାହିଁ । ମାଟିତଳେ ଘନ ଅନ୍ଧାରର ହୃଦୟ ଭିତରେ ଏହି ମଞ୍ଜିସବୁ ଶୋଇକରି ରହିଥାନ୍ତି, ଏମିତି କେତେଦିନ ଶୋଇରହିବା ପରେ ହୁଏତ ଆତ୍ମପ୍ରକାଶ କରିବାର ଆକାଙ୍‍କ୍ଷାରେ ସେଥିଭିତରୁ କୌଣସି ଗୋଟିଏ ମଞ୍ଜିର ନିଦ ଭାଙ୍ଗିଯାଏ । ତା’ପରେ ସେହି ମାଟିତଳେ ହୁଏତ ଅତି ସଙ୍କୋଚର ସହିତ ମଞ୍ଜିଟି ଆପଣାକୁ ପ୍ରସାରିତ କରିଦିଏ । ତା’ପରେ ଅତ୍ୟନ୍ତ ଧୀର ଓ କମନୀୟ ଭାବରେ ସୁନ୍ଦର ଅଙ୍କୁରଟିଏ ସୂର୍ଯ୍ୟମୁହାଁ ହୋଇ ଉପରକୁ ବାହାରିଆସେ । ମୂଳା ବା ଗୋଲାପ ଗଛର ଗଜା ହୋଇଥିଲେ ଆମେ ଯେଉଁଠାରେ ଇଚ୍ଛା କରିବା ତାକୁ ସେଠାକୁ ନେଇ ଲଗାଇ ପାରିବା । କିନ୍ତୁ ଖରାପ ଗଛର ଗଜା ହୋଇଥିଲେ ଚିହ୍ନିବା ମାତ୍ରକେ ଆମକୁ ତାକୁ ଯେତେ ସମ୍ଭବ ସେତେ ଶୀଘ୍ର ନଷ୍ଟ କରିଦେବାକୁ ପଡ଼ିବ ।

Image

ଟିକି ରାଜକୁମାରର ଗ୍ରହରେ କେତେକ ଖରାପ ମଞ୍ଜି ମଧ୍ୟ ଥିଲା । ଏସବୁ ହେଉଚି ସେଇ ଅସୁରଜଟା ଗଛର ମଞ୍ଜି । ସେହି ଗ୍ରହଟିର ମାଟିରେ ଏହି ମଞ୍ଜିସବୁ ଚାରିଆଡ଼େ ଭର୍ତ୍ତିହୋଇ ରହିଗଲା । ଅସୁରଜଟା ଏମିତି ଗୋଟାଏ ଭୟଙ୍କର ଗଛ ଯେ ଅଧିକ ବିଳମ୍ବ ହୋଇଗଲେ ଏହାକୁ ନିର୍ମୂଳ କରିବା ଆଦୌ ସମ୍ଭବ ହୋଇପାରିବ ନାହିଁ । କ୍ରମେ ଏହା ଗ୍ରହଟା ସାରା ଚାରିଆଡ଼େ ବ୍ୟାପିଯିବ । ଏହି ଗଛର ଚେର ଓ ଶିଅଗୁଡ଼ାକ ଅତି ସହଜରେ ମାଟି ଫୁଟାଇ ଅନେକ ଗଭୀରକୁ ଚାଲିଯାଆନ୍ତି । ପୁଣି ଯଦି ଗ୍ରହଟି ଆକାରରେ ଛୋଟ ହୋଇଥିବ ଏବଂ ଅସୁରଜଟା ଗଛର ସଂଖ୍ୟା ବହୁତ ହୋଇଯିବ, ତେବେ ଗଛର ଚେରମାନ କ୍ରମେ ଗ୍ରହଟାକୁ ଫଟାଇ ଖଣ୍ଡ ଖଣ୍ଡ କରି ଭାଙ୍ଗି ପକାଇବେ ।

 

“ଏଇଟା ହେଉଚି ଶୃଙ୍ଖଳାର କଥା,” ରାଜକୁମାର ପରେ ଦିନେ ମୋତେ ଏକଥା କହିଲା-। “ସକାଳେ ଉଠି ଆଗ ତୁମେ ଆପଣାର ନିତ୍ୟକର୍ମ ଶେଷ କଲ, ତା’ପରେ ଠିକ୍ ସେତିକି ଯତ୍ନ ସହକାରେ ତୁମ ଗ୍ରହଲାଗି ମଧ୍ୟ ତୁମର ନିତ୍ୟ କର୍ତ୍ତବ୍ୟ ତୁମକୁ କରିବାକୁ ହିଁ ପଡ଼ିବ । ଗୋଲାପର ଗଜା ଆଉ ଅସୁରଜଟା ଗଛର ଗଜା ଛୋଟବେଳେ ପ୍ରାୟ ଏକାପରି ଦେଖାଯାଆନ୍ତି । ସେମାନେ ପରସ୍ପରଠାରୁ ବାରିହୋଇ ପଡ଼ିବା ମାତ୍ରକେ ନିୟମିତ ଭାବରେ ସମସ୍ତ ଅସୁରଜଟା ଗଛକୁ ଅତି ସାବଧାନତାର ସହିତ ଦେଖି ଉପାଡ଼ି ନଷ୍ଟ କରିଦେବା ଉଚିତ । ଏହି କାମଟି କରିବାକୁ ଅବଶ୍ୟ ଭାରି ବିରକ୍ତ ଲାଗେ । କିନ୍ତୁ ଏହା କରିବା ଭାରି ସହଜ ।”

 

ଆଉ ଦିନେ ସେ ଆସି ମୋତେ କହିଲା, “ଆଜି ତୋତେ ଗୋଟିଏ ଭାରି ଭଲ ଛବି ଆଙ୍କିଦେବାକୁ ପଡ଼ିବ, ଯେପରିକି ତୋ’ ଘରର ଆଖପାଖରେ ବାସକରୁଥିବା ପିଲାମାନେ ଅସୁରଜଟା ଗଛ ବିଷୟରେ ଏକ ପରିଷ୍କାର ଧାରଣା କରିପାରିବେ । ଭବିଷ୍ୟତରେ କେବେ ଦେଶ ବୁଲି ବାହାରିଲେ ଏହି ଛବି ସେମାନଙ୍କର ଅନେକ କାମରେ ଆସିବ ।” ଟିକିଏ ନୀରବ ରହି ସେ ପୁଣି କହିଲା, “ଅବଶ୍ୟ ସମୟ ସମୟରେ ଆଜି କରିବାର କାମକୁ ଦିନେ ବିଳମ୍ବରେ କଲେ ସେପରି କିଛି ଅନିଷ୍ଟ ଘଟେ ନାହିଁ । କିନ୍ତୁ ଅସୁରଜଟା ଗଛକୁ ନିର୍ମୂଳ କରିବାରେ ଅବହେଳା ଦେଖାଇଲେ ପରିଣାମରେ ଦାରୁଣ ଦୁର୍ଗତି ଭୋଗ କରିବାକୁ ପଡ଼େ । ମୁଁ ଆଉ ଗୋଟିଏ ଗ୍ରହର କଥା ଜାଣିଚି । ସେଠାରେ ଜଣେ ଭାରି ଅଳସୁଆ ମଣିଷ ବାସ କରୁଥିଲା । ସେ ହେଳା କରି ତିନୋଟି ଛୋଟିଆ ବୁଦାକୁ ନଷ୍ଟ ନ କରି ଛାଡ଼ିଦେଇଥିଲା ।”

Image

ଟିକି ରାଜକୁମାରର ବର୍ଣ୍ଣନା ଅନୁସାରେ ମୁଁ ସେହି ଗ୍ରହର ଗୋଟିଏ ଛବି ଆଙ୍କିକରି ରଖିଚି । ମୋତେ କେହି ନୀତିବାଦୀ ବୋଲି ଭାବୁ, ଏହା ମୋର ଇଚ୍ଛା ନୁହେଁ । କିନ୍ତୁ ଏହି ଅସୁରଜଟା ଗଛରୁ ଉପୁଜୁଥିବା ଦୁର୍ଗତି ବିଷୟରେ ଆମେ ସାଧାରଣତଃ ଏତେ କମ୍‍ ବୁଝିଚୁ ଏବଂ କୌଣସି ଗ୍ରହ ଉପରେ ଏଥିପ୍ରତି ଆପଣାର କର୍ତ୍ତବ୍ୟ ଭୁଲିଗଲେ ଏତେ ବେଶି ବିପଦର ଆଶଙ୍କା ରହିଚି ଯେ ମୋତେ ବାଧ୍ୟହୋଇ ଟିକିଏ ଚେତାଇ ଦେବାକୁ ପଡ଼ୁଚି । ତେଣୁ ମୁଁ ପରିଷ୍କାର କରି କହିଦେଉଚି, “ପିଲାମାନେ, ଅସୁରଜଟା ଗଛ ଉପରେ ସଦାସର୍ବଦା ଆଖି ରଖିଥିବ !”

 

ମୋ ପରି ମୋର ବନ୍ଧୁମାନେ ବର୍ଷ ବର୍ଷ ଧରି ଏହି ବିପଦର ସନ୍ନିକଟରେ ରହିଥିଲେ ମଧ୍ୟ ସେକଥା ଜାଣିପାରି ନାହାନ୍ତି । ସେହିମାନଙ୍କ ଲାଗି ଅନେକ ପରିଶ୍ରମ କରି ମୁଁ ଏହି ଛବିଟି ଆଙ୍କି ରଖିଚି । ଏହି ଛବିଟିର ଜରିଆରେ ମୁଁ ସେମାନଙ୍କୁ ଯେଉଁ ଶିକ୍ଷା ପାଇବାରେ ସାହାଯ୍ୟ କରୁଚି: ସେହି ଶିକ୍ଷାକୁ ମୁଁ ମୋର ପରିଶ୍ରମଠାରୁ ଅଧିକ ମୂଲ୍ୟବାନ୍ ବୋଲି ମନେକରୁଚି ।

 

ହୁଏତ ମୋତେ ତୁମେମାନେ ପଚାରିବ, “ଅସୁରଜଟା ଗଛର ଏହି ଛବିଟି ପରି ଏହି ବହିରେ ଥିବା ଅନ୍ୟ କୌଣସି ଛବି ଆମକୁ ଏପରି ଚମତ୍କୃତ ଓ ପ୍ରଭାବାନ୍ଵିତ କରିପାରୁ ନାହିଁ କାହିଁକି-?”

Image

ଏହାର ଉତ୍ତର ଭାରି ସରଳ । ଛବିଗୁଡ଼ିକୁ ଆଙ୍କିବାରେ ମୁଁ ଅନେକ ଚେଷ୍ଟା କରିଚି । ଅନ୍ୟ ଛବିଗୁଡ଼ିକରେ ମୁଁ ସଫଳ ହୋଇପାରି ନାହିଁ । ଅସୁରଜଟା ଗଛର ଛବି ଆଙ୍କିଲାବେଳେ ଏକ ଜରୁରି ଆବଶ୍ୟକତାର ପ୍ରେରକଶକ୍ତି ମୋତେ ମୋ’ଠାରୁ ଅନେକ ଉପରକୁ ନେଇଯାଇଚି ଓ ଛବିଟିକୁ ଅନେକ ସଫଳ କରିଦେଇ ପାରିଚି ।

 

।। ଛଅ ।।

 

ମୋର ଟିକି ରାଜକୁମାରଟି ! ଅଳ୍ପ ଅଳ୍ପ କରି ମୁଁ କ୍ରମେ ତୋର ଦୁଃଖୀ ଟିକି ଜୀବନର ସମସ୍ତ ଗୁପ୍ତକଥା ଜାଣିବାକୁ ପାଇଲି । ଅସ୍ତଗାମୀ ସୂର୍ଯ୍ୟକୁ ଅନାଇ ରହିବାର ଶାନ୍ତ ଆନନ୍ଦ ଲାଭକରି ତୁ ଅନେକ ଦିନଯାଏ ପ୍ରକୃତରେ କେଡ଼େ ଖୁସି ହେଉ ନ ଥିଲୁ ? ଚତୁର୍ଥ ଦିନର କଥାବାର୍ତ୍ତାରେ ମୁଁ ତୋର ଏହି ନୂଆ ବିଷୟଟି ଜାଣିବାକୁ ପାଇଲି । ତୁ କହିଲୁ,“ସୂର୍ଯ୍ୟସ୍ତ ମୋର ଅତି ପ୍ରିୟ । ଚାଲ, ଆମେ ସୂର୍ଯ୍ୟାସ୍ତ ଦେଖିବାକୁ ଯିବା ।”

 

ମୁଁ କହିଲି, “କିନ୍ତୁ ସେଥିଲାଗି ଅପେକ୍ଷା କରିବାକୁ ପଡ଼ିବ ।”

 

“ଅପେକ୍ଷା କରିବାକୁ ପଡ଼ିବ ? କାହା ଲାଗି ?”

 

“ସୂର୍ଯ୍ୟାସ୍ତ ଲାଗି । ଅସ୍ତ ହେବାର ସମୟ ହେଲେ ତ ପୁଣି ସୂର୍ଯ୍ୟ ଅସ୍ତ ହେବ ।”

 

ମୋର କଥା ଶୁଣି ତୁ ସତେ ଯେମିତି ଭାରି ଆଶ୍ଚର୍ଯ୍ୟ ହୋଇଗଲୁ ! ତା’ପରେ ମନେମନେ ଟିକିଏ ହସି ମୋତେ କହିଲୁ,

 

“ମୁଁ ସବୁବେଳେ ଭାବୁଚି, ଯେପରିକି ମୁଁ ମୋର ନିଜ ଗ୍ରହରେ ଅଛି !”

 

ହଁ । ସମସ୍ତେ ଜାଣନ୍ତି ଯେ ଆମେରିକାରେ ଦିନ ବାରଟା ହେଲାବେଳେ ଫ୍ରାନ୍ସରେ ସୂର୍ଯ୍ୟ ଅସ୍ତ ହୁଅନ୍ତି । ଯଦି ଗୋଟିଏ ମିନିଟରେ କେହି ଆମେରିକାରୁ ଫ୍ରାନ୍ସକୁ ଉଡ଼ିଯାଇ ପାରିବ, ତେବେ ଦିନ ବାରଟାରୁ ଯାଇ ସେ ସିଧା ସୂର୍ଯ୍ୟାସ୍ତ ଦେଖିପାରିବ । କିନ୍ତୁ ବଡ଼ ଦୁର୍ଭାଗ୍ୟର କଥା ଯେ ଫ୍ରାନ୍ସ ଆମେରିକାଠରୁ ଅନେକ ଦୂର । କିନ୍ତୁ ରାଜକୁମାର, ତୋର ଟିକି ଗ୍ରହଟିରେ ତୋର ଚଉକିଟିକୁ ମାତ୍ର ଅଳ୍ପ ଟିକିଏ ଘୁଞ୍ଚାଇଦେବା ମାତ୍ରକେ ତୁ ଯାହା ଇଚ୍ଛା କରିବୁ, ତାହା ଦେଖିପାରିବୁ । ଯେତେବେଳେ ଇଚ୍ଛା କରିବୁ, ସେତେବେଳେ ମଧ୍ୟ ଦିନଶେଷ ଓ ଗୋଧୂଳି ଦେଖି ପାରିବୁ ।

 

ତୁ ମୋତେ ଆସି କହିଲୁ, “ଦିନେ ମୁଁ ଚଉରାଳିଶ ଥର ସୂର୍ଯ୍ୟାସ୍ତ ଦେଖିଚି ।”

 

କିଛି ସମୟ ପରେ ପୁଣି କହିଲୁ,

 

“ଜାଣିଚୁ ? ମନଟା ଭଲ ଲାଗୁ ନ ଥିବାବେଳେ ସୂର୍ଯ୍ୟାସ୍ତ ଦେଖିବାକୁ ଭାରି ଭଲ ଲାଗେ-।”

 

ମୁଁ ପଚାରିଲି, “ତେବେ ତୁ ଯେଉଁଦିନ ଚଉରାଳିଶ ଥର ସୂର୍ଯ୍ୟାସ୍ତ ଦେଖିଲୁ, ସେଦିନ କ’ଣ ତୋର ମନ ଭାରି ଖରାପ ଥିଲା ?”

 

କିନ୍ତୁ ଟିକି ରାଜକୁମାର ଏହି ପ୍ରଶ୍ନର କୌଣସି ଉତ୍ତର ଦେଲା ନାହିଁ ।

 

।। ସାତ ।।

 

ପଞ୍ଚମ ଦିନ,–ଏଥର ମଧ୍ୟ ସବୁଥର ପରି ସେହି ମେଣ୍ଢାକୁ ଧନ୍ୟବାଦ ଦେବାକୁ ପଡ଼ିବ,–ଟିକି ରାଜକୁମାରର ଜୀବନର ଅନେକ ଗୋପନ କଥା ମୁଁ ଜାଣିବାକୁ ପାଇଲି । ସେଦିନ ମେଣ୍ଢା ସମ୍ବନ୍ଧରେ କୌଣସି ପ୍ରସଙ୍ଗ ହିଁ ପଡ଼ି ନ ଥିଲା । ସତେଅବା ଆପଣାର ସମସ୍ୟାଟି ବିଷୟରେ ଅନେକ ଦିନ ପୂର୍ବରୁ ନୀରବରେ ଭାବି ଭାବି ଏହି ପ୍ରଶ୍ନଟିକୁ ପାଇଥିବା ପରି ହଠାତ୍‍ ସେ ମୋତେ ପଚାରିଲା,

 

“ଆଚ୍ଛା, ଯଦି ମେଣ୍ଢା ବୁଦାଗଛକୁ ଖାଇଦିଏ, ତେବେ ସେ ଫୁଲକୁ ତ ମଧ୍ୟ ଖାଇଦେଇପାରିବ ?”

 

“ମେଣ୍ଢା ହାବୁଡ଼ରେ ଯାହା ପଡ଼େ, ତାହାକୁ ସେ ଟୁଙ୍କି ଖାଇଦିଏ ।” –ମୁଁ ଉତ୍ତର ଦେଲି ।

 

“କଣ୍ଟା ଥିବା ଫୁଲକୁ ବି ଖାଇଦିଏ ?”

 

“ହଁ, ତାକୁ ବି !”

 

“ତେବେ କଣ୍ଟା ରହି ଆଉ କି କାମରେ ଆସିଲା ?”

 

ମୋତେ ଏହି ପ୍ରଶ୍ନର ଉତ୍ତର ଜଣା ନଥିଲା । ମୋର ଇଞ୍ଜିନ୍‍ ଭିତରେ ଗୋଟିଏ ବୋଲ୍‍ଟ ଲାଖିଯାଇଥିଲା, ସେଇଟାକୁ ହୁଗାଳି ବାହାର କରିବାରେ ମୁଁ ସେତେବେଳେ ଭାରି ବ୍ୟସ୍ତ ଥାଏ । ଏଣେ ମୋର ମୁଣ୍ଡ ଭିତରେ ମଧ୍ୟ ଅନେକ ଦୁଶ୍ଚିନ୍ତା ପଶିଯାଇଥାଏ । ବ୍ୟୋମଯାନର ଇଞ୍ଜିନ୍ ଖରାପ ହୋଇଯିବାର ବିପତ୍ତିଟା ଯେ କ୍ରମେ ଅତି ଭୟାନକ ହେବାକୁ ଯାଉଚି, ମୁଁ ଏକଥା ବେଶ୍‍ ସ୍ପଷ୍ଟରୂପେ ବୁଝିପାରୁଥାଏ । ମୋ ପାଖରେ ମହଜୁଦ ଥିବା ପିଇବାପାଣି ଏତେ କମ୍ ହୋଇ ଆସିଥାଏ ଯେ ମୁଁ ହୁଏତ ସବୁଠାରୁ ବଡ଼ ବିପଦର ସମ୍ମୁଖୀନ ହେବି ବୋଲି ଆଶଙ୍କା କରୁଥାଏ ।

 

“ତେବେ କଣ୍ଟା ଥାଇ ଗଛର ଆଉ କି କାମରେ ଆସିଲା ?”

 

ଥରେ ପଚାରିଥିବା ପ୍ରଶ୍ନର ଉତ୍ତର ନ ପାଇବାଯାଏ ଟିକି ରାଜକୁମାର ବାର ବାର ତମକୁ ସେହି ପ୍ରଶ୍ନ ପଚାରୁଥିବ । ମୁଁ ତ ଇଞ୍ଜିନ୍‍ର ସେହି ବୋଲ୍‍ଟଟାକୁ ନେଇ ଭାରି ଚିନ୍ତାରେ ପଡ଼ିଯାଇଥାଏ । ତେଣୁ ମୋର ମୁଣ୍ଡରେ ପ୍ରଥମେ ଯାହା ଆସିଲା, ମୁଁ ତାକୁ ଠିକ୍‍ ସେମିତି ଉତ୍ତର ଦେଇଦେଲି ।

 

“ଏହି କଣ୍ଟା କୌଣସି କାମରେ ଆସେ ନାହିଁ । ଫୁଲଗୁଡ଼ାକ ଖାଲି ହିଂସାରେ ଆପଣାର ଚାରିପାଖରେ କଣ୍ଟା ରଖିଥାନ୍ତି ।”

 

“ହୁଁ ।”

 

ମୁହୂର୍ତ୍ତକ ପାଇଁ ସେ କୌଣସି କଥା ନ କହି ବିଲ୍‍କୁଲ୍‍ ଚୁପ୍‍ ହୋଇ ରହିଲା । ତା’ପରେ ମୋର କଥାକୁ ଅସ୍ଵୀକାର କରି ଫୋପାଡ଼ି ଦେଲାପରି ରାଜକୁମାର ଏଡ଼େ ପାଟିରେ କହିଲା,

 

“ନା,–ତୋ’ କଥାରେ ମୋର ଆଦୌ ବିଶ୍ଵାସ ହେଉ ନାହିଁ । ଫୁଲଗୁଡ଼ିକ ଭାରି ଦୁର୍ବଳ । ଭାରି ନିରୀହ । ତେଣୁ ସେମାନେ ପାରୁପର୍ଯ୍ୟନ୍ତ ଆପଣାକୁ ନିରାପଦ ରଖିବାକୁ ଚେଷ୍ଟା କରନ୍ତି । ସେମାନଙ୍କର କଣ୍ଟାଗୁଡ଼ିକୁ ସେମାନେ ବଡ଼ ଶକ୍ତିଶାଳୀ ଅସ୍ତ୍ର ବୋଲି ବିଶ୍ଵାସ କରନ୍ତି ।”

 

ମୁଁ କୌଣସି ଉତ୍ତର ଦେଲି ନାହିଁ । ସେତିକିବେଳେ ମୁଁ କେବଳ ଭାବୁଥାଏ, “ଏହି ବୋଲ୍‍ଟଟା ଯଦି ତଥାପି ନ ବାହାରେ, ତେବେ ହାତୁଡ଼ି ସାହାଯ୍ୟରେ ଏଇଟାକୁ ବାହାର କରିଦେବାକୁ ପଡ଼ିବ ।” ଟିକି ରାଜକୁମାର ଏତିକିବେଳେ ପୁଣି ମୋର ଚିନ୍ତାରେ ବାଧା ଦେଲା,

 

“ତେବେ ତୁ କ’ଣ ପ୍ରକୃତରେ ବିଶ୍ଵାସ କରୁଚୁ ଯେ ଫୁଲ ସବୁ–”

 

“ନାଇଁ, ନାଇଁ”–ମୁଁ ପାଟିକରି କହିଉଠିଲି, “ନାଇଁ ମୁଁ କିଛି ବିଶ୍ଵାସ କରୁ ନାହିଁ । ମୋର ମୁଣ୍ଡକୁ ପ୍ରଥମେ ଯାହା ଜୁଟିଲା ମୁଁ ତୋତେ ସେହିପରି ଗୋଟାଏ ଉତ୍ତର ଦେଇ ଦେଇଥିଲି । ତୁ କ’ଣ ଦେଖିପାରୁନୁ, ମୁଁ କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟ ନେଇ କେଡ଼େ ବ୍ୟସ୍ତ ଅଛି ?”

 

ବଜ୍ରାହତ ହେଲାପରି ସେ ମୋ ଆଡ଼କୁ ଚାହିଁରହିଲା ।

 

“ଗୁରୁତ୍ୱପୂର୍ଣ୍ଣ ବିଷୟ ?”

 

ସେ ମୋ ଆଡ଼କୁ ସେହିପରି ଚାହିଁ ରହିଥାଏ । ମୋ ହାତରେ ହାତୁଡ଼ି, ଆଙ୍ଗୁଠିଯାକ ଇଞ୍ଜିନ୍‍ର କଳା ବୋଳି ହୋଇଥାଏ, ରାଜକୁମାରର ବିଚାରରେ ଗୋଟାଏ ଭାରି କୁତ୍ସିତ ଓ ଅସୁନ୍ଦର ଜିନିଷ ଉପରେ ନଇଁପଡ଼ି ମୁଁ କାମ କରୁଥାଏ ।

 

“ତୁ ଠିକ୍ ବୟସ୍କ ମଣିଷଙ୍କ ପରି କଥା କହୁଚୁ !”

 

ତା’ର କଥା ଶୁଣି ମୁଁ ଟିକିଏ ଲଜ୍ଜିତ ହୋଇପଡ଼ିଲି । କିନ୍ତୁ ସେ ସେହିପରି ନିର୍ଦ୍ଦୟ ଏବଂ କଠିନ ହୋଇ କହିବାକୁ ଲାଗିଲା,

 

“ତୁ ସବୁକଥା ଏକାଠି ଗୋଳେଇ ଘାଣ୍ଟି ପକାଉଚୁ । ସବୁ ଗୋଳମାଳିଆ କରିଦେଉଚୁ !”

 

ସେ ପ୍ରକୃତରେ ଭାରି ରାଗିଯାଇଥାଏ । ତା’ରି ହଳଦିଆ ମୁଣ୍ଡବାଳଗୁଡ଼ିକ ପବନରେ ଫୁରୁଫୁରୁ ଉଡ଼ିବାରେ ଲାଗିଥାଏ ।

 

“ଅନ୍ୟ ଗୋଟିଏ ଗ୍ରହରେ ମୁଁ ଜଣେ ରଙ୍ଗାମୁହାଁ ମଣିଷ ଦେଖିଥିଲି । ସେ କେବେହେଲେ କୌଣସି ଫୁଲର ସୁଗନ୍ଧ ଅନୁଭବ କରି ନାହିଁ, କେବେ କୌଣସିଦିନ କୌଣସି ନକ୍ଷତ୍ର ଆଡ଼କୁ ଅନାଇ ଦେଖି ନାହିଁ । ସେ କେବେହେଲେ କାହାରିକୁ ଭଲ ପାଇ ନାହିଁ । ସଂଖ୍ୟାକୁ ସଂଖ୍ୟାରେ ମିଶାଇବା ବ୍ୟତୀତ ଜୀବନରେ ସେ ଆଉ କିଛିହେଲେ କରି ନାହିଁ । ତଥାପି ସେ ଦିନଯାକ ଖାଲି କହିହେଉଥାଏ, “ମୁଁ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ନେଇ ଭାରି ବ୍ୟସ୍ତ ଅଛି !” ଏତିକି କହି ସେ ଗର୍ବରେ ଫୁଲିଯାଉଥାଏ । “କିନ୍ତୁ ସିଏ ତ ମଣିଷ ନୁହେଁ–ସିଏ ଗୋଟାଏ ଛତୁ !”

 

“କ’ଣ ?”

 

“ଗୋଟାଏ ଛତୁ !”

 

ରାଗରେ ଜରଜର ହୋଇ ରାଜକୁମାର ଶେତା ପଡ଼ିଯାଇଥାଏ ।

 

“ଆଜିକୁ ଲକ୍ଷ ଲକ୍ଷ ବର୍ଷ ହେଲା ଫୁଲଗଛରେ କଣ୍ଟା ରହିଚି । ଲକ୍ଷ ଲକ୍ଷ ବର୍ଷ ହେଲା ତଥାପି ମେଣ୍ଢା ଆସି ଫୁଲକୁ ଖାଇଦେଉଚି । ତଥାପି ଆପଣାର କୌଣସି କାମରେ ଆସୁ ନ ଥିବା କଣ୍ଟାକୁ ଫୁଲ କାହିଁକି ଆପଣା ଚାରିପାଖରେ ବଢ଼ାଇ ରଖିବାର କଷ୍ଟ କରିଆସୁଚି, ଏହିକଥା ବୁଝିବାକୁ ଚେଷ୍ଟା କରିବା ଗୁରୁତର ବିଷୟ ନୁହେଁ ବୋଲି ତୁ କିପରି କହୁଚୁ ? ଫୁଲ ଆଉ ମେଣ୍ଢା ଦୁହିଁଙ୍କ ଭିତରେ ଲାଗି ରହିଥିବା ଏହି ସଂଗ୍ରାମ କ’ଣ ଏକ ଗୁରୁତର ବିଷୟ ନୁହେଁ ? ପୁଣି ଯଦି ମୁଁ ଗୋଟିଏ ଫୁଲକୁ ଜାଣିଥାଏ–ସିଏ ହେଉଚି ମୋର ଗ୍ରହରେ ଏକମାତ୍ର ଫୁଲ, ସିଏ ମୋ ଲାଗି ସାରା ସଂସାରରେ ଅଦ୍ଵିତୀୟ–ଏବଂ ହଠାତ୍‍ କୌଣସିଦିନ ସକାଳେ ଗୋଟିଏ ମେଣ୍ଢା ଅତି ଅଜ୍ଞାନ ଭାବରେ ଥରେ ଟୁଙ୍କିଦେଲେ ଯଦି ସେହି ଫୁଲ ନଷ୍ଟ ହୋଇଯିବାର ଭୟ ଥାଏ, ତେବେ ତୁ କ’ଣ ଭାବୁଚୁ, ଏହା ତଥାପି ଏକ ଗୁରୁତର ବିଷୟ ନୁହେଁ ?”

Image

କଥା କହୁ କହୁ ତା’ରି ଶେତାମୁହଁ ପୁଣି ଲାଲ ହୋଇଗଲା ।

 

“ଯଦି କେହି ଗୋଟିଏ ଫୁଲକୁ ଭଲପାଏ, ଯଦି ଲକ୍ଷ ଲକ୍ଷ ତାରା ଭିତରେ ସେଇ ଗୋଟିଏ ମାତ୍ର ଫୁଲ ଫୁଟିଥାଏ, ତେବେ ତାରାଗୁଡ଼ିକ ଆଡ଼କୁ ଅନାଇଦେବା ମାତ୍ରକେ ହିଁ ତା’ରି ମନ ଆନନ୍ଦରେ ପୂର୍ଣ୍ଣ ହୋଇଉଠେ । ସେ ମନେମନେ ଭାବେ–‘ସେଇ ତାହାରି ଭିତରେ ଗୋଟିଏ କୌଣସି ଜାଗାରେ ମୋର ଫୁଲଟି ଲୁଚି ରହିଚି ।’ କିନ୍ତୁ ଯଦି ମେଣ୍ଢା ଆସି ସେହି ଫୁଲଟିକୁ ଟୁଙ୍କି ଖାଇଦିଏ, ତେବେ ମୁହୂର୍ତ୍ତକ ମଧ୍ୟରେ ତା’ର ଆଖିରେ ସବୁ ତାରା ଅନ୍ଧାର ହୋଇଯିବେ ସିନା । ଆଉ ତୁ ସେହି କଥାକୁ ଗୁରୁତ୍ୱପୂର୍ଣ୍ଣ ନୁହେଁ ବୋଲି କହୁଚୁ !”

 

ସେ ଆଉ କଥା କହିପାରିଲା ନାହିଁ । କୋହ ଓ କାନ୍ଦ ତା’ର ସମସ୍ତ କଥାକୁ ରୁଦ୍ଧ କରି ରଖିଲା ।

 

ସେତେବେଳେକୁ ରାତି ହୋଇଗଲାଣି । ମୋ ହାତରୁ ଯେ କେତେବେଳେ ହାତୁଡ଼ିଟା ତଳକୁ ଖସିପଡ଼ିଚି, ମୋତେ ସେକଥା ଜଣା ନାହିଁ । ମୋର ହାତୁଡ଼ି ବା ମୋର ବୋଲ୍‍ଟ, ମୋର ତୃଷା ବା ମୋର ମୃତ୍ୟୁ, ସେତେବେଳେ ଏହି ସମସ୍ତ ବିଷୟରେ ମୁଁ ଯେପରି ଭାରି ଉଦାସ ହୋଇପଡ଼ିଲି । ଗୋଟିଏ ଗ୍ରହ ଉପରେ, ମୋର ଆପଣା ଗ୍ରହ ଏହି ପୃଥିବୀ ଉପରେ ଟିକି ରାଜକୁମାରଟିଏ ଦୁଃଖରେ ବିବଶ ହୋଇ ପଡ଼ିଚି, ତାକୁ ମୋତେ ସାନ୍ତ୍ଵନା ଦେବାକୁ ହେବ । ରାଜକୁମାରକୁ ମୁଁ ମୋର ଦୁଇବାହୁ ଭିତରକୁ ଟାଣିନେଲି ଏବଂ ଧୀରେ ଧୀରେ ଝୁଲାଇବାକୁ ଲାଗିଲି । ତାକୁ କହିଲି–“ତୁ ଯେଉଁ ଫୁଲକୁ ଭଲ ପାଉ, ସେ ସମ୍ପୂର୍ଣ୍ଣ ନିରାପଦ ରହିଚି । ତୋ’ରି ମେଣ୍ଢା ଲାଗି ମୁଁ ଗୋଟିଏ ପଘା ଆଙ୍କିଦେବି, ଫୁଲକୁ କାଇଦା କରି ରଖିବା ପାଇଁ ମୁଁ ଗୋଟିଏ ଅଡ଼ା ମଧ୍ୟ ଆଙ୍କିଦେବି, ମୁଁ–”

 

ଆଉ କ’ଣ କହି ତାକୁ ବୋଧ ଦେବି, ମୁଁ କିଛି ଭାବିପାରୁ ନ ଥାଏ । ସେତେବେଳେ ମୋତେ ଭାରି ଅଡ଼ୁଆ ଲାଗୁଥାଏ, ଆପଣାକୁ ଠିକ୍‍ ଗୋଟିଏ ଅପରାଧୀ ପରି ମନେ ହେଉଥାଏ । ମୁଁ କିପରି ଯାଇ ସିଧା ତା’ରି ହୃଦୟ ପାଖରେ ପହଞ୍ଚି ପାରିବି, ସେଇଠି ତାକୁ ଧରିବି ଓ ତା’ର ହାତ ଧରି ତା’ ସହିତ ଯାଇପାରିବି, ସେଥିଲାଗି ମୁଁ କୌଣସି ବାଟ ପାଉ ନଥାଏ ।

 

ଏହି ଲୋତକର ରାଜ୍ୟ,–ସତେ ତାହା କେତେ ରହସ୍ୟରେ ଭରି ନ ରହିଚି !

 

।। ଆଠ ।।

 

ଫୁଲଟି ବିଷୟରେ ସବୁ କାହାଣୀ ଭଲକରି ଜାଣିବାକୁ ମତେ ଆଉ ବେଶି ସମୟ ଲାଗିଲା ନାହିଁ । ଟିକି ରାଜକୁମାରର ଗ୍ରହ ଉପରେ ଫୁଲଗୁଡ଼ିକ ଭାରି ସାଦାସିଧା । ସେଗୁଡ଼ିକର ଏକ-ପତୁରିଆ ପାଖୁଡ଼ା; ସେମାନଙ୍କର ବଢ଼ିବା ପାଇଁ ଖୁବ୍‍ ବେଶି ଜାଗା ଦରକାର ହୁଏ ନାହିଁ । ସେମାନେ କେତେବେଳେ ହେଲେ କାହାରି ଉପରେ ବୋଝ ହୋଇ ରହନ୍ତି ନାହିଁ । ଦିନେ ସକାଳ ସମୟରେ ଘାସ ଭିତରେ ସେଗୁଡ଼ିକ ପାଖୁଡ଼ା ମେଲି ଫୁଟି ଉଠନ୍ତି, ସଞ୍ଜ ବୁଡ଼ି ରାତି ହେଲାବେଳକୁ ସେହି ଘାସ ଭିତରେ ହିଁ ଚୁପ୍‍କରି ମଉଳି ଯାଆନ୍ତି । କିନ୍ତୁ ଦିନେ ଟିକି ରାଜକୁମାରର ଗ୍ରହ ଉପରେ ଗୋଟିଏ ନୂଆ ଫୁଲ ଫୁଟିଲା । ସେହି ଫୁଲର ମଞ୍ଜି କେଉଁଠୁ କେତେଦୂରରୁ ସେଠାକୁ ଉଡ଼ି ଆସିଥିଲା, ସେକଥା କେହି କହିପାରିବ ନାହିଁ । ଏହି ନୂଆ ଛୋଟ ଗଜାଟିକୁ ଟିକି ରାଜକୁମାର ଭାରି ଆଦରରେ ବଢ଼ାଇଥିଲା, କାରଣ ଏହି ଗଜାଟି ଆଦୌ ସେହି ଗ୍ରହ ଉପରେ ଥିବା ଅନ୍ୟାନ୍ୟ ଅନେକ ଛୋଟଗଜା ପରି ଦେଖାଯାଉ ନ ଥିଲା ।

 

କିଏ ଜାଣିଚି, କାଳେ ଇଏ ଗୋଟାଏ ନୂଆ ପ୍ରକାରର ଅସୁରଜଟା ଗଛର ଅଙ୍କୁର ହୋଇଥିବ !

 

ଗଜାଟି ବଢ଼ି ଗଛ ହେଲା, କିନ୍ତୁ ଗଛଟି ଆଉ ବେଶି ବଡ଼ ହୋଇ ବଢ଼ିଲା ନାହିଁ । ଅଳପ ବଡ଼ ହୋଇଗଲାପରେ ସେଥିରେ କଢ଼ଟିଏ ଧରିଲା । ସେହି ବିରାଟ କଢ଼ର ପ୍ରଥମ ଆବିର୍ଭାବକୁ ନିରୀକ୍ଷଣ କରି ଦେଖିଲାବେଳେ ଟିକି ରାଜକୁମାର ଭାବୁଥିଲା ଯେ ଏଥିରୁ ନିଶ୍ଚୟ କିଛି ଗୋଟାଏ ଅଦ୍ଭୁତ ଓ ଅପୂର୍ବ ପଦାର୍ଥ ବାହାରିବ । କିନ୍ତୁ ସେହି କ୍ଷୁଦ୍ର ଓ ସବୁଜ ପତ୍ରଗୁଚ୍ଛର ଆଶ୍ରୟ ଭିତରେ ଆପଣା ସୌନ୍ଦର୍ଯ୍ୟର ପ୍ରସାଧନ କରିବାକୁ ଫୁଲଟିକୁ ଆଦୌ ସନ୍ତୋଷ ଲାଗିଲା ନାହିଁ । ଅତିଶୟ ଆଦର ଓ ଯତ୍ନସହକାରେ ସେ ଆପଣା ଦେହର ମଣ୍ଡନ ଲାଗି ରଙ୍ଗ ବାଛୁଥିଲା ପରି ମନେ ହେଉଥିଲା । ଖୁବ୍ ଧୀରେ ଧୀରେ ସେ ପାଖୁଡ଼ା ପାଖୁଡ଼ା କରି ଆପଣାକୁ ଭୂଷିତ କରୁଥିଲା । ଘାସ ପଡ଼ିଆର ଅନାବନା ଅନାମିକା ଫୁଲପରି ହୁ’ କରି ସଂସାର ଭିତରକୁ ଡେଇଁ ପଡ଼ିବାଲାଗି ତା’ର କୌଣସି ଇଚ୍ଛା ନ ଥିଲା । ତା’ରି ଆପଣା ସୌନ୍ଦର୍ଯ୍ୟର ପରିପୂର୍ଣ୍ଣ ଉଜ୍ଜ୍ଵଳତା ଓ ଗରିମା ଘେନି ସେ ଫୁଟି ଉଠିବ, ତାହାର ଏହି ଅଭିଳାଷ ହିଁ ଥିଲା । ଆପଣାକୁ ଦେଖାଇ ହେବାର ଭାବ ତା’ଠାରେ ଭରପୂର ହୋଇ ରହିଥିଲା । ତେଣୁ ଦୀର୍ଘ ଅନେକଦିନ ପର୍ଯ୍ୟନ୍ତ ସେ ଆପଣାର ରହସ୍ୟମୟ ରୂପସଜ୍ଜାରେ ନିମଗ୍ନ ହୋଇ ରହିଲା ।

Image

ଦିନେ ସକାଳେ, ଠିକ୍‍ ସୂର୍ଯ୍ୟୋଦୟ ସମୟରେ ସେ ଫୁଟି ଉଠିଲା, ଆପଣାକୁ ପ୍ରକାଶିତ କଲା । ଅନେକ ଦିନର ଅନେକ ଆଦରପୂର୍ଣ୍ଣ ଓ ସାବଧାନ ପ୍ରସ୍ତୁତି ପରେ ଆଶ୍ଵସ୍ତିର ହାଇମାରି ସେ କହିଲା, ‘‘ଓଃ, ତଥାପି ମୋର ଫୁଟି ଉଠିବା ଶେଷ ହୋଇ ନାହିଁ । ତୁ ମୋତେ କ୍ଷମା କରିବୁ । ମୋର ପାଖୁଡ଼ାଗୁଡ଼ାକ ତଥାପି ବଡ଼ ଅସଜଡ଼ା ରହିଯାଇଛି ।“

 

ଟିକି ରାଜକୁମାର ଆଉ ସମ୍ଭାଳି ରହିପାରିଲା ନାହିଁ । ମନର ଆନନ୍ଦକୁ ପ୍ରକାଶ କରି ସେ ଫୁଲର ପ୍ରଶଂସା କରିବାକୁ ଲାଗିଲା–“ତୁ ସତେ କେଡ଼େ ସୁନ୍ଦର !”

Image

ଫୁଲ ମଧୁର କଣ୍ଠରେ ଜବାବ ଦେଲା, “ନୁହଁ, ପୁଣି ଠିକ୍‍ ସୂର୍ଯ୍ୟର ଜନ୍ମ ମୁହୂର୍ତ୍ତରେ ହିଁ ମୋର ଜନ୍ମ..... ।’’

 

ଫୁଲଟିର ଯେ ଯଥେଷ୍ଟ ଲାଜ ବା ନମ୍ରତା ନାହିଁ, ଟିକି ରାଜକୁମାର ଏକଥା ବେଶ୍‍ ବୁଝିପାରିଲା । କିନ୍ତୁ ତା’ରି ରୂପ ସତେ କେଡ଼େ ସୁନ୍ଦର ! ତାକୁ ଦେଖିଲେ ହୃଦୟ କେଡ଼େ ଆନ୍ଦୋଳିତ ଓ ଚଞ୍ଚଳ ହୋଇ ଉଠୁ ନ ଥିଲା ?

 

“ମୋର ମନେ ହେଉଚି ବର୍ତ୍ତମାନ ପ୍ରାତରାଶର ବେଳ ହୋଇଗଲାଣି’’–ଫୁଲ ତରତର କରି କହିଲା, “ମୋର ବିଶ୍ଵାସ ଯେ ତୁ ଦୟା ବହି ମୋର ଆବଶ୍ୟକତାଗୁଡ଼ିକ ବିଷୟରେ ଚିନ୍ତା କରିବୁ ।’’

 

ମନେମନେ ଟିକିଏ ଲଜ୍ଜିତ ହୋଇ ଟିକି ରାଜକୁମାର ଗୋଟାଏ ଝାରି ତଟକା ପାଣି ନେଇଆସି ଫୁଲଗଛ ମୂଳରେ ଦେଲା । ସେହିଦିନଠାରୁ ଫୁଲଟିର ସବୁପ୍ରକାର ଯତ୍ନ ନେବାକୁ ଲାଗିଲା ।

 

ରାଜକୁମାରର ଆଦର ଓ ଯତ୍ନ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଫୁଲର ଦମ୍ଭ ଓ ଗର୍ବ ମଧ୍ୟ ବେଶ୍‍ ବୃଦ୍ଧି ପାଇବାକୁ ଲାଗିଲା । ସତକଥା କହିବାକୁ ଗଲେ ଫୁଲଟିକୁ ସନ୍ତୁଷ୍ଟ କରିବାକୁ ଯାଇ ରାଜକୁମାରକୁ ଭାରି ହଇରାଣ ହେବାକୁ ପଡ଼ିଲା । ଦିନେ ଆପଣାର ଚାରୋଟି କଣ୍ଟା ସହିତ ଦୁଃଖସୁଖ ହେଉଥିଲାବେଳେ ଫୁଲ ରାଜକୁମାରକୁ କହିଲା, “ଏଥର ବାଘ ଆସିଲେ ମଧ୍ୟ ମୋର କୌଣସି ଭୟ ନାହିଁ । ସେମାନଙ୍କର ନଖ ଆଉ ମୋର କିଛି କରିପାରିବ ନାହିଁ । “

 

“ମୋ ଗ୍ରହରେ ବାଘ ନାହାନ୍ତି”,–ରାଜକୁମାର ଆପତ୍ତି କରି ଉତ୍ତର ଦେଲା । ପୁଣି କହିଲା,

Image

‘‘ସେ ଯାହା ହେଉନା କାହିଁକି, ବାଘ କ’ଣ କେବେ ଘାସଗଛ ଖାଇଲାଣି ?”

 

“ମୁଁ କାହିଁକି ଘାସଗଛ ହେବି ମ ?” ମିଷ୍ଟ କଣ୍ଠରେ ଫୁଲ ଜବାବ ଦେଲା ।

 

“ଓହୋ, ମୁଁ ଭୁଲ କଥାଟାଏ କହିଦେଲି, ତୁ ମୋତେ କ୍ଷମା କରିବୁ !”

Image

ଫୁଲ କହିବାରେ ଲାଗିଲା, “ବାଘକୁ ମୋର ଆଦୌ କୌଣସି ଭୟ ନାହିଁ । କିନ୍ତୁ ମରୁଡ଼ିକୁ ପ୍ରାଣେ ଭୟ । ମୋର ଚାରିପାଖରେ ତୁ ଗୋଟାଏ ପରଦାର ଉଢ଼ୁଆଳ କରିଦିଅନ୍ତୁ ନାହିଁ ?”

 

ରାଜକୁମାର ଉତ୍ତର ଦେଲା, “ମରୁଡ଼ିର ଭୟ,–ଗଛଲାଗି ତାହା ଭାରି ଦୁର୍ଭାଗ୍ୟର କଥା !” ତା’ପରେ ମନେମନେ କହିଲା, “ଏ ଫୁଲଟି କିଛି ସହଜ ଜନ୍ତୁ ନୁହେଁ !”

 

“ରାତି ହେଲେ ତୁ ମତେ ଗୋଟାଏ କାଚ ଘୋଡ଼ଣୀ ଦେଇ ରଖିବୁ । ତୋ ଗ୍ରହରେ ଏଠି ଭାରି ଥଣ୍ଡା ! ମୁଁ ଯେଉଁ ଦେଶରୁ ଆସିଚି–’’

 

କିନ୍ତୁ ଏତିକି କହି ଫୁଲଟି ହଠାତ୍‍ ବନ୍ଦ ହୋଇଗଲା । ଏହି ଗ୍ରହକୁ ଉଡ଼ି ଆସିଥିଲା ବେଳେ ସେ ତ କେବଳ ମଞ୍ଜିଟିଏ ହୋଇ ଆସିଥିଲା ! ତେଣୁ ଅନ୍ୟ କୌଣସି ପୃଥିବୀ ସମ୍ବନ୍ଧରେ ତା’ର କଦାପି କୌଣସି କଥା ମନେ ନ ଥିବ । ଏପରି ଗୋଟାଏ କଞ୍ଚା ମିଛକଥା କହିବାକୁ ଯାଉଥିବା ବେଳେ ଧରା ପଡ଼ିଯାଇ ସେ ବଡ଼ ଅପ୍ରସ୍ତୁତ ହୋଇପଡ଼ିଲା । ରାଜକୁମାରର ଦୋଷ ଦେଖାଇଦେବା ଉଦ୍ଦେଶ୍ୟରେ ଦୁଇ ତିନିଥର କାଶିଦେଲା ।

 

“ମୋ ପରଦା ?”

 

“ତୋ’ଠାରୁ ଶୁଣିବା ପରେ ପରା ମୁଁ ଗୋଟାଏ ପରଦା ଖୋଜି ଆଣିବାକୁ ଯାଉଥିଲି !”

 

ଜାଣିଶୁଣି ସେ ପୁଣି କେତେ ସମୟ ପର୍ଯ୍ୟନ୍ତ କାଶିବାକୁ ଲାଗିଲା, ଫୁଲକୁ ସର୍ଦ୍ଦି ହେଇଚି ବୋଲି ଜାଣି ଯେପରିକି ରାଜକୁମାର ଆହୁରି ଦୁଃଖ ଓ ଲଜ୍ଜା ଅନୁଭବ କରିବ ।

 

ଟିକି ରାଜକୁମାର ଫୁଲଟିକୁ ଭାରି ଭଲ ପାଉଥିଲା, ସେ ସବୁବେଳେ ତା’ରି ଭଲ ଚାହୁଥିଲା, ତଥାପି ଫୁଲର ଏପରି ଅହଙ୍କାରୀ ପ୍ରକୃତି ଦେଖି ସେ କ୍ରମେ ତାକୁ ଟିକିଏ ସନ୍ଦେହ କରିବାକୁ ଆରମ୍ଭ କଲା । ହୁଏତ ବଡ଼ ଉପରଠାଉରିଆ ଭାବରେ ଫୁଲ ତାକୁ କ’ଣ ପଦେ ବା ଦୁଇପଦ କହି ପକାଇଥିଲା, କିନ୍ତୁ ରାଜକୁମାର ସେହିସବୁ କଥାକୁ ଭାରି ଗମ୍ଭୀର ବୋଲି ମନେକଲା-। ଏହି କାରଣରୁ ଫୁଲର କଥା ତାକୁ ବଡ଼ ବାଧିଲା ଓ ସେ ମନେମନେ ଭାରି ଦୁଃଖ ପାଇଲା ।

Image

ଦିନେ ସେ ମୋ ଆଗରେ ଆସି କହିଲା,

 

“ତା’ର କଥାକୁ କାନକୁ ନେବା ମୋର ଆଦୌ ଉଚିତ ନ ଥିଲା । ଫୁଲର କଥାକୁ କେତେବେଳେ ହେଲେ କାନକୁ ନେବା ଉଚିତ ନୁହେଁ । ଫୁଲକୁ କେବଳ ଦେଖିବା ଉଚିତ ଓ ତା’ର ସୁଗନ୍ଧକୁ ଗ୍ରହଣ କରିବା ଉଚିତ । ବାସ୍‍, ତାହାହିଁ ଯଥେଷ୍ଟ । ମୋର ସେଇ ଫୁଲଟିର ସୁଗନ୍ଧରେ ମୋର ଗ୍ରହଟିଯାକ ମହକି ଉଠୁଥାଏ । କିନ୍ତୁ ତଥାପି ମୁ ତା’ର ସମସ୍ତ ଶୋଭାକୁ ଉପଭୋଗ କରିପାରିଲି ନାହିଁ । ତା’ ମୁହଁରୁ ବାଘ ଆଉ ନଖର କଥା ଶୁଣି ମୋର ମନ ଠିକ୍‍ ରହିଲା ନାହିଁ । ସେକଥା ଶୁଣି ବରଂ ଫୁଲଟି ପ୍ରତି ମୋର ଅଧିକ କରୁଣା ଓ ସହାନୁଭୂତି ଜାତ ହେବା ଉଚିତ ଥିଲା-।’’

 

ରାଜକୁମାର ଅନର୍ଗଳ ଭାବରେ କହିଯାଉଥାଏ, ସତେଯେପରି ସେ ତା’ର ଅତି ବିଶ୍ଵାସର କଥାଗୁଡ଼ାକ ମୋ ଆଗରେ ଖୋଲି କହୁଚି :

 

“ଅସଲ କଥା ହେଉଚି, ସେତେବେଳେ ମୋର କୌଣସି କଥା ବୁଝିପାରିବାର ଶକ୍ତି ନ ଥିଲା । କଥାରୁ ନୁହେଁ, ଆଚରଣରୁ ହିଁ ମୋର ବିଚାର କରିବା ଉଚିତ ଥିଲା । କେଡ଼େ ଯତ୍ନରେ ଫୁଲଟି ତା’ର ସମସ୍ତ ରୂପସୌନ୍ଦର୍ଯ୍ୟ ଓ ସୁଗନ୍ଧକୁ ମୋ ଉପରେ ଅଜାଡ଼ି ଦେଇଥିଲା ! ତା’ପାଖରୁ ଛାଡ଼ି ପଳାଇ ଆସିବା ମୋର ଆଦୌ ଉଚିତ ହୋଇ ନାହିଁ । ଆପଣା ବକ୍ରୋକ୍ତିଗୁଡ଼ିକର ଅନ୍ତରାଳରେ ଯେ ସେ ମୋ ଲାଗି କେତେ ସ୍ନେହ ସାଇତି କରି ରଖିଥିଲା, ସେତେବେଳେ ମୁଁ ସେକଥା ଅନୁମାନ କରିପାରି ନ ଥିଲି । ଫୁଲଗୁଡ଼ିକର କଥା ସବୁବେଳେ ସମାନ ଓ ସଙ୍ଗତ ନ ଥାଏ-। କିନ୍ତୁ ସେହି ଛୋଟ ବୟସରେ ମୁଁ ମଧ୍ୟ ତାକୁ ଭଲପାଇ ଜାଣି ନ ଥିଲି ।“

 

।। ନଅ ।।

 

ମୋର ବିଶ୍ଵାସ, ଦଳେ ବଣୁଆ ଚଢ଼େଇ ଉଡ଼ିଯାଉଥିଲା ବେଳେ ରାଜକୁମାର ସେଇମାନଙ୍କର ସାହାଯ୍ୟରେ ଆପଣାର ଗ୍ରହ ଛାଡ଼ି ଆସିଥିଲା । ଯେଉଁଦିନ ଅନୁକୂଳ କରିବାର କଥା, ସେଦିନ ସେ ତା’ର ଗ୍ରହଟିରେ ସବୁ ଠିକ୍‍ଠାକ୍‍ କରି ରଖିଲା । ସକ୍ରିୟ ଆଗ୍ନେୟଗିରିଗୁଡ଼ିକୁ ଅତି ସାବଧାନତାର ସହିତ ପରିଷ୍କାର କରିଦେଲା । ତା’ର ଗ୍ରହରେ ଦୁଇଗୋଟି ସକ୍ରିୟ ଆଗ୍ନେୟଗିରି ଥିଲା, ସକାଳର ଖାଇବାକୁ ଗରମ କରିବା ପାଇଁ ଏହି ଆଗ୍ନେୟଗିରି ଦୁଇଟି ତା’ର ଭାରି କାମରେ ଆସୁଥିଲା । ତା’ର ଗୋଟିଏ ସୁପ୍ତ ଆଗ୍ନେୟଗିରି ମଧ୍ୟ ଥିଲା । କିନ୍ତୁ ତଥାପି ରାଜକୁମାର ସେଇଟି ବିଷୟରେ ନିଶ୍ଚିନ୍ତ ହୋଇ ରହିପାରୁ ନ ଥିଲା । “କିଏ ଜାଣିଚି କେତେବେଳେ କେଉଁ ବିପଦ ଘଟିବ ?”–ସବୁବେଳେ ସେ ଏହିପରି ଆଶଙ୍କା କରୁଥିଲା । ତେଣୁ ସୁପ୍ତ ଆଗ୍ନେୟଗିରିଟିକୁ ମଧ୍ୟ ସେ ନିୟମିତ ଭାବରେ ସଫାକରି ରଖୁଥିଲା । ସବୁଦିନ ଭଲକରି ପରିଷ୍କାର କରିଦେଲେ ଆଗ୍ନେୟଗିରିଗୁଡ଼ିକ ଧୀରେ ଧୀରେ ଜଳନ୍ତି । କେବେହେଲେ ନିଭି ଯାଆନ୍ତି ନାହିଁ, କିନ୍ତୁ କେବେହେଲେ କୌଣସି ଉତ୍ପାତ ମଧ୍ୟ କରନ୍ତି ନାହିଁ । ଆଗ୍ନେୟଗିରିର ଉତ୍ପାତ ଠିକ୍‍ ଚିମିଣୀର ନିଆଁପରି ବଡ଼ ବିପଜ୍ଜନକ ।

 

ଆମ ପୃଥିବୀରେ ମଧ୍ୟ ଅନେକ ଆଗ୍ନେୟଗିରି ରହିଚି, କିନ୍ତୁ ସେଗୁଡ଼ିକୁ ପରିଷ୍କାର କରି ରଖିବା ଲାଗି ଆମ କ୍ଷୁଦ୍ର ମଣିଷଙ୍କର ଶକ୍ତି ନାହିଁ । ସେଇହେତୁ ଆମକୁ ଏଠାରେ ସବୁବେଳେ ଆଗ୍ନେୟଗିରିର ଉତ୍ପାତ ସହିବାକୁ ପଡ଼େ ।

 

ଯିବା ଆଗରୁ ରାଜକୁମାର ଗ୍ରହ ଉପରେ ଥିବା ଅସୁରଜଟା ଗଛର ଶେଷ କେତୋଟି ଅଙ୍କୁରକୁ ଉପାଡ଼ି ନଷ୍ଟ କରିଦେଲା । ମନେମନେ ତାକୁ ଭାରି ଉଦାସ ଲାଗୁଥାଏ । ସେ ଭାବୁଥାଏ, ପୁଣି ଏହି ଗ୍ରହକୁ ଫେରିଆସିବାକୁ ହୁଏତ ତା’ର ଆଉ କେବେହେଲେ ମନ ହେବ ନାହିଁ । କିନ୍ତୁ ଆଗରୁ ଭାରି ଅଭ୍ୟସ୍ତ ଥିଲେ ମଧ୍ୟ ଏହି ଶେଷ ସକାଳଟିର ସମସ୍ତ ନିତ୍ୟକର୍ତ୍ତବ୍ୟ ଆଜି ତାକୁ ଭାରି ପବିତ୍ର ବୋଧ ହେଉଥାଏ । ପୁଣି ସବୁ ସାରି ଯେତେବେଳେ ସେ ଶେଷଥରପାଇଁ ଫୁଲଗଛରେ ପାଣି ଦେବାକୁ ଗଲା ଏବଂ କାଚର ଘୋଡ଼ଣୀଟିକୁ ଫୁଲ ଉପରେ ଘୋଡ଼ାଇ ଦେବାଲାଗି ବାହାରିଲା, ସେତେବେଳେ ତା’ର ଦୁଇଆଖି ଲୁହରେ ପୂର୍ଣ୍ଣ ହୋଇ ଆସିଲା । ଏହି କଥାଟିକୁ ସେ ବେଶ୍‍ ଅନୁଭବ କରିପାରିଲା ।

 

“ଯାଉଚି, ବିଦାୟ !” –ସେ ଫୁଲକୁ ଯାଇ କହିଲା ।

 

କିନ୍ତୁ ଫୁଲ ଏହାର କୌଣସି ପ୍ରତ୍ୟୁତ୍ତର ଦେଲା ନାହିଁ ।

 

“ବିଦାୟ !” –ରାଜକୁମାର ପୁଣିଥରେ କହିଲା ।

 

ଫୁଲଟି ଟିକିଏ କାଶିଲା । କିନ୍ତୁ ସର୍ଦ୍ଦି ହୋଇଚି ବୋଲି ଯେ କାଶିଲା, ସେକଥା ନୁହେଁ ।

Image

ଶେଷରେ ଫୁଲ କଥା କହିଲା–“ତୋ ସହିତ ମୁଁ ଭାରି ନିର୍ବୋଧ ପରି ବ୍ୟବହାର କରିଚି-। ତୁ ମତେ କ୍ଷମା କରିବୁ । ତୁ ଯୁଆଡ଼େ ଯାଆ ପଛକେ, ଖୁସିରେ ଥାଆ !”

 

ଫୁଲ ତାକୁ ଗାଳି ଦେଲା ନାହିଁ କି କୌଣସି ଟାଣକଥା କହିଲା ନାହିଁ,–ଏଥିରେ ରାଜକୁମାରକୁ ଭାରି ଆଶ୍ଚର୍ଯ୍ୟ ଲାଗିଲା । ଟିକିଏ ଅବାକ୍‍ ଓ ଇତସ୍ତତଃ ଭାବରେ ସେ ସେଇଠି ଠିଆ ହୋଇ ରହିଲା । କାଚ ଘୋଡ଼ଣୀଟି ମଧ୍ୟ ଠିକ୍ ସେମିତି ତା’ର ହାତରେ ଥାଏ । ସେ ଏଇ ଶାନ୍ତ ମଧୁର ବ୍ୟବହାରର ମର୍ମ ବୁଝିପାରିଲା ନାହିଁ ।

 

“ମୁଁ ତୋତେ ପ୍ରକୃତରେ ଭଲପାଏ’’–ଫୁଲ ରାଜକୁମାରକୁ କହିଲା । “ତୁ ସେକଥା ଜାଣିପାରିଲୁ ନାହିଁ, ସେଥିପାଇଁ ଦୋଷୀ ମୁଁ । ମୋ କଥାରେ ତୁ ଆଦୌ କୌଣସି ଗୁରୁତ୍ଵ ଦେବୁ ନାହିଁ । କିନ୍ତୁ ତୁ,–ତୁ ମଧ୍ୟ ଠିକ୍‍ ମୋରି ପରି ନିର୍ବୋଧ ବ୍ୟବହାର କରିଚୁ । ତୁ ଖୁସି ରହ ! ସେ କାଚ ଘୋଡ଼ଣୀଟା ରଖିଦେ, ମୋର ଆଉ ସେଇଟା ଦରକାର ନାହିଁ ।’’

 

“କିନ୍ତୁ ପବନ–’’

 

“ନାଇଁ, ମୋତେ ଏତେ ବେଶି ଥଣ୍ଡା ଆଦୌ ଧରି ନାହିଁ । ରାତିର ଶୀତଳ ପବନ ମୋର ଦେହକୁ ଉପକାର କରିବ । ମୁଁ ପରା ଗୋଟାଏ ଫୁଲ !”

 

“କିନ୍ତୁ ଅନ୍ୟ ପ୍ରାଣୀମାନେ–’’

 

“ହଁ, କିନ୍ତୁ ପ୍ରଜାପତି ସହିତ ପରିଚିତ ହେବାକୁ ହେଲେ ମୋତେ ତା’ ଆଗରୁ ଦୁଇତିନିଟା ପୋକ ରଖିବାକୁ ପଡ଼ିବ ଓ ସେମାନଙ୍କର ଦାଉ ସହିବାକୁ ହିଁ ପଡ଼ିବ । ପ୍ରଜାପତି ହେଉଚି ଭାରି ସୁନ୍ଦର ଜୀବ । ପୁଣି ପ୍ରଜାପତି ଆଉ ପୋକ ଦୁଇତିନିଟା ନ ରହିଲେ, ଏଠି ମତେ ଆଉ କିଏ ଦେଖିବାକୁ ଆସିବ ? ତୁ ତ କେଉଁ ଦୂରଦୂରାନ୍ତକୁ ଚାଲିଯିବୁ । ଆଉ ବଡ଼ ବଡ଼ ଜନ୍ତୁଙ୍କ କଥା ? ମୋର ସେମାନଙ୍କୁ ମୋଟେ ଭୟ ନାହିଁ । ସେମାନଙ୍କ ପରି ମୋର ମଧ୍ୟ ନଖ ରହିଚି ।’’

 

ଏତକ କହି ସେ ଅତି ଶିଶୁସୁଲଭ ଭାବରେ ତା’ର ଚାରୋଟିଯାକ କଣ୍ଟା ଦେଖାଇଲା । ତା’ପରେ କହିଲା,

 

“ନା–ଏଠାରେ ଆଉ ଏତେ ସମୟ ଅଟକିକରି ରହିବା ତୋ’ର ଆଦୌ ଉଚିତ ହେଉ ନାହିଁ । ତୁ ଯେତେବେଳେ ଚାଲିଯିବୁ ବୋଲି ସ୍ଥିର କରିଚୁ, ସେତେବେଳେ ତୋର ବର୍ତ୍ତମାନ ହିଁ ଯିବା ଉଚିତ ।’’

 

କାରଣ ରାଜକୁମାର ଗଲାବେଳେ ତା’ର ଆଖିରେ ଲୁହ ଦେଖିକରି ଯାଉ, ଫୁଲର ମନରେ ଆଦୌ ଏପରି କୌଣସି ଇଚ୍ଛା ନ ଥିଲା । ସେ ଫୁଲର ସତେ କେଡ଼େ ଗର୍ବ !

 

।। ଦଶ ।।

 

ରାଜକୁମାର ଗ୍ରହଟିର ଆଖପାଖରେ ଅନ୍ୟ ଯେଉଁସବୁ ଗ୍ରହ ଥିଲା, ସେଗୁଡ଼ିକର ନମ୍ବର ହେଉଚି ୩୨୫, ୩୨୬, ୩୨୭, ୩୨୮, ୩୨୯, ୩୩୦ । ଏହି ଗ୍ରହଗୁଡ଼ିକୁ ସେ ଗୋଟି ଗୋଟି କରି ଦେଖିବାକୁ ମନସ୍ଥ କଲା, ପ୍ରତ୍ୟେକଟି ଗ୍ରହକୁ ଦେଖି ଆପଣାର ଜ୍ଞାନ ବଢ଼ାଇବାକୁ ତା’ର ଭାରି ଇଚ୍ଛା ଥିଲା ।

 

ପ୍ରଥମ ଗ୍ରହଟିରେ ଜଣେ ରାଜା ବାସ କରୁଥିଲା । ତା’ର ଶରୀର ଉପରେ ନାଲିଆ ଆଉ ଧଳାରଙ୍ଗର ରାଜପରିଚ୍ଛଦ ଝଲମଲ କରୁଥିଲା । ଗୋଟିଏ ସିଂହାସନ ଉପରେ ସେ ବସି ରହିଥାଏ-। ସାଦାସିଧା ହେଲେ ମଧ୍ୟ ସିଂହାସନଟି ଭାରି ଐଶ୍ଵର୍ଯ୍ୟପୂର୍ଣ୍ଣ ଦେଖାଯାଉଥିଲା ।

Image

“ଆ–ହା– ! ଜଣେ ପ୍ରଜା ମୋତେ ଦେଖା କରିବାକୁ ଆସୁଚି,”–ରାଜକୁମାରକୁ ଦୂରରୁ ଆସୁଥିବାର ଦେଖି ରାଜା ଚିତ୍କାର କରି କହି ଉଠିଲେ ।

 

ତା’ ଶୁଣି ରାଜକୁମାର ମନେମନେ ଭବିଲା, “ମତେ ତ ଏହି ରାଜା ଆଗରୁ କେବେ ଦେଖି ନାହାନ୍ତି, ତେବେ ସେ ମୋତେ ଚିହ୍ନିଲେ କିପରି ?”

 

ସାରା ପୃଥିବୀଟା ଯେ ରାଜାମାନଙ୍କ ଲାଗି ଅତି ସରଳ, ଆମ ରାଜକୁମାରକୁ ସେକଥା ଜଣା ନ ଥିଲା । ପୃଥିବୀର ସବୁ ମଣିଷ ରାଜାଙ୍କ ଆଖିରେ କେବଳ ପ୍ରଜାପରି ଦେଖାଯାଆନ୍ତି ।

 

“ଆ–ଆ,–ପାଖକୁ ଆ ! ମୁଁ ତୋତେ ଆଗ ଭଲକରି ଦେଖେ,’’–ରାଜା ପୁନର୍ବାର ବଡ଼ ପାଟିରେ ଡାକି କହିଲେ । ଏତେଦିନକେ ଜଣେ ପ୍ରଜା ତାଙ୍କ ପାଖକୁ ଆସିଚି, ଯାହା ଉପରେ କି ସେ ଆପଣାକୁ ରାଜା ବୋଲାଇ ପାରିବେ,–ଏକଥା ଭାବି ରାଜା ଭାରି ଗର୍ବ ଅନୁଭବ କରୁଥାନ୍ତି ।

 

ରାଜକୁମାର ଚାରିଆଡ଼କୁ ଭଲକରି ଅନାଇ ଦେଖିଲା, କିନ୍ତୁ କେଉଁଠି ହେଲେ ବସିବାଲାଗି ଟିକିଏ ଥାନ ପାଇଲା ନାହିଁ । ରାଜାଙ୍କର ଐଶ୍ଵର୍ଯ୍ୟପୂର୍ଣ୍ଣ ରାଜପୋଷାକ ଚାରିଆଡ଼ଯାକ ଏପରି ଭାବରେ ଖେଳେଇ ହୋଇ ପଡ଼ିଥିଲା ଯେ, ଗ୍ରହ ଗୋଟାକଯାକ ଟିକିଏ ହେଲେ ଖାଲି ଜାଗା ନ ଥିଲା । ତେଣୁ ରାଜକୁମାର ସେମିତି ଖାଡ଼ା ଖାଡ଼ା ଠିଆହୋଇ ରହିଥାଏ । ଅନେକ ଦୂରବାଟ ଅତିକ୍ରମ କରି ସେ ଆଗରୁ ଭାରି ଥକା ହୋଇପଡ଼ିଥିଲା, କ୍ଳାନ୍ତ ଅନୁଭବ କରି ସେ ହାଇଟାଏ ମାରିଲା ।

 

ରାଜା ଆପତ୍ତି କରି କହିଲେ, “ରାଜାଙ୍କ ସମ୍ମୁଖରେ ଏପରି ଭାବରେ ହାଇ ମାରିବା ବଡ଼ ଅଭଦ୍ର କଥା । ତୋତେ ମୁଁ ହାଇ ମାରିବାକୁ ନିଷେଧ କରିଦେଲି ।’’

 

“କିନ୍ତୁ ଏଥିପାଇଁ ମୁଁ ଆଉ କ’ଣ କରିବି ? ହାଇଟାକୁ ମୁଁ କିପରି ଇଚ୍ଛାକରି ବନ୍ଦ ରଖିପାରିବି ?” ରାଜକୁମାର ଉତ୍ତର ଦେଲା । ରାଜାଙ୍କର ଆଦେଶ ଶୁଣି ସେ ଭାରି ବିବ୍ରତ ହୋଇ ପଡ଼ିଥାଏ । “ମୁଁ ଏତେ ବାଟରୁ ଚାଲି ଚାଲି ଆସିଚି, ପୁଣି ଅନେକ ଦିନ ହେଲା ଶୋଇ ନାହିଁ– !”

 

ରାଜା କହିଲେ, “ଓହୋ ! ତେବେ ମୁଁ ତୋତେ ହାଇ ମାରିବାକୁ ଆଦେଶ ଦେଉଚି । ଅନେକ ବର୍ଷ ହେଲା ମୁଁ କାହାକୁ ହାଇ ମାରିବାର ଦେଖି ନାହିଁ । ହାଇ ମାରିବାଟା ମୋତେ ସର୍ବଦା ଭାରି କୌତୂହଳପୂର୍ଣ୍ଣ ବୋଧ ହୁଏ । ତେବେ ମାର, ତୁ ଆଉଥରେ ହାଇ ମାର ! ଏ ରାଜାଙ୍କର ଆଦେଶ ।’’

 

‘‘କିନ୍ତୁ ଆପଣଙ୍କର ଆଦେଶ ଶୁଣି ମୋର ଭୟ ହେଉଚି । ମୋତେ ତ ଆଉ ହାଇ ମାଡ଼ୁନାହିଁ, ତେବେ ମୁଁ ପୁଣିଥରେ ହାଇ ମାରିବି କିପରି ?” –ରାଜକୁମାର ଭାରି ବିବ୍ରତ ଓ କ୍ଷୁବ୍ଧ ଭାବରେ କହିଲା ।

 

‘‘ହୁଁ–ହୁଁ, !” –ରାଜା ଉତ୍ତର ଦେଲେ । ‘‘ତେବେ ମୋର ଆଦେଶ ରହିଲା ଯେ ତୁ ବେଳେ ବେଳେ ହାଇ ମାରିବୁ, ପୁଣି ଆଉ ବେଳେ ବେଳେ ହାଇ ମାରିବୁ ନାହିଁ ।’’

 

ରାଜା ଭାରି କ୍ଷିପ୍ର ଭାବରେ କଥା କହୁଥାନ୍ତି । ମନେ ହେଉଥାଏ ଯେପରି ସେ ଟିକିଏ ବିରକ୍ତ ହୋଇ ପଡ଼ିଚନ୍ତି !

 

ରାଜାଙ୍କର ଆଦେଶକୁ ସମସ୍ତେ ମାନନ୍ତୁ, ସମସ୍ତେ ତାଙ୍କର କର୍ତ୍ତୃତ୍ଵକୁ ସମ୍ମାନ ଦେଖାନ୍ତୁ, ଏହାରି ଉପରେ ହିଁ ରାଜା ବାରମ୍ବାର ଜୋର୍‍ ଦେଇ କହୁଥାଆନ୍ତି । ସେ କେବେହେଲେ କୌଣସି ପ୍ରକାରର ଅବାଧ୍ୟତାକୁ ସହିପାରନ୍ତି ନାହିଁ । ସିଏ ତ କେବଳ ରାଜା ନ ଥିଲେ, ସେ ଥିଲେ ଜଣେ ଏକଛତ୍ର ଅଧିପତି । କିନ୍ତୁ ଲୋକ ହିସାବରେ ସେ ଭାରି ଭଲ ଥିଲେ, ତେଣୁ ତାଙ୍କର ଆଦେଶଗୁଡ଼ାକ ମଧ୍ୟ ବେଶ୍‍ ଯୁକ୍ତିସଙ୍ଗତ ଥିଲା ।

 

ସେ ବେଳେ ବେଳେ ଉଦାହରଣ ଦେଇ କହୁଥିଲେ, “ଯଦି ମୁଁ ମୋର ଜଣେ ସେନାପତିକୁ ସମୁଦ୍ରର ଗୋଟାଏ ଜଳଚର ପକ୍ଷୀର ରୂପ ଧାରଣ କରିବାକୁ କହିବି ଏବଂ ସେନାପତି ଯଦି ମୋର ଆଦେଶକୁ ପାଳନ କରି ନ ପାରିବ, ତେବେ ତାହା ସେନାପତିର ଦୋଷ ହେବ ନାହିଁ, ସେ ଦୋଷ ମୋର ହେବ ।’’

 

‘‘ଆଜ୍ଞା ମୁଁ ଟିକିଏ ବସନ୍ତି’’–ଅତି ଶିଷ୍ଟ ଓ ଅଧସ୍ତନ ଭାବରେ ରାଜକୁମାର ପଚାରିଲା ।

 

ରାଜା ଉତ୍ତର ଦେଇ କହିଲେ, ‘‘ମୁଁ ତୋତେ ବସିବାକୁ ଆଦେଶ ଦେଉଚି !” ଏତକ କହି ଗୋଟାଏ ବଡ଼ ଅଭିମାନପୂର୍ଣ୍ଣ ଭଙ୍ଗୀରେ ସେ ଆପଣାର ପୋଷାକଗୁଡ଼ାକୁ ଟିକିଏ ପାଖକୁ ଜାକି ଆଣିଲେ ।

 

କିନ୍ତୁ ଏହିସବୁ ବ୍ୟାପାର ଦେଖି ରାଜକୁମାରକୁ ବେଳକୁ ବେଳ ଅଧିକ ଆଶ୍ଚର୍ଯ୍ୟ ଲାଗୁଥାଏ । ଏହି ଗ୍ରହଟା ତ ଏଡ଼େ ଛୋଟ–ତେବେ ରାଜାଙ୍କ ରାଜ୍ୟ ଆଉ କେଉଁଠି ଅଛି ?

 

ସାହସ ଧରି ସେ ରାଜାଙ୍କୁ ପଚାରିଲା, “ଆଜ୍ଞା, ଆଦେଶ ହେଲେ ମୁଁ ଆପଣଙ୍କୁ ଗୋଟାଏ ପ୍ରଶ୍ନ ପଚାରନ୍ତି ।’’

 

ତାକୁ ନିର୍ଭର ଦେବା ଉଦ୍ଦେଶ୍ୟରେ ରାଜ ତରତର କରି କହିଲେ, “ଆଚ୍ଛା, ମୋତେ ଗୋଟିଏ ପ୍ରଶ୍ନ ପଚାରିବା ଲାଗି ମୁଁ ତୋତେ ଆଦେଶ ଦେଉଚି !”

 

“ଆଜ୍ଞା, ଆପଣ ଏଠି କାହା ଉପରେ ରାଜତ୍ଵ କରନ୍ତି ?”

 

“ଏଇ ସକଳ ରାଜ୍ୟ ଉପରେ !” –ରାଜା ଅତ୍ୟନ୍ତ ସହଜ ଭାବରେ ଉତ୍ତର ଦେଲେ ।

 

“ସକଳ ରାଜ୍ୟ ଉପରେ ?”

 

ରାଜା ଆପଣାର ହାତକୁ ଥରେ ମଣ୍ଡଳାକାରରେ ବୁଲାଇ ଆଣିଲେ । ତା’ର ଅର୍ଥ ହେଉଚି, ତାଙ୍କର ନିଜ ଗ୍ରହ, ଅନ୍ୟାନ୍ୟ ସମସ୍ତ ଗ୍ରହ ଓ ସମସ୍ତ ନକ୍ଷତ୍ରକୁ ସେ ଆପଣାର ରାଜ୍ୟ ବୋଲି ଦେଖାଇଦେଲେ ।

 

“ଏହି ସକଳ ଉପରେ ?” ରାଜକୁମାର ପଚାରିଲା !

 

“ହଁ, ଏହି ସକଳ ଉପରେ ।’’ –ରାଜା ଉତ୍ତର ଦେଲେ ।

 

କାରଣ ତାଙ୍କର ରାଜତ୍ଵ କେବଳ ଏକଛତ୍ର ନ ଥିଲା, ତାହା ବ୍ରହ୍ମାଣ୍ଡବ୍ୟାପୀ ଥିଲା ।

 

‘‘ତେବେ ଏହି ନକ୍ଷତ୍ରମାନେ କ’ଣ ଆପଣଙ୍କର ଆଦେଶ ମାନନ୍ତି ?”

 

‘‘ନିଶ୍ଚୟ ମାନନ୍ତି’’–ରାଜା ଉତ୍ତର ଦେଲେ । “ମୋର ଆଦେଶ ମାତ୍ରକେ ତତ୍‍କ୍ଷଣାତ୍‍ ସେମାନେ ମୋର ଆଦେଶ ପାଳନ କରିବାକୁ ବାଧ୍ୟ । ମୁଁ କୌଣସି ପ୍ରକାରର ଅବାଧ୍ୟତା ସହ୍ୟ କରିପାରେ ନାହିଁ ।’’

 

ରାଜାଙ୍କର ଏତେ କ୍ଷମତାର କଥା ଶୁଣି ରାଜକୁମାରକୁ ଭାରି ଆଶ୍ଚର୍ଯ୍ୟ ଲାଗିଲା । ଯଦି ତା’ର ନିଜର ଏତେ କର୍ତ୍ତୃତ୍ଵ ବା କ୍ଷମତା ଥାଆନ୍ତା, ତେବେ ସେ ଦିନକୁ ଚଉରାଳିଶ ଥର ପରିବର୍ତ୍ତରେ ବାସ୍ତରି, ଏପରିକି ଶହେ ବା ଦୁଇଶହ ଥର ସୂର୍ଯ୍ୟାସ୍ତ ଦେଖିପାରନ୍ତା ଏବଂ ତାହା ଦେଖିବାକୁ ଆପଣାର ଚଉକିଟିକୁ ଟିକିଏ ହେଲେ ଘୁଞ୍ଚାଇବାକୁ ମଧ୍ୟ ପଡ଼ନ୍ତା ନାହିଁ । ଏତିକିବେଳେ ତା’ରି ଆପଣା ଗ୍ରହଟିର କଥା ମନେ ପଡ଼ିଗଲା । ସେ କେଉଁଦିନରୁ ତାକୁ ଛାଡ଼ି କେତେ ଦୂରକୁ ଚାଲି ଆସିଲାଣି ।

 

ଏହିସବୁ କଥା ମନେପଡ଼ି ତାକୁ ଭାରି ଦୁଃଖ ଲାଗିଲା । ତଥାପି କିଞ୍ଚିତ୍‍ ସାହସ ସଂଗ୍ରହ କରି ସେ ରାଜାଙ୍କୁ ଗୋଟାଏ ସୁଯୋଗ ଭିକ୍ଷା କଲା,

 

‘‘ମୋର ସୂର୍ଯ୍ୟାସ୍ତ ଦେଖିବାକୁ ଭାରି ଇଚ୍ଛା ହେଉଚି । ମୋତେ ଆପଣ ଟିକିଏ ଅନୁଗ୍ରହ କରନ୍ତେ ନାହିଁ ? ଏହି ସୂର୍ଯ୍ୟକୁ ଆପଣ ବର୍ତ୍ତମାନ ଅସ୍ତ ହୋଇଯିବାକୁ ଆଦେଶ ଦିଅନ୍ତେ ନାହିଁ ?”

 

‘‘ପ୍ରଜାପତି ପରି ଗୋଟାଏ ଫୁଲରୁ ଆଉ ଗୋଟାଏ ଫୁଲକୁ ଉଡ଼ିଯିବାକୁ ଯଦି ମୁଁ ମୋର ଜଣେ ସେନାପତିକୁ ଆଦେଶ ଦେବି, ଯଦି ତାକୁ ମୁଁ ଗୋଟାଏ ବିୟୋଗାନ୍ତକ ନାଟକ ଲେଖିବାକୁ କହିବି ବା ତାକୁ ଗୋଟାଏ ସମୁଦ୍ରୀ ଚଢ଼େଇରେ ପରିଣତ ହୋଇଯିବାକୁ କହିବି ଏବଂ ଯଦି ସେହି ସେନାପତି ମୋର ଆଦେଶକୁ ପାଳନ କରି ନ ପାରିବ, ତେବେ ତାହା କାହାର ଭୁଲ ହେବ, ସେନାପତିର ନା ମୋର ?” ରାଜା ପଚାରିଲେ ।

 

‘‘ଆପଣଙ୍କର’’–ବୁଝିଗଲା ପରି ରାଜକୁମାର ଉତ୍ତର ଦେଲା ।

 

‘‘ଠିକ୍ । ତେଣୁ ଯିଏ ଯେଉଁପରି ଆଦେଶ ପାଳନ କରିପାରିବ, ତାକୁ ସେହିପରି ଆଦେଶ ହିଁ ଦିଆଯିବା ଉଚିତ ।’’–ରାଜା ପୁଣି କହିବାକୁ ଲାଗିଲେ, ‘‘ଯେଉଁ କର୍ତ୍ତୃତ୍ଵ ଆଗ ବିଚାରକୁ ମାନେ, ସେହି କର୍ତ୍ତୃତ୍ଵକୁ ସମସ୍ତେ ମାନନ୍ତି । ଯଦି ତୁମର ପ୍ରଜାମାନଙ୍କୁ ତୁମେ ସମୁଦ୍ରକୁ ଯାଇ ବୁଡ଼ି ମରିବାକୁ ଆଦେଶ ଦେବ, ତେବେ ସେମାନେ ତୁମ ବିରୋଧରେ ବିଦ୍ରୋହ କରିବାକୁ ବାହାରିବେ । ମୋର ଆଦେଶମାନ ସବୁବେଳେ ଯୁକ୍ତିସଙ୍ଗତ । ତେଣୁ ତାକୁ ସମସ୍ତେ ମାନନ୍ତୁ, ଏପରି ଦାବି କରିବାର ଅଧିକାର ମଧ୍ୟ ମୋର ଅବଶ୍ୟ ରହିଚି ।’’

 

‘‘ତେବେ ମୋର ସୂର୍ଯ୍ୟାସ୍ତ ବିଷୟରେ କ’ଣ ହେଲା ?” –ରାଜକୁମାର ପୁଣି ମନେ ପକାଇଦେଇ କହିଲା । ଗୋଟାଏ ପ୍ରଶ୍ନର ଉତ୍ତର ନ ପାଇବା ପର୍ଯ୍ୟନ୍ତ ସେ କଦାପି ଆପଣାର ପ୍ରଶ୍ନ ପଚାରିବାରୁ କ୍ଷାନ୍ତ ହେଉ ନ ଥିଲା ।

 

‘‘ତୋର ସୂର୍ଯ୍ୟାସ୍ତ ତୋତେ ଅବଶ୍ୟ ମିଳିବ । ମୁଁ ଅବଶ୍ୟ ସେହି ଆଦେଶ ଦେବି । କିନ୍ତୁ ମୋର ରାଜ୍ୟଶାସନର ବିଜ୍ଞାନ ଅନୁସାରେ ସେଥିଲାଗି ଅନୁକୂଳ ଅବସ୍ଥା ଆସି ପହଞ୍ଚିବା ପର୍ଯ୍ୟନ୍ତ ମୋତେ ଅପେକ୍ଷା କରିବାକୁ ପଡ଼ିବ ।’’

 

‘‘ତେବେ ତାହା କେଉଁ ସମୟକୁ ସମ୍ଭବ ହୋଇପାରିବ ?” –ଟିକି ରାଜକୁମାର ପଚାରିଲା ।

 

‘‘ହୁଁ–ହୁଁ !” ରାଜା ଉତ୍ତର ଦେଲେ, ତା’ପରେ କୌଣସି କଥା ନ କହି ସେ ଗୋଟାଏ ବିରାଟ ପାଞ୍ଜି ଘାଣ୍ଟିବାକୁ ଲାଗିଲେ । ‘‘ହୁଁ–ହୁଁ ! ପ୍ରାୟ–ପ୍ରାୟ–ଆଜି ସନ୍ଧ୍ୟା ସାତଟା ଚାଳିଶ ମିନିଟରେ ତାହା ସମ୍ଭବ ହୋଇପାରିବ । ସେତିକିବେଳେ ତୁ ଦେଖିବୁ, କିପରି ସମସ୍ତେ ମୋର ଆଦେଶକୁ ଠିକ୍‍ ଠିକ୍‍ ପାଳନ କରିବେ ।’’

 

ରାଜକୁମାର ପୁଣି ହାଇ ମାରିଲା । ହରାଇଥିବା ସୂର୍ଯ୍ୟାସ୍ତ ପାଇଁ ତା’ର ମନରେ ଭାରି ଦୁଃଖ ହେଉଥାଏ । ଏହି ଗ୍ରହଟାରେ ମଧ୍ୟ ତାକୁ କ୍ରମେ ବିରକ୍ତ ଲାଗି ଆସୁଥାଏ ।

 

ସେଇଠୁ ସେ ରାଜାଙ୍କୁ କହିଲା, ‘‘ଏଠାରେ ମୋର ଆଉ ଅଧିକ କିଛି କରିବାର ନାହିଁ । ତେଣୁ ଏଥର ମୋତେ ପୁଣି ମୋ ବାଟରେ ବାହାରିବାକୁ ପଡ଼ିବ ।’’

 

ଏତେଦିନକେ ଜଣେ ପ୍ରଜା ପାଇଥିବାରୁ ରାଜା ଭାରି ଗର୍ବ ଅନୁଭବ କରୁଥିଲେ । ତେଣୁ ସେ ରାଜକୁମାରକୁ ଯିବାକୁ ଦିଅନ୍ତେ କିପରି ? ସେ ତାକୁ ଉତ୍ତର ଦେଇ କହିଲେ,

 

“ନାଇଁ, ତୁ ଯାଆ ନାହିଁ । ମୁଁ ତୋତେ ଗୋଟାଏ ମନ୍ତ୍ରୀ କରିଦେବି ।’’

 

‘‘କି ମନ୍ତ୍ରୀ ?”

 

‘‘ବିଚାର–ବିଭାଗର ମନ୍ତ୍ରୀ ।’’

 

‘‘କିନ୍ତୁ ଏଠି ତ କେହି ନାହାନ୍ତି । ତେବେ ମୁଁ କାହା ଉପରେ ବିଚାର କରିବି ?”

 

ରାଜା କହିଲେ, “ଏଠି କେହି ନାହାନ୍ତି ବୋଲି କିଏ କହିପାରିବ ? ମୁଁ ତ ଏପର୍ଯ୍ୟନ୍ତ ମୋ ରାଜ୍ୟର ସମସ୍ତ ସ୍ଥାନ ବୁଲିକରି ଦେଖି ନାହିଁ । ମୁଁ ଭାରି ବୁଢ଼ା ହୋଇଗଲିଣି ।’’

 

‘‘ଆଜ୍ଞା, ମୁଁ ସବୁଆଡ଼ ବୁଲି ଦେଖି ସାରିଲିଣି ।’’–ଗ୍ରହର ଆରପାଖକୁ ଆଉଥରେ ଅନାଇ ଦେଇ ରାଜକୁମାର କହିଲା । ସେପାଖ ଆଉ ଏପାଖ, କୌଣସି ପାଖରେ ହିଁ ସେ କାହାରିକୁ ଦେଖିବାକୁ ପାଇଲା ନାହିଁ ।

 

‘‘ତେବେ ତୁ ନିଜ ଉପରେ ନିଜେ ବିଚାର କରିବୁ,”–ରାଜା ଉତ୍ତର ଦେଲେ । “ସେଇଟା ହେଉଛି ସବୁଠାରୁ ବଡ଼ କଷ୍ଟ କାମ । ଅନ୍ୟମାନଙ୍କର ବିଚାର କରିବା ଅପେକ୍ଷା ଆପଣାର ବିଚାର କରିବା ଅଧିକ କଷ୍ଟକର । ଯଦି ତୁ ଆପଣାକୁ ଠିକ୍‍ ଭାବରେ ବିଚାର କରିପାରିବୁ, ତେବେ ତୋତେ ଯଥାର୍ଥରେ ଜଣେ ବିଜ୍ଞଲୋକ ବୋଲି କୁହାଯାଇପାରିବ ।’’

 

“ହଁ,–’’ ରାଜକୁମାର କହିଲା,–“କିନ୍ତୁ ମୁଁ ଯେକୌଣସି ସ୍ଥାନରେ ଥାଇ ମଧ୍ୟ ଆପଣାର ବିଚାର କରିପାରିବି । ସେଥିପାଇଁ କେବଳ ଏହି ଗ୍ରହରେ ରହିବା କି ଦରକାର ?”

 

“ହୁଁ–ହୁଁ ।’’ ରାଜା ଉତ୍ତର ଦେଲେ । “ମୋର ଭାରି ବିଶ୍ଵାସ ହେଉଛି ଯେ ଏହି ଗ୍ରହରେ କୌଣସି ଜାଗାରେ ଗୋଟାଏ ବୁଢ଼ା ମୂଷା ଅଛି । ରାତିରେ ମୁଁ ତା’ର ଖୁଡ଼୍‍ଖାଡ଼୍‍ ଶବ୍ଦ ଶୁଣିବାକୁ ପାଏ-। ତୁ ଇଚ୍ଛାକଲେ ଏହି ବୁଢ଼ା ମୂଷାର ବିଚାର କରିପାରିବୁ । ଯେତେଥର ବିଚାର କରିବୁ, ତାକୁ ତୁ ସେତେଥର ଫାଶୀଦଣ୍ଡର ହୁକୁମ ଦେବୁ । ତେଣୁ ତା’ର ଜୀବନ ନିରନ୍ତର ତୋ’ର ନ୍ୟାୟବିଚାର ଉପରେ ନିର୍ଭର କରି ରହିଥିବ । କିନ୍ତୁ ସବୁଥର ତାକୁ ତୋତେ କ୍ଷମା ଦେବାକୁ ପଡ଼ିବ-। କାରଣ ଆମକୁ ତା’ ସହିତ ଖୁବ୍‍ ମିତବ୍ୟୟୀ ଭାବରେ ବ୍ୟବହାର କରିବାକୁ ହେବ । ସେ ପରା ଆମ ରାଜ୍ୟର ସେଇ ଗୋଟିଏ ବୋଲି ମୂଷା !”

 

ଟିକି ରାଜକୁମାର କହିଲା–“କାହାରିକୁ ଫାଶୀର ହୁକୁମ ଦେବାକୁ ମତେ ଆଦୌ ଭଲ ଲାଗିବ ନାହିଁ । ହଁ, ମୁଁ ଭାବୁଚି ମତେ ବର୍ତ୍ତମାନ ଯିବାକୁ ହେବ ।’’

 

“ନାଇଁ’’–ରାଜା ଆପତ୍ତି କରି କହିଲେ ।

 

କିନ୍ତୁ ସେଠାରୁ ଚାଲିଯିବ ବୋଲି ରାଜକୁମାର ପ୍ରସ୍ତୁତ ହୋଇ ସାରିଥିଲା । ବିଚାରା ବୁଢ଼ାରାଜାଙ୍କ ମନରେ ଦୁଃଖ ଦେବାଲାଗି ତା’ର ଆଦୌ ଇଚ୍ଛା ନ ଥିଲା । ସେ କହିଲା–

 

“ଆଜ୍ଞା, ଛାମୁଙ୍କର ଆଦେଶ କେହି ତୁରନ୍ତ ପାଳନ କରୁ ବୋଲି ଯଦି ଛାମୁ ଚାହାନ୍ତି, ତେବେ ମୋତେ ମଣିମାଙ୍କଠାରୁ ବର୍ତ୍ତମାନ ଗୋଟାଏ ଯୁକ୍ତିସଙ୍ଗତ ଆଦେଶ ହେବା ଉଚିତ । ଉଦାହରଣସ୍ୱରୂପ, ଗୋଟାଏ ମିନିଟରେ ଏହି ଗ୍ରହ ଛାଡ଼ି ଅନ୍ୟତ୍ର ଚାଲିଯିବା ଲାଗି ଛାମୁଙ୍କର ମୋତେ ଆଦେଶ ହେବା ଉଚିତ । ମୁଁ ଭାବୁଚି, ସେହିପରି ଏକ ଆଦେଶ ପାଳନ କରିବା ଲାଗି ବର୍ତ୍ତମାନ ଅନୁକୂଳ ଅବସ୍ଥା ଆସି ପହଞ୍ଚିଚି ।’’

 

ରାଜା ଆଉ କିଛି କହିଲେ ନାହିଁ । ତେଣୁ ମୁହୂର୍ତ୍ତକ ପାଇଁ ରାଜକୁମାର ଟିକିଏ କୁଣ୍ଠା ଅନୁଭବ କଲା । ତା’ପରେ ଦୀର୍ଘ ନିଃଶ୍ଵାସଟିଏ ପକାଇ ସେ ସେଠାରୁ ବାହାରି ପଡ଼ିଲା ।

 

ତରତର ହୋଇ ରାଜା ଆଦେଶ ଶୁଣାଇ କହିଲେ–“ମୁଁ ତୋତେ ମୋର ରାଷ୍ଟ୍ରଦୂତ କରିଦେଉଚି ।’’ ରାଜକୁମାର ସତେଅବା ତାଙ୍କରି ଆଦେଶ ମାନି ତାଙ୍କର ଦୂତ ହୋଇ ଯାଉଚି, ଏପରି ଭାବି ସେ ଭାରି ଗର୍ବ ଅନୁଭବ କରୁଥାନ୍ତି ।

 

“ବୟସ୍କ ମଣିଷଗୁଡ଼ାକ ଭାରି ଅଦ୍ଭୁତ”–ଗଲାବେଳେ ରାଜକୁମାର ମନେମନେ ଭାବୁଥାଏ ।

 

।। ଏଗାର ।।

Image

ଦ୍ଵିତୀୟ ଗ୍ରହରେ ଜଣେ ଭାରି ଗର୍ବୀଲୋକ ବାସ କରୁଥିଲା ।

 

‘‘ଆହା–ହା ! ମୋତେ ପ୍ରଶଂସା କରିବା ଲାଗି ଜଣେ ଲୋକ ଆସିଲାଣି,’’–ରାଜକୁମାରକୁ ଦୂରରୁ ଆସୁଥିବାର ଦେଖି ସେ ମନେମନେ ଭାବିବାକୁ ଲାଗିଲା ।

 

କାରଣ ଗର୍ବୀଲୋକ ସବୁବେଳେ ଭାବେ ଯେ ଅନ୍ୟ ସମସ୍ତେ କେବଳ ତାହାରି ପ୍ରଶଂସା ହିଁ କରନ୍ତି ।

 

“ନମସ୍କାର”–ରାଜକୁମାର ପହଞ୍ଚି ପ୍ରଣାମ କଲା । “ସିଏ ଗୋଟାଏ କି ଟୋପି ଆପଣ ପିନ୍ଧିଛନ୍ତି ?”

 

ଗର୍ବୀଲୋକଟି ଉତ୍ତର ଦେଲା, ‘‘ସେ ଟୋପିଟା ପରା ନମସ୍କାର କରିବାକୁ ! ଯେତେବେଳେ ଲୋକମାନେ ମୋର ଗୁଣଗାନ କରିବାକୁ ଆସିବେ, ସେତିକିବେଳେ ସେମାନଙ୍କ ପ୍ରତି ପ୍ରତିନମସ୍କାର ଜଣାଇ ମୋତେ ଏହି ଟୋପିଟାକୁ ଉଠାଇବାକୁ ପଡ଼ିବ । କିନ୍ତୁ ଅତି ଦୁର୍ଭାଗ୍ୟର ବିଷୟ ଯେ ଏହି ବାଟ ଦେଇ କେବେ କୌଣସି ଲୋକ ଯାଆନ୍ତି ନାହିଁ ।’’

 

‘‘ସତେ ?’’ –ଟିକି ରାଜକୁମାର ଉତ୍ତର ଦେଲା । ଗର୍ବୀଲୋକ କହୁଥିବା କଥାଗୁଡ଼ିକର ଅର୍ଥକୁ ସେ ସମ୍ପୂର୍ଣ୍ଣରୂପେ ବୁଝିପାରୁ ନ ଥାଏ ।

 

ତା’ପରେ ଗର୍ବୀଲୋକଟି ରାଜକୁମାରକୁ ନିର୍ଦ୍ଦେଶ ଦେଲା, ‘‘ତୋର ଗୋଟାଏ ହାତକୁ ଆଉ ଗୋଟାଏ ହାତରେ ବଜାଇ ତୁ ଜୋର୍‍କରି ତାଳି ମାର !’’

 

ନିର୍ଦ୍ଦେଶମତେ ରାଜକୁମାର ତାଳି ମାରିଲା । ବିନମ୍ର ପ୍ରତିନମସ୍କାର ଜଣାଇ ଗର୍ବୀଲୋକଟି ଟୋପି ଉଠାଇବାକୁ ଲାଗିଲା ।

 

‘‘ରାଜାଙ୍କ ସହିତ ସାକ୍ଷାତ୍‍ କରିବା ଅପେକ୍ଷା ଏଠାରେ ବେଶ୍‍ ଅଧିକ ମଜା ଲାଗୁଚି’’,–ରାଜକୁମାର ମନେମନେ ଭାବୁଥାଏ । ସେ ପୁଣି ଥରେ ହାତରେ ହାତ ବାଡ଼େଇ ତାଳି ମାରିବାରେ ଲାଗିଲା । ଗର୍ବୀଲୋକ ପୁଣି ଆପଣାର ଟୋପି ଉଠାଇ ପ୍ରତିନମସ୍କାର ଜଣାଇଲା ।

 

ପାଞ୍ଚମିନିଟ୍‍ ପର୍ଯ୍ୟନ୍ତ ଏହିପରି ବାରମ୍ବାର କସରତ କରିସାରିବା ପରେ ରାଜକୁମାରକୁ ଏହି ଖେଳରୁ କୌଣସି ଆନନ୍ଦ ମିଳିଲା ନାହିଁ । ସେ ପଚାରିଲା,

 

‘‘ଆଚ୍ଛା, ଟୋପିଟିକୁ ପୁଣି ମୁଣ୍ଡ ଉପରକୁ ଆଣିବାକୁ ହେଲେ କ’ଣ କରିବାକୁ ପଡ଼ିବ ?’’

 

କିନ୍ତୁ ଗର୍ବୀଲୋକଟି ତା’ର କଥାକୁ ଆଦୌ ଶୁଣିପାରିଲା ନାହିଁ । କେବଳ ଆପଣାର ପ୍ରଶଂସା ବ୍ୟତୀତ ଗର୍ବୀଲୋକମାନେ ଆଉ କୌଣସି କଥା ଶୁଣିପାରନ୍ତି ନାହିଁ । କିଛି ସମୟ ପରେ ସେ ରାଜକୁମାରକୁ ପଚାରିଲା–

 

‘‘ସତରେ କ’ଣ ତୁ ମତେ ଭାରି ପ୍ରଶଂସା କରୁଚୁ, ମତେ ଭାରି ବଡ଼ ବୋଲି ମନେ କରୁଚୁ ?’’

 

‘‘ବଡ଼ ମନେ କରୁଚୁ ? –ତା’ର ପୁଣି ଅର୍ଥ କ’ଣ ?’’

 

‘‘ତୁ ମତେ ବଡ଼ ମନେ କରୁଚୁ ବା ପ୍ରଶଂସା କରୁଚୁ,–ତା’ର ଅର୍ଥ ହେଉଚି ଯେ ଏହି ଗ୍ରହ ଉପରେ ତୁ ମତେ ସମସ୍ତଙ୍କଠାରୁ ଅଧିକ ସୁନ୍ଦର, ସମସ୍ତଙ୍କଠାରୁ ଅଧିକ ଭଲ ପୋଷାକ ପିନ୍ଧିଥିବା ଓ ସମସ୍ତଙ୍କଠାରୁ ଅଧିକ ବୁଦ୍ଧିଆ ମଣିଷ ବୋଲି ସ୍ଵୀକାର କରୁଚୁ ।’’

 

“କିନ୍ତୁ ତୁମ ଗ୍ରହରେ ତ ତୁମକୁ ଛାଡ଼ିଦେଲେ ଆଉ ଦ୍ଵିତୀୟ ଲୋକ କେହି ନାହାନ୍ତି !”

 

‘‘ସେଥିରେ କିଛି ଯାଏଆସେ ନାହିଁ । ତଥାପି ତୁ ମତେ ଟିକିଏ ପ୍ରଶଂସା କର, ଦୟାକରି ତୁ ମୋତେ ସମସ୍ତଙ୍କଠାରୁ ବଡ଼ ବୋଲି କହ !”

 

ଟିକିଏ ବିରକ୍ତି ସହିତ ଭ୍ରୂକୁଞ୍ଚନ କରି ରାଜକୁମାର କହିଲା, “ହଉ, ମୁଁ ତୁମକୁ ପ୍ରଶଂସା କରୁଚି; କିନ୍ତୁ ଏଥିରେ ଏପରି କ’ଣ ଅଛି ଯେ ସେଥିରେ ତୁମକୁ ଏତେ ବେଶି ଆନନ୍ଦ ମିଳୁଚି ?”

 

ଏତକ କହି ରାଜକୁମାର ସେଠାରୁ ଯିବ ବୋଲି ବାହାରିଲା ।

 

“ଏ ବୟସ୍କ ଲୋକଗୁଡ଼ାକ ସତରେ ଭାରି ଅଦ୍ଭୁତ’’–ଗଲାବେଳେ ସେ ମନେମନେ କହି କହି ଗଲା ।

 

।। ବାର ।।

Image

ପରବର୍ତ୍ତୀ ଗ୍ରହରେ ଜଣେ ମଦ୍ୟପ ବାସ କରୁଥିଲା । ଏଠାରେ ରାଜକୁମାର ଅତି ଅଳ୍ପ ସମୟ ରହିଲା, ତଥାପି ଏଠାକାର କଥା ଦେଖିସାରିବା ପରେ ସେ ଅତିଶୟ କ୍ଷୁଣ୍ଣ ଓ ଉଦାସୀନ ହୋଇ ପଡ଼ିଲା ।

 

‘‘ତୁ କ’ଣ କରୁଚୁ ?” –ସେ ମଦ୍ୟପର ପାଖକୁ ଯାଇ ତାକୁ ପଚାରିଲା । ମଦ୍ୟପ ଚୁପ୍‍କରି ଚଉକି ଉପରେ ବସିଥାଏ । ତା’ ଆଗରେ ପଡ଼ିଥିବା ଟେବୁଲ ଉପରେ ଗୋଟାଏ ପାଖରେ ଗଦାଏ ଖାଲି ବୋତଲ ଓ ଆଉ ଗୋଟାଏ ପାଖରେ ଗଦାଏ ପୂରା ବୋତଲ ଜମା ହୋଇଥାଏ ।

 

‘‘ମୁଁ ମଦ ପିଉଚି !” –ଟିକିଏ ଦୁଃଖିତ ହେଲାପରି ମଦ୍ୟପ ଉତ୍ତର ଦେଲା ।

 

‘‘ତୁ କାହିଁକି ମଦ ପିଉଚୁ ?” –ରାଜକୁମାର ପଚାରିଲା ।

 

‘‘ମୁଁ ଭୁଲିଯିବା ପାଇଁ ମଦ ପିଉଚି !” –ମଦ୍ୟପ ଉତ୍ତର ଦେଇ କହିଲା ।

 

‘‘କ’ଣ ଭୁଲିଯିବା ପାଇଁ ?” –ରାଜକୁମାର ପୁଣି ପଚାରିଲା । ବିଚାରା ମଦ୍ୟପ ପ୍ରତି ସେ ସମବେଦନା ଅନୁଭବ କରୁଥିବା ପରି ମନେ ହେଉଥାଏ ।

 

‘‘ମୋର ଲଜ୍ଜା ଭୁଲିଯିବା ପାଇଁ”–ମଦ୍ୟପ ଉତ୍ତର ଦେଲା । ଆପଣାର ଅପରାଧ ସ୍ଵୀକାର କଲାପରି ତା’ର ମୁଣ୍ଡ ତଳକୁ ଝୁଲି ପଡ଼ିଥାଏ ।

 

‘‘ତୋର କି ଲଜ୍ଜା ?” –ରାଜକୁମାର ପଚାରିଲା । ମଦ୍ୟପର କୌଣସି ଦୁଃଖରେ ସେ ହୁଏତ କିଛି ସାହାଯ୍ୟ କରିବ ବୋଲି ଭାବୁଥିଲା ।

 

“ମଦ ପିଉଥିବାର ଲଜ୍ଜା !” –ଏତିକି କହି ସେ ତା’ର କଥା ସମାପ୍ତ କଲା; ସତେଅବା ଏକ ଅଭେଦ୍ୟ ନୀରବତା ଭିତରେ ସେ ଆପଣାକୁ ଅବରୁଦ୍ଧ କରି ରଖିଦେଲା !

 

ଟିକିଏ କିଂକର୍ତ୍ତବ୍ୟବିମୂଢ଼ ହୋଇଗଲା ପରି ରାଜକୁମାର ସେଠାରୁ ଯିବାକୁ ବାହାରିଲା ।

 

‘‘ଏହି ବୟସ୍କ ଲୋକଗୁଡ଼ାକ ପ୍ରକୃତରେ ଭାରି ଅଦ୍ଭୁତ”–ଗଲାବେଳେ ସେ ଆପଣା ମନେମନେ କହି କହି ଗଲା ।

 

।। ତେର ।।

 

ଚତୁର୍ଥ ଗ୍ରହକୁ ଯାଇ ଜଣେ ବ୍ୟବସାୟୀ ସହିତ ରାଜକୁମାରର ଭେଟ ହେଲା । ଏହି ବ୍ୟବସାୟୀଜଣକ ଏତେ କାର୍ଯ୍ୟବ୍ୟସ୍ତ ଥିଲା ଯେ ରାଜକୁମାର ତା’ପାଖରେ ଆସି ପହଞ୍ଚିବା ବେଳେ ମୁହଁ ଟେକି ଅନାଇବାକୁ ମଧ୍ୟ ସେ ସମୟ ପାଇଲା ନାହିଁ ।

 

“ନମସ୍କାର”–ରାଜକୁମାର ପହଞ୍ଚି ପ୍ରଣାମ କଲା । ‘‘ଆପଣଙ୍କ ମୁହଁର ସିଗାରେଟ୍‍ ପରା ନିଭିଗଲାଣି !”

Image

‘‘ଦୁଇ ଆଉ ତିନି ମିଶି ପାଞ୍ଚ । ପାଞ୍ଚ ଆଉ ସାତ ବାର । ବାରରେ ତିନି ମିଶିଲେ ପନ୍ଦର-। ନମସ୍କାର । ପନ୍ଦର ସାତ ବାଇଶି । ବାଇଶି ଛଅ ଅଠେଇଶି । ସିଗାରେଟ୍‍ଟାକୁ ଆଉଥରେ ଲଗାଇବା ପାଇଁ ମୋର ସମୟ ନାହିଁ । ଛବିଶି ଆଉ ପାଞ୍ଚ ମିଶି ଏକତିରିଶି । ଓହୋ-! ତା’ହେଲେ ସବୁ ମିଶି ହେଲା ପାଞ୍ଚଶହ ଏକ ନିୟୁତ, ଛଅଶହ ବାଇଶି ହଜାର ସାତଶହ ଏକତିରିଶି-!”

 

‘‘ପାଞ୍ଚଶହ ନିୟୁତ କ’ଣ ?” –ରାଜକୁମାର ପଚାରିଲା । ସେ ସେଇଠାରେ ଠିଆ ହୋଇ ରହି ହିସାବ ଦେଖୁଥିଲା ।

 

“ଏଁ–ତୁ ଏତେବେଳଯାଏ ସେଠି ଠିଆ ହୋଇଚୁ ? ପାଞ୍ଚଶହ ଏକ ନିୟୁତ,–ମୁଁ ମୋର କାମ ବନ୍ଦ କରିପାରିବି ନାହିଁ । ମୋର କେତେ କାମ ବାକି ପଡ଼ିଚି ! ମୁଁ କେଡ଼େ ଗୁରୁତର କଥାସବୁ ନେଇ ବ୍ୟସ୍ତ ଅଛି ! ୟାଡ଼ୁସାଡ଼ୁ କଥାରେ ଫୂର୍ତ୍ତି କରିବାକୁ ମୋର ଫୁରସତ୍‍ କାହିଁ ? ଦୁଇ ଆଉ ପାଞ୍ଚ ମିଶି ସାତ..... ।’’

 

“ପାଞ୍ଚଶହ ଏକ ନିୟୁତ କ’ଣ ?” –ଟିକି ରାଜକୁମାର ପୁଣି ପଚାରିଲା । ଥରେ ପଚାରିଥିବା ପ୍ରଶ୍ନର ଉତ୍ତର ନ ପାଇବାଯାଏ ସେ କଦାପି ସେହି ପ୍ରଶ୍ନ ପଚାରିବାରୁ ନିବୃତ୍ତ ହେଉ ନ ଥିଲା ।

 

ବ୍ୟବସାୟୀ ମୁଣ୍ଡ ଟେକି ଉପରକୁ ଅନାଇଲା ।

 

‘‘ମୋର ଏହି ଗ୍ରହରେ ବାସ କରିବା ଆଜିକୁ ଚଉବନ ବର୍ଷ ହୋଇଗଲା । ଏହି ଚଉବନ ବର୍ଷ ଭିତରେ ମାତ୍ର ତିନୋଟି ଥର ମୁଁ ମୋ କାମରେ ବାଧା ପାଇଚି । ବାଇଶି ବର୍ଷ ତଳେ କୁଆଡ଼ୁ ଗୋଟାଏ ହଂସ ଆସି ଝାଇଁ ଝାଇଁ ହୋଇ ଏଠାରେ ନଥ୍‍ କରି ପଡ଼ିଗଲା । ସେ ପଡ଼ିଯିବା ଫଳରେ ଗୋଟାଏ ବିରାଟ ଶବ୍ଦ ହେଲା ଓ ସେହି ଶବ୍ଦରେ ଚାରିଆଡ଼ କମ୍ପି ଉଠିଲା । ଏହି ବିଘ୍ନ ହେତୁ ମୋର ମିଶାଣରେ ଚାରିଟା ଭୁଲ ହୋଇଯାଇଥିଲା । ଦ୍ଵିତୀୟଥରଟା ଏଗାର ବର୍ଷ ତଳର କଥା । ସେତେବେଳେ ମୁଁ ହଠାତ୍‍ ବାତରୋଗରେ ପଡ଼ିଗଲି । ମୁଁ ତ ଯଥେଷ୍ଟ ବ୍ୟାୟାମ କରିପାରେ ନାହିଁ । ଦଉଡ଼ିବାକୁ କି ବୁଲାଚଲା କରିବାକୁ ମୋର ବେଳ କାହିଁ ? ତୃତୀୟଥର ହେଉଚି–ଆଜି । ହଁ, ମୁଁ କ’ଣ କହୁଥିଲିଟି ? ପାଞ୍ଚଶହ ଏକ ନିୟୁତ–’’

 

‘‘ପାଞ୍ଚଶହ ଏକ ନିୟୁତ କି ଜିନିଷ ?”

 

ବ୍ୟବସାୟୀକୁ ଏକଥା ବୁଝିବାକୁ ବେଶି ବେଳ ଲାଗିଲା ନାହିଁ ଯେ ରାଜକୁମାରର ପ୍ରଶ୍ନର ଉତ୍ତର ନ ଦେବାଯାଏ ଆଉ ତା’ଠାରୁ ନିସ୍ତାର ପାଇବାର ଉପାୟ ନାହିଁ ।

 

‘‘ପାଞ୍ଚଶହ ଏକ ନିୟୁତ ଏକ ଛୋଟିଆ ଛୋଟିଆ ଜିନିଷ, ଯାହାକୁ କି ଆମେ ବେଳେବେଳେ ଆକାଶରେ ଦେଖିବାକୁ ପାଉ ।’’

 

“ମାଛି ?”

 

‘‘ନାଇଁ–ନାଇଁ । ଛୋଟିଆ ଛୋଟିଆ ଚକଚକ କରୁଥିବା ଜିନିଷ ।’’

 

‘‘ମହୁମାଛି ?”

 

‘‘ଉହୁଁ । ଛୋଟିଆ ଛୋଟିଆ ସୁନେଲି ରଙ୍ଗର ଜିନିଷମାନ, ଯାହାକୁ ଦେଖିଲେ କୌଣସି କାମ ନ ଥିବା ଲୋକମାନେ କେତେ କ’ଣ ସ୍ଵପ୍ନ ଭାସିଯାଆନ୍ତି । କିନ୍ତୁ ମୁଁ ସେପରି ଭାସିଯିବା ଲୋକ ନୁହେଁ । ମୁଁ ଅନେକ ଗୁରୁତର ବିଷୟ ନେଇ ଆପଣାକୁ ସବୁବେଳେ ବ୍ୟସ୍ତ ରଖିଥାଏ । ମୋ ଜୀବନରେ ଅଳସ ସ୍ଵପ୍ନ ଦେଖିବାକୁ ବେଳ କାହିଁ ?”

 

“ଓ–ହୋ ! ତୁମେ ଆଉ ତାରାମାନଙ୍କର କଥା କହୁଚ କି ?”

 

‘‘ହଁ, ଠିକ୍‍ ଠିକ୍‍ । ସେଇ ତାରାମାନଙ୍କର କଥା ।’’

 

“କିନ୍ତୁ ପାଞ୍ଚ ଶହ ନିୟୁତ ତାରା ନେଇ ତୁମେ କର କ’ଣ ?”

 

“ପାଞ୍ଚ ଶହ ଏକ ନିୟୁତ, ଛଅ ଶହ ବାଇଶିହଜାର ସାତଶହ ଏକତିରିଶି । ମୁଁ ଗୁରୁତର ବିଷୟ ନେଇ କାରବାର କରେ । କିନ୍ତୁ ମୋତେ ସବୁବେଳେ ବିଲ୍‍କୁଲ୍‍ ଠିକ୍‍ ଠିକ୍‍ ହିସାବ କରି ରଖିବାକୁ ହୁଏ ।’’

 

“କିନ୍ତୁ ଏତେଗୁଡ଼ାକ ତାରା ନେଇ ତୁମେ କ’ଣ କର ?”

 

“ମୁଁ କ’ଣ କରେ ?”

 

“ହଁ ।’’

 

‘‘କିଛି ନାହିଁ । ସେସବୁ ମୋର ସମ୍ପତ୍ତି ହୋଇ ରହନ୍ତି ।’’

 

‘‘ତାରାଗୁଡ଼ାକ ତୁମର ସମ୍ପତ୍ତି ହୋଇ ରହନ୍ତି ?”

 

‘‘ହଁ ।’’

 

“କିନ୍ତୁ ମୁଁ ଆଗରୁ ଏମିତି ଜଣେ ରାଜା ଦେଖିଚି– ।’’

 

‘‘ରାଜାମାନେ ସମ୍ପତ୍ତି ରଖନ୍ତି ନାହିଁ, ସେମାନେ ଶାସନ କରନ୍ତି । ସେ ଏକାବେଳେକେ ଏକ ଭିନ୍ନ କଥା ।’’

 

‘‘ତାରାଗୁଡ଼ାଙ୍କୁ ସମ୍ପତ୍ତି କରି ରଖି ତୁମର କି ଲାଭ ହୁଏ ?”

 

‘‘ତା’ହେଲେ ମୁଁ ଜଣେ ଭାରି ବଡ଼ ଧନବାନ୍‍ ଲୋକ ହୋଇଯାଏ ।’’

 

‘‘ଧନବାନ୍‍ ଲୋକ ହୋଇ ତୁମର କି ଲାଭ ହୁଏ ?”

 

‘‘ଧନବାନ୍‍ ହୋଇପାରିଲେ, ଯେତେବେଳେ କୋଉଠି ଅଧିକ ତାରା ମିଳନ୍ତି, ସେସବୁକୁ କିଣି ରଖିବା ମୋ ପକ୍ଷରେ ସମ୍ଭବ ହୋଇଯାଏ ।’’

 

ଏ କଥା ଶୁଣି ରାଜକୁମାର ମନେମନେ ଭାବୁଥାଏ, ‘‘ଏହି ଲୋକଟି ପୂର୍ବର ସେହି ମଦ୍ୟପ ବିଚାରାଟି ପରି କଥା କହୁଚି ।’’

 

ତଥାପି ସେ ବ୍ୟବସାୟୀକୁ ଆହୁରି କେତୋଟି ପ୍ରଶ୍ନ ପଚାରିଲା ।

 

‘‘ତାରାକୁ ନିଜର ସମ୍ପତ୍ତି କରି ରଖିବା ସମ୍ଭବ ହୁଏ କିପରି ?”

 

ଟିକିଏ ଚିଡ଼ିଗଲା ପରି ହୋଇ ବ୍ୟବସାୟୀ ଓଲଟ ପ୍ରଶ୍ନ କଲା, ‘‘ଏ ତାରାଗୁଡ଼ାକ କାହାର ସମ୍ପତ୍ତି ?”

 

‘‘ମୁଁ ଜାଣିଲି କେମିତି ? କାହାର ନୁହନ୍ତି ।’’

 

‘‘ତେବେ ସେଗୁଡ଼ିକ ମୋର ସମ୍ପତ୍ତି । କାରଣ ମୁଇଁ ପ୍ରଥମକରି ସେଗୁଡ଼ିକ ବିଷୟରେ ଭାବିଲି ।’’

 

“ବାସ୍, କେବଳ ଏତିକି କରିଦେଲେ ସେସବୁ ତୁମର ସମ୍ପତ୍ତି ହୋଇଯିବେ ?”

 

“ଅବଶ୍ୟ । ଯାଉ ଯାଉ ତୁ ବାଟରେ ହୀରାଖଣ୍ଡେ ପାଇଲୁ, ଯାହାକୁ କି ଆଉ କେହି ମୋର ବୋଲି କହିଲେ ନାହିଁ । ତେବେ ସେ ହୀରା ତୋର । ମନେକର ତୁ ଏପରି ଗୋଟିଏ ଦ୍ଵୀପ ଆବିଷ୍କାର କଲୁ, ଯାହା କାହାରି ନୁହେଁ; ତେବେ ସେ ଦ୍ଵୀପ ହେଉଚି ତୋର । ଅନ୍ୟମାନେ ଭବିପାରିବା ପୂର୍ବରୁ ତୁ ଗୋଟାଏ ନୂଆ କଥା ଭାବିପାରିଲୁ, ତେବେ ତା’ ଉପରେ ତୁ ତୋର ମାର୍କା ବାଡ଼େଇ ଦେଲୁ, ତାହା ତେଣିକି ତୋର ହୋଇ ରହିଲା । ମୋ ବେଳକୁ ମଧ୍ୟ ଠିକ୍ ସେମିତି । ଏହି ତାରାଗୁଡ଼ିକୁ କେହି ଆଗରୁ ଆପଣାର ସମ୍ପତ୍ତି କରି ରଖି ନାହାନ୍ତି, ତେଣୁ ଏଗୁଡ଼ିକ ହେଉଚି ମୋର-!”

 

ସବୁ ଶୁଣିସାରିବା ପରେ ରାଜକୁମାର କହିଲା–“ହଁ, ସତ କଥା । କିନ୍ତୁ ସେସବୁ ନେଇ ତୁମେ କ’ଣ କର ?”

 

ବ୍ୟବସାୟୀ ଉତ୍ତର ଦେଲା–“ମୁଁ ତା’ର ତତ୍ତ୍ଵାବଧାନ କରେ । ମୋତେ ବାରବାର ସେଗୁଡ଼ିକୁ ଗଣିକରି ରଖିବାକୁ ପଡ଼େ । ତାହା ଭାରି କଠିନ କାମ । କିନ୍ତୁ ମୋର ସ୍ଵଭାବ ମଧ୍ୟ ସେହିପରି, ବଡ଼ ବଡ଼ ଗୁରୁତର କଥା ନେଇ ବ୍ୟସ୍ତ ରହିବାକୁ ମୋତେ ଭାରି ଆଗ୍ରହ ଲାଗେ ।’’

 

ଟିକି ରାଜକୁମାରର ମନରେ ତଥାପି ସନ୍ତୋଷ ଆସୁ ନ ଥାଏ ।

 

ସେ କହିବାକୁ ଲାଗିଲା, “ଯଦି ମୋର ଖଣ୍ଡେ ରେଶମ ରୁମାଲ ଥାଆନ୍ତା, ତେବେ ମୁଁ ତାକୁ ମୋ ବେକରେ ଗୁଡ଼ାଇକରି ବାନ୍ଧିରଖନ୍ତି ବା କୌଣସି ସ୍ଥାନକୁ ଗଲାବେଳେ ସାଙ୍ଗରେ ନେଇକରି ଯାଆନ୍ତି । ଯଦି ମୋର ଫୁଲଟିଏ ଥାଆନ୍ତା, ତେବେ ମୁଁ ସେଇଟିକୁ ତୋଳି ମୋ ସାଙ୍ଗରେ ନେଇଯାଇ ପାରନ୍ତି । କିନ୍ତୁ ତୁମେ ତ ଆକାଶରୁ ତାରାଗୁଡ଼ିକୁ ତୋଳି ଆଣିପାରିବ ନାହିଁ !”

 

“ନାଇଁ । କିନ୍ତୁ ମୁଁ ସେଗୁଡ଼ିକୁ ବ୍ୟାଙ୍କରେ ନେଇ ରଖିପାରିବି ।”

 

“ତା’ର ପୁଣି କି ଅର୍ଥ ?”

 

“ତା’ର ଅର୍ଥ ହେଉଚି, ମୋର ତାରାଗୁଡ଼ିକର ସଂଖ୍ୟାଟିକୁ ମୁଁ ଖଣ୍ଡେ ଛୋଟିଆ କାଗଜ ଉପରେ ଲେଖି ରଖିବି । ତା’ପରେ ସେହି କାଗଜଟିକୁ ମୁଁ ଗୋଟିଏ ବାକ୍ସ ଭିତରେ ବନ୍ଦ କରି ରଖିବି ଏବଂ ବାକ୍ସରେ କୋଲପ ପକାଇଦେବି ।’’

 

“ବାସ୍ ଏତିକି ?”

 

“ଏତିକି ତ ଯଥେଷ୍ଟ,”–ବ୍ୟବସାୟୀ ଉତ୍ତର ଦେଲା ।

 

ରାଜକୁମାର ଭାବିବାକୁ ଲାଗିଲା, “ଇଏତ ବେଶ୍‍ ମଜାର କଥା,–ପ୍ରାୟ ଏକ କବିତ୍ଵପୂର୍ଣ୍ଣ କଥା ବୋଲି କହିବାକୁ ହେବ ।’’

 

ବ୍ୟବସାୟୀକୁ ସମ୍ବୋଧନ କରି ସେ କହିଲା, “ମୋ ନିଜର ମଧ୍ୟ ଗୋଟିଏ ଫୁଲ ଅଛି । ସେହି ଫୁଲଗଛରେ ମୁଁ ନିତି ପାଣି ଦିଏ । ମୋର ତିନୋଟି ଆଗ୍ନେୟଗିରି ଅଛି, ପ୍ରତ୍ୟେକ ସପ୍ତାହରେ ମୁଁ ଥରେ ଲେଖାଏଁ ସେଗୁଡ଼ିକୁ ପରିଷ୍କାର କରି ରଖେ । (ସୁପ୍ତ ଆଗ୍ନେୟଗିରିଟିକୁ ମଧ୍ୟ ମୁଁ ବାଦ୍‍ ଦିଏ ନାହିଁ । କେତେବେଳେ ଯେ କ’ଣ ହେବ, ସେ କଥା କିଏ କହିପାରିବ ?) ଫୁଲଟି ମୋର, ତିନୋଟିଯାକ ଆଗ୍ନେୟଗିରି ମୋର; କାରଣ ମୁଁ ସେମାନଙ୍କର କୌଣସି ନା କୌଣସି କାମରେ ଆସେ । ମୁଁ ସେମାନଙ୍କର ସେବା କରେ । କିନ୍ତୁ ତୁମେ ତୁମ ତାରାଗୁଡ଼ାଙ୍କର କି କାମରେ ଆସ କହିଲ ?”

 

ବ୍ୟବସାୟୀ ଆଁ କରି ଅନାଇ ରହିଥାଏ । ଉତ୍ତର ଦେବାଲାଗି ସେ ଆଉ କୌଣସି କଥା ପାଉ ନ ଥାଏ । ଏହି ଅବସରରେ ରାଜକୁମାର ସେଠାରୁ ବିଦାୟ ନେଇ ବାହାରିଗଲା ।

 

ଏହି ବୟସ୍କମାନଙ୍କ ପରି ଏତେ ଅଦ୍ଭୁତ ମଣିଷ ସଂସାରରେ ଆଉ କେଉଁଠି ହେଲେ ନାହାନ୍ତି–ଗଲାବେଳେ ସେ ମନକୁ ମନ କହି କହି ଯାଉଥାଏ ।

 

।। ଚଉଦ ।।

 

ପଞ୍ଚମଟି ବଡ଼ ଅଦ୍ଭୁତ ଗ୍ରହ ଥିଲା । ରାଜକୁମାର ଆଗରୁ ଦେଖିଥିବା ପ୍ରତ୍ୟେକଟି ଗ୍ରହଠାରୁ ଏଇଟି ଆହୁରି ଛୋଟ । ରାସ୍ତାକଡ଼ର ଗୋଟିଏ ବତିଖୁଣ୍ଟ ଓ ଜଣେ ବତି ଲଗାଇବାବାଲା ରହିବା ପାଇଁ ଯେତିକି ଜାଗା ଦରକାର, ଗ୍ରହଟିରେ ଠିକ୍‍ ସେତିକିମାତ୍ର ଜାଗା ଥିଲା । ଆକାଶମଣ୍ଡଳର ଏହି ଅତି କ୍ଷୁଦ୍ର ଗ୍ରହଟିରେ ଜନପ୍ରାଣୀ କେହି ନ ଥିଲେ, ସେଠାରେ କୌଣସି ଜନବସତି ନ ଥିଲା, ତଥାପି ଗୋଟିଏ ବତିଖୁଣ୍ଟ ଓ ଜଣେ ବତି ଲଗାଇବାବାଲା ଯେ କାହିଁକି ରହିଚନ୍ତି, ରାଜକୁମାର ସେ କଥା ଆଦୌ ବୁଝିପାରିଲା ନାହିଁ । ତଥାପି ସେ ମନେମନେ କହିବାକୁ ଲାଗିଲା–

 

“ଏହି ଲୋକଟିର ଜୀବନକୁ ହୁଏତ କେହି ବୃଥା ବୋଲି କହିପାରନ୍ତି । ମାତ୍ର ରାଜା, ଗର୍ବୀଲୋକ, ବ୍ୟବସାୟୀ ବା ମଦ୍ୟପର ଜୀବନପରି ଏହାର ଜୀବନ କଦାପି ଏତେଦୂର ବୃଥା ନୁହେଁ-। ଏହି ଲୋକଟି ଯେଉଁ କାମ କରୁଚି, ତାହାର କିଛି ନା କିଛି ମୂଲ୍ୟ ଅବଶ୍ୟ ରହିଚି । ଯେତେବେଳେ ସେ ବତିଖୁଣ୍ଟର ଆଲୁଅଟିକୁ ଜଳାଇ ଦେଉଚି, ସେତେବେଳେ ସେ ଯାଇ ସତେ ଯେପରି ଆଉ ଗୋଟାଏ ନୂଆ ତାରାରେ ଜୀବନ୍ୟାସ କରିଦେଉଚି । ଆହୁରି ଗୋଟିଏ ନୂଆ ଫୁଲ ଫୁଟାଇ ଦେଉଚି-। ଯେତେବେଳେ ସେ ବତିଖୁଣ୍ଟର ଆଲୁଅଟିକୁ ନିଭାଇ ଦେଉଚି, ସେତେବେଳେ ସେ ଫୁଲ ବା ତାରାଟିକୁ ଶୁଆଇ ପକାଉଚି । ଇଏ ପ୍ରକୃତରେ ଭାରି ସୁନ୍ଦର କାମ ଏବଂ ଏହା ସୁନ୍ଦର ହୋଇଥିବାରୁ ଏହାର ପ୍ରକୃତରେ କୌଣସି ଯଥାର୍ଥତା ଅଛି ବୋଲି ମଧ୍ୟ କହିବାକୁ ହେବ ।’’

 

ଗ୍ରହଟିରେ ପହଞ୍ଚି ଅତି ସମ୍ମାନର ସହିତ ସେ ବତି ଲଗାଉଥିବା ଲୋକଟିକୁ ଅଭିବାଦନ କଲା ।

Image

‘‘ନମସ୍କାର ମହାଶୟ ! ବତିଟିକୁ ଆପଣ ନିଭାଇଦେଲେ କାହିଁକି ?”

 

‘‘ଆଦେଶ ଅଛି ।’’ –ଲୋକଟି ଉତ୍ତର ଦେଲା । –“ସୁପ୍ରଭାତ ।’’

 

‘‘କି ଆଦେଶ ?”

 

‘‘ବତି ନିଭାଇଦେବାର ଆଦେଶ । ଶୁଭରାତ୍ରି !”

 

ଏତକ କହୁ କହୁ ସେ ପୁଣି ବତିଟିକୁ ଲଗାଇଦେଲା ।

 

“କିନ୍ତୁ ଆପଣ ପୁଣି ବତିଟାକୁ ଲଗାଇଦେଲେ ଯେ !”

 

“ଆଦେଶ ଅଛି ।’’ –ଲୋକଟି ଉତ୍ତର ଦେଲା ।

 

“ମୁଁ କିଛି ବୁଝିପାରୁ ନାହିଁ ।’’ –ରାଜକୁମାର କହିଲା ।

 

“ଏଥିରେ ଆଉ ବୁଝିବାର କ’ଣ ଅଛି ?” –ଲୋକଟି ଉତ୍ତର ଦେଲା । “ଆଦେଶ ହିଁ ଆଦେଶ ! ସୁପ୍ରଭାତ ।’’

 

ନାଲିବତିଟିକୁ ନିଭାଇଦେଲା । ତା’ପରେ ନାଲିରଙ୍ଗର କୋଠ ପଡ଼ିଥିବା ଖଣ୍ଡେ ରୁମାଲରେ ଆପଣାର କପାଳରୁ ଝାଳ ପୋଛିଲା ।

 

“ମୋର କାମ ହେଉଚି ଏହିପରି ଭୟଙ୍କର କାମ । ପ୍ରଥମେ ଏହି କାମ ବେଶ୍‍ ଯୁକ୍ତିସଙ୍ଗତ ବୋଧ ହେଉଥିଲା । ସକାଳ ହେଲାମାତ୍ରକେ ମୁଁ ବତି ନିଭାଇ ଦେଉଥିଲି, ପୁଣି ସନ୍ଧ୍ୟାବେଳେ ବତି ଲଗାଇ ଦେଉଥିଲି । ଦିନର ଅବଶିଷ୍ଟ ସମୟରେ ମୁଁ ବିଶ୍ରାମ ଲାଗି ଯଥେଷ୍ଟ ଅବସର ପାଉଥିଲି ଓ ରାତିର ଅବଶିଷ୍ଟ ସମୟତକ ଶୋଇ ମଧ୍ୟ ପାରୁଥିଲି ।’’

 

‘‘ତା’ପରେ ଏବେ କ’ଣ ଆଦେଶ ବଦଳି ଯାଇଚି ?”

 

ବତି ଲଗାଉଥିବା ଲୋକଟି ଉତ୍ତର ଦେଲା–“ଆଦେଶ ଯେମିତି ଥିଲା ଠିକ୍‍ ସେମିତି ରହିଚି । ତାହାହିଁ ମୋର ଦୁର୍ଭାଗ୍ୟ । ବର୍ଷ ବର୍ଷ କାଳ ଘୂରି ଘୂରି ଏହି ଗ୍ରହଟା ଏବେ ଅଧିକ ରାତିରେ ଘୂରିବାକୁ ଆରମ୍ଭ କରିଚି ଏବଂ ଏଣେ ଆଦେଶ ପ୍ରଥମେ ଯେପରି ଥିଲା ଠିକ୍‍ ସେହିପରି ରହିଚି ।“

 

“ସେଇଠୁ କ’ଣ ହେଲା ?” –ରାଜକୁମାର ପଚାରିଲା ।

 

“ଫଳରେ ବର୍ତ୍ତମାନ ଗୋଟାଏ ମିନିଟରେ ଗ୍ରହଟି ଥରେ ଘୂରିଆସୁଚି ଏବଂ ମୋତେ କେତେବେଳେ ହେଲେ ଗୋଟାଏ ସେକେଣ୍ଡ ମଧ୍ୟ ବିଶ୍ରାମ କରିବାକୁ ମିଳୁ ନାହିଁ । ଏ ମିନିଟରେ ଆଲୁଅ ଲଗାଇଲି ତ ପୁଣି ଆର ମିନିଟରେ ଆଲୁଅ ନିଭାଇବାକୁ ପଡ଼ୁଚି ।’’

 

“ଇଏତ ବେଶ୍‍ କଉତୁକିଆ କଥା ! ଆପଣଙ୍କର ଗ୍ରହରେ ଦିନଟା ମୋଟେ ଏକ ମିନିଟ୍‍-?”

 

“ଏହା ଆଦୌ କଉତୁକିଆ କଥା ନୁହେଁ”–ଲୋକଟି ଉତ୍ତର ଦେଲା, ‘‘ଆମେ ବର୍ତ୍ତମାନ ଯେତିକି ସମୟ କଥାବାର୍ତ୍ତା ହେଲେ, ଏହାରି ଭିତରେ ଗୋଟାଏ ମାସ ଗତ ହୋଇଗଲାଣି ।’’

 

“ଗୋଟାଏ ମାସ ?”

 

‘‘ହଁ, ଗୋଟାଏ ମାସ । ତିରିଶ ମିନିଟ୍‍,–ଅର୍ଥାତ୍‍ ତିରିଶି ଦିନ । ଶୁଭରାତ୍ରି ।’’

 

ସେ ପୁଣି ଯାଇ ବତି ଲଗାଇଦେଲା । ରାଜକୁମାର ତା’ର କାମକୁ ଲକ୍ଷ୍ୟକରି ଦେଖୁଥାଏ । ଏହି ଲୋକଟି ତାକୁ ଭାରି ଭଲ ଲାଗିଲା । ଆଦେଶ ଉପରେ ଏହି ଲୋକଟିର କେଡ଼େ ଆସ୍ଥା ! ତା’ର ଆପଣା ଗ୍ରହରେ ଚଉକିଟିକୁ କେବଳ ଟିକିଏମାତ୍ର ଘୁଞ୍ଚାଇଦେଇ ସେ କିପରି ସୂର୍ଯ୍ୟୋଦୟ ଦେଖୁଥିଲା, ତା’ର ସେହି କଥା ମନେ ପଡ଼ିଗଲା । ବର୍ତ୍ତମାନ ସେ ତା’ର ଏହି ବନ୍ଧୁଟିକୁ ସାହାଯ୍ୟ କରିବାକୁ ଇଚ୍ଛା କଲା । ସେ କହିଲା–

 

“ଶୁଣନ୍ତୁ । ମୁଁ ଆପଣଙ୍କୁ ଏପରି ଗୋଟିଏ ଉପାୟ ବତାଇଦେବି, ଯେପରିକି ଆପଣ ଯେତେବେଳେ ଇଚ୍ଛା ସେତେବେଳେ ବିଶ୍ରାମ ନେଇପାରିବେ ।’’

 

“ମୁଁ ତ ସବୁବେଳେ ବିଶ୍ରାମ ଦରକାର କରୁଚି’’–ବତିବାଲା ଉତ୍ତର ଦେଇ କହିଲା ।

 

କାରଣ ଯେକୌଣସି ଲୋକ ଇଚ୍ଛାକଲେ ଆପଣାର କର୍ତ୍ତବ୍ୟ ପାଳନ କରିପାରିବ ଓ ତାହା ସଙ୍ଗେ ସଙ୍ଗେ ଅଳସୁଆ ମଧ୍ୟ ହୋଇପାରିବ ।

 

ଟିକି ରାଜକୁମାର ବୁଝାଇ କହିବାକୁ ଲାଗିଲା । “ଆପଣଙ୍କର ଗ୍ରହଟି ଏଡ଼େ ଛୋଟ ଯେ ତିନୋଟି ପହଣ୍ଡ ପକାଇଲେ ଆପଣ ଗ୍ରହର ଏପାଖରୁ ସେପାଖ ଗୋଟାଏ ଘେରା ବୁଲିଆସି ପାରିବେ । ଟିକିଏ ଧୀରେ ଧୀରେ ଚାଲିଲେ ଆପଣ ସବୁବେଳେ ସୂର୍ଯ୍ୟକିରଣରେ ରହିପାରିବେ । ଯେତେବେଳେ ବିଶ୍ରାମ ନେବାକୁ ଇଚ୍ଛା ହେବ, ସେତେବେଳେ ଆପଣ ଚାଲିବାକୁ ଆରମ୍ଭ କରିବେ-। ତା’ହେଲେ ଆପଣଙ୍କର ଯେତେବେଳଯାଏ ଖୁସି ହେବ, ସେତେବେଳଯାଏ ଦିନ ହୋଇ ରହିଥିବ-।’’

Unknown

 

“ତାହାଦ୍ଵାରା ମୋର ଖୁବ୍‍ ବେଶି ଲାଭ ହେବ ନାହିଁ ।” –ବତିବାଲା ଉତ୍ତର ଦେଲା । “ଜୀବନରେ ମୁଁ କେବଳ ଗୋଟିଏ କଥା ଭଲପାଏ । ସେଇଟି ହେଉଚି ଶୋଇବା ।”

 

“ଆପଣଙ୍କର ଭାଗ୍ୟ ଭାରି ଖରାପ ।” –ରାଜକୁମାର ଦୁଃଖ କରି କହିଲା ।

 

“ପ୍ରକୃତରେ ମୋର ଭାଗ୍ୟ ଭାରି ଖରାପ”–ବତିବାଲା ଉତ୍ତର ଦେଲା ।

 

“ସୁପ୍ରଭାତ !”

 

ପୁଣି ଯାଇ ସେ ବତିଟିକୁ ନିଭାଇଦେଲା ।

 

ଗ୍ରହଟିରୁ ବିଦାୟ ନେଇ ଯିବାବେଳେ ରାଜକୁମାର କହିଲା, ‘‘ଏହି ଲୋକଟିକୁ ସମସ୍ତେ ଘୃଣା କରିବେ । ରାଜା,ଗର୍ବୀଲୋକ, ମଦ୍ୟପ ଆଉ ବ୍ୟବସାୟୀ ସମସ୍ତେ ଏହାକୁ ଅପଦାର୍ଥ ବୋଲି କହିବେ । କିନ୍ତୁ ମୁଁ ତଥାପି କହିବି ଯେ ଏପର୍ଯ୍ୟନ୍ତ ମୋର ଯେତେଜଣଙ୍କ ସହିତ ଭେଟ ହୋଇଚି, ସେମାନଙ୍କ ମଧ୍ୟରୁ କେବଳ ଏହି ବତିବାଲାକୁ ହିଁ ହସରେ ଉଡ଼ାଇ ଦେଇ ହେବ ନାହିଁ । ତା’ର କାରଣ ହେଉଚି ଯେ ସେ କେବଳ ଆପଣା ବ୍ୟତୀତ ସଂସାରରେ ଅନ୍ୟ କିଛି କଥା ଭାବି ମଧ୍ୟ ପାରୁଚି ।”

 

ଦୁଃଖର ଦୀର୍ଘଶ୍ଵାସ ପକାଇ ସେ ପୁଣି ମନେମନେ କହିଲା, “ଏହି ସମସ୍ତଙ୍କ ମଧ୍ୟରୁ ମୁଁ କେବଳ ଏହି ବତିବାଲାଟି ସହିତ ବନ୍ଧୁତା ସ୍ଥାପନ କରିପାରନ୍ତି । କିନ୍ତୁ ତା’ର ଗ୍ରହଟା ଆକାରରେ ଖୁବ୍‍ ଛୋଟ ! ଏଠି ଦୁଇଜଣ ମଣିଷ ରହିପାରିବାକୁ ମଧ୍ୟ ଯଥେଷ୍ଟ ଜାଗା ନାହିଁ ।”

 

ତା’ର ଆପଣା ଗ୍ରହ ଛାଡ଼ି ଆସିଥିବାରୁ ରାଜକୁମାରର ଦାରୁଣ କଷ୍ଟ ହେଲା । ସେହି ଗ୍ରହରେ ଥିଲାବେଳେ ତ ସେ ପ୍ରତିଦିନ ୧୪୪୦ ଥର ସୂର୍ଯ୍ୟାସ୍ତ ଦେଖୁଥିଲା ।

 

କିନ୍ତୁ ଏହି କଥାଟି ସ୍ମରଣ କରିବାକୁ ରାଜକୁମାରର ଆଉ ସାହସ ହେଲା ନାହିଁ ।

 

।। ପନ୍ଦର ।।

 

ପଞ୍ଚମଠାରୁ ଷଷ୍ଠ ଗ୍ରହଟି ଦଶଗୁଣ ଅଧିକ ବଡ଼ ଥିଲା । ଏଠାରେ ଜଣେ ବୁଢ଼ା ଭଦ୍ରଲୋକ ବାସ କରୁଥିଲେ । ବସି ବସି ସେ କେବଳ ବଡ଼ ବଡ଼ ଗ୍ରନ୍ଥମାନ ଲେଖୁଥିଲେ ।

 

“ହେଇ, ଜଣେ ଆବିଷ୍କାର କଲାବାଲା ଆସି ପହଞ୍ଚିଲାଣି”–ରାଜକୁମାରକୁ ଦୂରରୁ ଆସୁଥିବାର ଦେଖି ସେ ମନଆନନ୍ଦରେ ପାଟିକରି କହିଉଠିଲେ ।

 

ରାଜକୁମାର ଆସି ତାଙ୍କର ଟେବୁଲ ପାଖରେ ବସିଲା । ଅନେକ ବାଟ ଚାଲିକରି ଆସିଥିବାରୁ ସେ ଧଇଁସଇଁ ହେଉଥାଏ ।

 

ଭଦ୍ରଲୋକ ତାକୁ ପଚାରିଲେ, ‘‘ଆପଣ କେଉଁଠାରୁ ଆସିଲେ ?”

 

କୌଣସି ଉତ୍ତର ନ ଦେଇ ରାଜକୁମାର ପ୍ରଶ୍ନ କଲା, “ସେ ପ୍ରଚଣ୍ଡ ବହିଟା କି ବହି ? ଏଠାରେ ବସି ବସି ଆପଣ କ’ଣ କରୁଚନ୍ତି ?”

 

“ମୁଁ ହେଉଚି ଜଣେ ଭୌଗୋଳିକ” ଭଦ୍ରଲୋକ ଉତ୍ତର ଦେଲେ ।

 

“ଭୌଗୋଳିକର କାମ କ’ଣ ?” –ରାଜକୁମାର ପଚାରିଲା ।

 

“ଭୌଗୋଳିକ ହେଉଚି ଜଣେ ପଣ୍ଡିତ । ସମୁଦ୍ର, ନଦୀ, ସହର, ପର୍ବତ ଓ ମରୁଭୂମି କେଉଁଠି କ’ଣ ଅଛି, ଭୌଗୋଳିକ ତାହା ଠିକ୍‍ ଠିକ୍‍ ଜାଣିଥଏ ।”

Image

“ଇଏତ ବେଶ୍‍ ଭଲ କାମ,”–ରାଜକୁମାର କହିଲା, “ଅନ୍ତତଃ ଏହି ଭଦ୍ରଲୋକଜଣକ ପ୍ରକୃତରେ କିଛି କାମ କରୁଚନ୍ତି ।” ତା’ପରେ ସେ ପଣ୍ଡିତଙ୍କର ଗ୍ରହଟିର ଚାରିଆଡ଼କୁ ଆଖି ପକାଇ ଦେଖିଲା । ଏପରି ଏକ ଏୗଶ୍ଵର୍ଯ୍ୟପୂର୍ଣ୍ଣ ଏବଂ ସୁନ୍ଦର ଗ୍ରହ ସେ ଆଗରୁ କେବେ ଦେଖି ନ ଥିଲା । ସେ କହିଲା–

 

“ଆପଣଙ୍କର ଗ୍ରହଟି ଭାରି ସୁନ୍ଦର । ଏଥିରେ ଅନେକ ମହାସାଗର ଅଛି ନା ?”

 

“ମୁଁ ସେକଥା କହିପାରିବି ନାହିଁ” –ଭୂଗୋଳ-ପଣ୍ଡିତ ଉତ୍ତର ଦେଲେ ।

 

ନିରାଶ ହୋଇ ରାଜକୁମାର ପୁଣି ପଚାରିଲା, “ଅନେକ ପର୍ବତ ଅଛି ?”

 

“ମୁଁ କହିପାରିବି ନାହିଁ ।”

 

“ଆଉ ସହର, ନଦୀ, ମରୁଭୂମି ?”

 

“ସେକଥା ମଧ୍ୟ ମୁଁ କହିପାରିବି ନାହିଁ ।”

 

“କିନ୍ତୁ ଆପଣ ପରା ଭୂଗୋଳ-ପଣ୍ଡିତ ?”

 

“ହଁ ।” –ପଣ୍ଡିତ ଉତ୍ତର ଦେଲେ । “କିନ୍ତୁ ମୁଁ ନିଜେ ଆବିଷ୍କାରକ ନୁହେଁ ।” ମୋ ଗ୍ରହରେ ଜଣେହେଲେ କେହି ଆବିଷ୍କାରକ ନାହାନ୍ତି । ଯିଏ ଭୂଗୋଳଶାସ୍ତ୍ର ଜାଣେ, ସେ ନିଜେ ସହର, ନଦୀ, ପର୍ବତ, ସାଗର, ମହାସାଗର ବା ମରୁଭୂମିକୁ ଗଣି ହିସାବ କରିବାକୁ ଯାଏ ନାହିଁ । ଏପରି ଭାବରେ ଅଯଥା କାର୍ଯ୍ୟରେ ବୁଲିବାଠାରୁ ଭୌଗୋଳିକର କାର୍ଯ୍ୟ ଅଧିକ ଗୁରୁତ୍ଵପୂର୍ଣ୍ଣ । ତେଣୁ ସେ ତା’ର ଟେବୁଲ ଛାଡ଼ି ଗଲେ କଦାପି କାମ ଚଳିବ ନାହିଁ । କିନ୍ତୁ ତା’ପାଖକୁ ଆବିଷ୍କାରକମାନେ ଆସନ୍ତି । ସେ ସେମାନଙ୍କୁ ପ୍ରଶ୍ନ ପଚାରେ । ଆବିଷ୍କାରକମାନେ ଆପଣାର ଭ୍ରମଣରୁ ଯେଉଁ ବିବରଣମାନ ଆଣି ଦିଅନ୍ତି, ସେ ସବୁକୁ ଭୌଗୋଳିକ ବହିରେ ଲେଖିରଖେ । ସେମାନଙ୍କ ମଧ୍ୟରୁ କାହାରି ବିବରଣ ତାକୁ କୌତୂହଳପୂର୍ଣ୍ଣ ବୋଧ ହେଲେ ସେ ସେହି ଆବିଷ୍କାରକର ନୈତିକ ଚରିତ୍ର ବିଷୟରେ ଅନୁସନ୍ଧାନ କରିବାକୁ ଆଦେଶ ଦିଏ ।”

 

“କାହିଁକି ?”

 

“କାରଣ ଯେଉଁ ଆବିଷ୍କାରକ ଭୌଗୋଳିକ ପାଖରେ ମିଥ୍ୟା ବିବରଣ ଆଣିଦିଏ, ସେ ଭୂଗୋଳଶାସ୍ତ୍ର ଲାଗି ଅନେକ ପ୍ରମାଦ ସୃଷ୍ଟି କରେ । ମନେକର ଯଦି ଜଣେ ଆବିଷ୍କାରକ ଅତିରିକ୍ତ ମାତ୍ରାରେ ମଦ ପିଇଥାଏ, ତେବେ ସେ ମିଛ ସତ ମିଶାଇ ଏଣୁତେଣୁ ଗୁଡ଼ାଏ ବିବରଣ ଆଣିଦିଏ ।”

 

“ସେ ପୁଣି କ’ଣ ?” –ରାଜକୁମାର ପଚାରିଲା ।

 

“କାରଣ ଯିଏ ନିଶା ଖାଇଥାଏ, ତା’ର ଆଖିକୁ ସବୁ ଦୁଇ ଦୁଇଟା କରି ଦେଖାଯାଏ । ତେଣୁ ଯେଉଁଠି କେବଳ ଗୋଟାଏ ପାହାଡ଼ ଅଛି, ଆବିଷ୍କାରକର ଭୁଲ ବିବରଣୀ ଶୁଣି ଭୂଗୋଳ ପଣ୍ଡିତ ସେଠାରେ ଦୁଇଟା ପାହାଡ଼ ବୋଲି ଲେଖିଦିଏ ।”

 

ରାଜକୁମାର କହିଲା, “ମୁଁ ଏପରି ଜଣେ ଲୋକକୁ ଜାଣେ, ଯିଏ କି ଆବିଷ୍କାରକ ହେଲେ ଆପଣଙ୍କୁ କେବଳ ଭୁଲ ଖବର ଆଣି ଦିଅନ୍ତା ।”

 

“ହଁ, ହୋଇପାରେ । ଅନୁସନ୍ଧାନ କଲାପରେ ଯଦି ଆବିଷ୍କାରକର ନୈତିକ ଚରିତ୍ର ନିର୍ଦ୍ଦୋଷ ବୋଲି ଜଣାପଡ଼େ, ତେବେ ତାହାର ଆବିଷ୍କାର ବିଷୟରେ ଆଉ ଥରେ ତଦନ୍ତ କରିବାକୁ ପଡ଼େ ।”

 

“କ’ଣ କେହି ଦେଖିବାକୁ ଯାଆନ୍ତି ?”

 

“ନା,–ସେପରି କଲେ କାମ ବଡ଼ ଜଟିଳ ହୋଇଯିବ । କିନ୍ତୁ ତାହା ଯଦି ନ କରି ଆବିଷ୍କାରକଠାରୁ ପ୍ରମାଣ ମଗାଯାଏ । ମନେକର ଆବିଷ୍କାରକ ଯଦି ଗୋଟାଏ ବଡ଼ ପର୍ବତ ଆବିଷ୍କାର କରି ଆସିଚି ବୋଲି କହେ, ତେବେ ଆମେ ତାକୁ ସେହି ପର୍ବତରୁ ଖଣ୍ଡେ ବଡ଼ ପଥର ଆଣି ଦେଖାଇବାକୁ ଆଦେଶ ଦେଉ ।”

 

ହଠାତ୍‍ ଏହି ସମୟରେ ଭୌଗୋଳିକ ମହାଶୟ ଭାରି ଆଗ୍ରହାନ୍ଵିତ ହୋଇପଡ଼ି କହିଲେ–

 

“କିନ୍ତୁ ତୁ ତ ଅନେକ ଦୂରରୁ ଆସିଚୁ । ତେଣୁ ତୁ ମଧ୍ୟ ଜଣେ ଆବିଷ୍କାରକ । ତୋର ଗ୍ରହ ବିଷୟରେ ତୁ ମୋ ଆଗରେ ବର୍ଣ୍ଣନା କର ।”

 

ଭୌଗୋଳିକ ତାଙ୍କର ଗ୍ରନ୍ଥ ଖୋଲିଲେ । ପେନ୍‌ସିଲ୍‍କୁ ମୁନ କରି ଲେଖିବାକୁ ବାହାରିଲେ । ଆବିଷ୍କାରକମାନଙ୍କ ବିବରଣୀକୁ ପ୍ରଥମେ ପେନ୍‌ସିଲରେ ଲେଖିବାକୁ ପଡ଼େ । ଆବିଷ୍କାରକ ତା’ର ପ୍ରମାଣ ଆଣି ଦେଖାଇବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହୁଏ । ପ୍ରମାଣ ମିଳିଗଲେ ପୁଣି କାଳିରେ ଲେଖାଯାଏ ।

 

“କହ !” –ଭୌଗୋଳିକ ବଡ଼ ଆଶାପୂର୍ଣ୍ଣ ଭଙ୍ଗୀରେ ରାଜକୁମାରକୁ କହିଲେ ।

 

ରାଜକୁମାର ଉତ୍ତର ଦେଲା, “ମୋର ଗ୍ରହରେ ଅସାଧାରଣ ପଦାର୍ଥ ସେପରି କିଛି ନାହିଁ-। ଭାରି ଛୋଟିଆ ଗ୍ରହଟିଏ । ସେଥିରେ ଆଗ୍ନେୟଗିରି ତିନୋଟି । ଦୁଇଟା ସକ୍ରିୟ ଓ ଗୋଟିଏ ସୁପ୍ତ, କିନ୍ତୁ କେତେବେଳେ ଯେ କ’ଣ ହେବ ସେ କଥା କିଏ କହିପାରିବ ?”

 

“କେହି କହିପାରିବ ନାହିଁ ।” –ଭୌଗୋଳିକ ସମର୍ଥନ କରି କହିଲେ ।

 

“ମୋର ଗୋଟିଏ ଫୁଲ ବି ଅଛି ।”

 

“ଆମ ଗ୍ରନ୍ଥରେ ଆମେ ଫୁଲର ବିବରଣୀ ଲେଖୁ ନାହିଁ ।” –ଭୌଗୋଳିକ ବାଧା ଦେଇ କହିଲେ ।

 

“କାହିଁକି ? ଫୁଲଟି ତ ମୋର ଗ୍ରହରେ ସବୁଠାରୁ ସୁନ୍ଦର ବସ୍ତୁ ?”

 

“ଆମେ ସେ ସବୁର ବିବରଣୀ ରଖୁ ନାହିଁ !” –ଭୌଗୋଳିକ କହିଲେ ।

 

“କାରଣ ଫୁଲ ହେଉଚି ବଡ଼ କ୍ଷଣସ୍ଥାୟୀ”

 

“କ୍ଷଣସ୍ଥାୟୀର ଅର୍ଥ କ’ଣ ?”

 

ଭୌଗୋଳିକ ଉତ୍ତର ଦେଲେ, “ଅନ୍ୟାନ୍ୟ ଗ୍ରନ୍ଥ ଅପେକ୍ଷା ଭୂଗୋଳ ଗ୍ରନ୍ଥରେ ଅଧିକ ଗୁରୁତର କଥାମାନ ଲିପିବଦ୍ଧ ହୋଇ ରହେ । ଭୂଗୋଳ ଗ୍ରନ୍ଥ କେବେ ପୁରୁଣା ହୋଇଯାଏ ନାହିଁ । ପର୍ବତ ଖୁବ୍‍ କ୍ଵଚିତ ତା’ର ଅବସ୍ଥିତି ପରିବର୍ତ୍ତନ କରେ । ମହାସାଗରର ଜଳ ବଡ଼ କ୍ଵଚିତ ଶୁଖିଯାଏ-। ଆମେ କେବଳ ଚିରନ୍ତନ ଜିନିଷମାନଙ୍କର ବିବରଣୀ ଲେଖିରଖୁ ।”

 

“କିନ୍ତୁ ସୁପ୍ତ ଆଗ୍ନେୟଗିରି ତ ପୁଣି ସକ୍ରିୟ ହୋଇ ଉଠିପାରେ !” ରାଜକୁମାର ବାଧାଦେଇ କହିଲା । “କ୍ଷଣସ୍ଥାୟୀର ଅର୍ଥ କ’ଣ ?”

 

ଭୌଗୋଳିକ ଉତ୍ତର ଦେଲେ–“ଆଗ୍ନେୟଗିରି ସକ୍ରିୟ ହେଉ ବା ସୁପ୍ତ ହେଉ, ଆମଲାଗି ତାହା ସମାନ କଥା । ଆମେ ପର୍ବତର ହିସାବ ଲେଖିରଖୁ । ପର୍ବତ କେବେହେଲେ ବଦଳେ ନାହିଁ-।”

 

“କିନ୍ତୁ କ୍ଷଣସ୍ଥାୟୀର ଅର୍ଥ କ’ଣ ?” –ରାଜକୁମାର ପୁଣି ପଚାରିଲା । “ଥରେ ପଚାରିଥିବା ପ୍ରଶ୍ନର ଉତ୍ତର ନ ପାଇବାଯାଏ ସେ କେବେହେଲେ ପ୍ରଶ୍ନ ପଚାରିବାରୁ ନିବୃତ୍ତ ହେଉ ନ ଥିଲା ।”

 

“କ୍ଷଣସ୍ଥାୟୀର ଅର୍ଥ ହେଉଚି,–ଅତିଶୀଘ୍ର ଅନ୍ତର୍ହିତ ହୋଇଯିବାର ବା ମଉଳି ଯିବାର ଭୟ ଯାହାର ଥାଏ ।”

 

“ତେବେ ମୋ ଫୁଲଟି କ’ଣ ଅତିଶୀଘ୍ର ମଉଳି ଯିବାର ଭୟ ରହିଚି ?”

 

“ନିଶ୍ଚୟ !”

 

“ମୋ ଫୁଲଟି କ୍ଷଣସ୍ଥାୟୀ !” –ରାଜକୁମାର ମନେମନେ ଭାବିବାକୁ ଲାଗିଲା । “ସଂସାରର ଘାତ ପ୍ରତିଘାତରୁ ଆପଣାକୁ ରକ୍ଷା କରିବାଲାଗି ତା’ପାଖରେ କେବଳ ଚାରୋଟିମାତ୍ର କଣ୍ଟା ଅଛି । ଆଉ ମୁଁ ତାକୁ ମୋ ଗ୍ରହରେ ଏକୁଟିଆ ଛାଡ଼ିଦେଇ ଆସିଚି !”

 

ପ୍ରଥମଥର ପାଇଁ ସେ ତୀବ୍ର ଦୁଃଖରେ ଅଭିଭୂତ ହୋଇ ପଡ଼ିଲା । କିନ୍ତୁ ତଥାପି ସେ ଆଉ ଥରେ ସାହସ ସଂଗ୍ରହ କରି ପଚାରିଲା–

 

“ଆପଣ ବର୍ତ୍ତମାନ ମୋତେ କେଉଁ ଗ୍ରହ ଦେଖି ଯିବାକୁ ପରାମର୍ଶ ଦେବେ ?”

 

“ପୃଥିବୀ ।” –ଭୌଗୋଳିକ ଉତ୍ତର ଦେଲେ । “ଗ୍ରହ ହିସାବରେ ପୃଥିବୀର ଭଲ ନାଆଁ ରହିଚି ।”

Image

ତହୁଁ ଟିକି ରାଜକୁମାର ସେଠାରୁ ବିଦାୟ ନେଇ ଚାଲିଗଲା । ମନେମନେ ସେ ଆପଣାର ଫୁଲଟି ବିଷୟରେ ଗୁଣି ହେଉଥାଏ ।

 

।। ଷୋହଳ ।।

 

ଏହିପରି ଭାବରେ ରାଜକୁମାରର ସପ୍ତମ ପରିଦର୍ଶନ ପୃଥିବୀରେ ପଡ଼ିଲା ।

 

ପୃଥିବୀ ତ ଆଉ ଯେମିତି ସେମିତି ଗ୍ରହ ହୋଇ ନାହିଁ ! ଗଣନା କଲେ ଜଣାଯିବ ଏଠାରେ ୧୧୧ ଜଣ ରାଜା (ନିଗ୍ରୋ ରାଜାମାନଙ୍କୁ ମିଶାଇ), ୭,୦୦୦ ଜଣ ଭୌଗୋଳିକ, ୯୦୦,୦୦୦ ଜଣ ବ୍ୟବସାୟୀ, ୭,୫୦୦,୦୦୦ ଜଣ ମଦ୍ୟପ ଏବଂ ୩୧୧,୦୦୦,୦୦୦ ଜଣ ଗର୍ବୀଲୋକ ରହିଚନ୍ତି । ଅର୍ଥାତ୍‍ ସର୍ବମୋଟ ଏହି ପୃଥିବୀରେ ପ୍ରାୟ ୨,୦୦୦,୦୦୦,୦୦୦ ଜଣ ବୟସ୍କ ଲୋକ ବାସ କରୁଚନ୍ତି ।

 

ପୃଥିବୀର ଆକାର ସମ୍ବନ୍ଧରେ ତୁମମାନଙ୍କୁ ଗୋଟାଏ ମୋଟାମୋଟି ଧାରଣା ଦେବାକୁ ଯାଇ ମୁଁ କହିବି ଯେ ବିଜୁଳିଶକ୍ତିର ଉଦ୍ଭାବନ ପୂର୍ବରୁ ପୃଥିବୀର ଛଅଟାଯାକ ମହାଦେଶରେ ଆଲୁଅ ଲଗାଇବାକୁ ୪୬୨,୫୧୧ ଜଣ ଲୋକଙ୍କର ରୀତିମତ ଗୋଟିଏ ବିରାଟ ବାହିନୀ ଦରକାର ହେଉଥିଲା ।

 

ଟିକିଏ ଦୂରେଇ ଦେଖିଲେ ଏହି ଦୃଶ୍ୟଟି ଗୋଟାଏ ଭାରି ଚମତ୍କାର ଦୃଶ୍ୟପରି ମନେହେବ । ଅପେରା ପାର୍ଟିର ନାଚଦଳ ପରି ଏହି ବାହିନୀକୁ ଗୋଟାଏ ନିର୍ଦ୍ଦିଷ୍ଟ ନିୟମର ଶୃଙ୍ଖଳାରେ ବାନ୍ଧିକରି ରଖିବାକୁ ପଡ଼ିବ । ପ୍ରଥମେ ନିଉଜିଲାଣ୍ଡ ଆଉ ଅଷ୍ଟ୍ରେଲିଆର ବତି ଲଗାଇବାବାଲାମାନେ ବତି ଲଗାଇବାକୁ ଆସିବେ । ଆପଣା ଆପଣାର ବତି ଲଗାଇଦେଇ ସେମାନେ ଶୋଇବାକୁ ଚାଲିଯିବେ । ତା’ପରେ ବତି ଲଗାଇବାର ଅଭିନୟରେ ଚୀନ ଓ ସାଇବିରିଆର ବତିବାଲାଙ୍କର ପାଳି ପଡ଼ିବ । ଆପଣାର କାମ ସାରିଦେଇ ସେମାନେ ମଧ୍ୟ ପୁଣି ନେପଥ୍ୟକୁ ଅପସରି ଯିବେ । ତା’ପରେ ରୁଷିଆ ଓ ଭାରତର ବତିବାଲାମାନେ ଆସିବେ । ତା’ପରେ ଆଫ୍ରିକା ଓ ଇଉରୋପର, ତା’ପରେ ଦକ୍ଷିଣ ଆମେରିକା ଓ ସବାଶେଷରେ ଉତ୍ତର ଆମେରିକାର । କିଏ କାହାପରେ ଆସି ରଙ୍ଗମଞ୍ଚରେ ପହଞ୍ଚିବ, ସେଥିରେ କଦାପି କୌଣସି ଭୁଲ ହେବ ନାହିଁ । ଏହି ବ୍ୟବସ୍ଥାଟି ପ୍ରକୃତରେ ଏକ ବଢ଼ିଆ ବ୍ୟବସ୍ଥା ହେବ ।

 

ଉତ୍ତର ମେରୁରେ ରହିଥିବା କେବଳ ଗୋଟିଏ ବତିରେ ଆଲୁଅ ଦେବାକୁ ଯେଉଁ ଲୋକଟି ମୁତୟନ ରହିବ, ଏଣେ ଦକ୍ଷିଣ ମେରୁରେ ଥିବା କେବଳ ଗୋଟିଏ ବତି ଜଳାଇବାକୁ ତା’ର ଯେଉଁ ସାଥି ମଣିଷଟି ରହିବ,–କେବଳ ଏହି ଦୁଇଜଣ ଭାରି ଆରାମରେ ରହିବେ । ବରଷରେ ସେମାନଙ୍କୁ କେବଳ ଦୁଇଥର କାମ କରିବାକୁ ପଡ଼ିବ ।

 

।। ସତର ।।

 

ଯେତେବେଳେ ଟିକିଏ ଚାତୁରୀ ଖେଳିବାକୁ ଇଚ୍ଛା ହୁଏ, ସେତେବେଳେ ବାଧ୍ୟହୋଇ ଖାଣ୍ଟି ସତକଥାକୁ ଛାଡ଼ି ଟିକିଏ ଏପାଖ ସେପାଖ ହେବାକୁ ପଡ଼େ । ବତିବାଲାମାନଙ୍କ ବିଷୟରେ ମୁଁ ବର୍ତ୍ତମାନ ଯାହାସବୁ କହିଲି, ସେଥିରେ ମୁଁ ସମ୍ପୂର୍ଣ୍ଣ ସତ୍ୟକଥା କହି ନାହିଁ । ମୁଁ ବେଶ୍‍ ବୁଝିପାରୁଚି ଯେ ଆମ ପୃଥିବୀର କଥା ଜାଣି ନ ଥିବା ଲୋକମାନଙ୍କୁ ମୁଁ ତାହାର ବିଷୟରେ ଅନେକ ଭ୍ରମଧାରଣା ଦେବାର ଭୁଲ କରି ପକାଇଚି । ମଣିଷର ବାସ କରିବା ପାଇଁ ଏହି ପୃଥିବୀରେ ଖୁବ୍‍ କମ୍‍ ଜାଗା ଦରକାର ହୁଏ । ଆମ ପୃଥିବୀରେ ବର୍ତ୍ତମାନ ପ୍ରାୟ ୨୦୦ କୋଟି ମଣିଷ ବାସ କରୁଚନ୍ତି । ସେମାନଙ୍କୁ ଯଦି ଆମେ କୌଣସି ସଭାଘରେ ରୁଣ୍ଡ କରାଇଲା ପରି ଗୋଟିଏ ଜାଗାରେ ଏକାଠି ଠିଆକରି ରଖିବା, ତେବେ ଅତି ସହଜରେ କୋଡ଼ିଏ ମାଇଲ ଲମ୍ବ ଓ କୋଡ଼ିଏ ମାଇଲ ଓସାରର ଗୋଟିଏ ବର୍ଗକ୍ଷେତ୍ରରେ ସେମାନଙ୍କୁ ସମସ୍ତଙ୍କୁ ଜାଗା ହୋଇଯିବ । ପ୍ରଶାନ୍ତ ମହାସାଗରର କୌଣସି ଏକ ଛୋଟିଆ ଦ୍ଵୀପରେ ସାରା ମଣିଷଜାତିକୁ ଆଣି ଜମା କରିଦିଆଯାଇ ପାରିବ ।

 

କିନ୍ତୁ ତୁମେ ଏକଥା କହିଲାବେଳେ ପୃଥିବୀର ବୟସ୍କମାନେ କଦାପି ତୁମ କଥାକୁ ବିଶ୍ଵାସ କରିବେ ନାହିଁ । ସେମାନେ ସବୁବେଳେ ଭାବନ୍ତି ଯେ ସେମାନେ ଏହି ପୃଥିବୀର ଅନେକ ଜାଗା ମାଡ଼ି ବସିଚନ୍ତି । ଠିକ୍‍ ଅସୁରଜଟା ଗଛଗୁଡ଼ାକ ପରି ଆପଣାର ଅତି ପ୍ରକାଣ୍ଡତା ବିଷୟରେ ମଣିଷର ଭାରି ଅହଙ୍କାର ରହିଚି । ତେବେ ତୁମେ ସେମାନଙ୍କୁ ନିଜେ ନିଜର ଗଣନା କରିବାକୁ କହିବ । ସେମାନେ ସଂଖ୍ୟା ଭଲ ପାଆନ୍ତି, ତେଣୁ ତୁମଠାରୁ ଏହିପରି ପରାମର୍ଶ ପାଇଲେ ସେମାନେ ଭାରି ଖୁସି ହୋଇଯିବେ । କିନ୍ତୁ ଏହି ଅକାରଣ ଫାଲ୍‍ତୁ କାମରେ ସମୟ ନଷ୍ଟ କରିବା ଆଦୌ ଉଚିତ ନୁହେଁ । ଏଥିରେ କୌଣସି ପ୍ରକାରର ଲାଭ ହେବ ନାହିଁ । ତେଣୁ ମୁଁ ଯାହା କହିବି, ତୁମେମାନେ ମୋର ସେହିସବୁ କଥାକୁ ବିଶ୍ଵାସ କରିବ ବୋଲି ମୁଁ ଆଶା କରୁଚି ।

 

ପୃଥିବୀରେ ପହଞ୍ଚି ରାଜକୁମାର କେଉଁଠି ଜଣେ ହେଲେ ମଣିଷ ଦେଖିବାକୁ ପାଇଲା ନାହିଁ । ଏଥିରେ ତାକୁ ଭାରି ଆଶ୍ଚର୍ଯ୍ୟ ଲାଗିଲା । ସେ ମନେମନେ ଆଶଙ୍କା କରୁଥାଏ, ଆଉ କ’ଣ ମୁଁ ଭୁଲରେ ଅନ୍ୟ କୌଣସି ଏକ ଗ୍ରହକୁ ଚାଲିଆସିଲି କି ? ଠିକ୍‍ ଏହି ସମୟରେ ସେ ଜହ୍ନ ଆଲୁଅ ରଙ୍ଗର ସୁନା ତାର ପରି କ’ଣ ଗୋଟାଏ ବାଲି ଉପରେ ଚକ୍‍ ଚକ୍‍ କରି ଚାଲି ଯାଉଥିବାର ଦେଖିପାରିଲା ।

 

“ନମସ୍କାର !” –ରାଜକୁମାର ଭାରି ସମ୍ଭ୍ରମର ସହିତ କହିଲା ।

 

“ନମସ୍କାର !” –ସାପ ଉତ୍ତର ଦେଲା ।

 

“ଏଇଟା କୋଉ ଗ୍ରହ ତୁ କହିପାରିବୁ ?” –ରାଜକୁମାର ପଚାରିଲା ।

 

“ଏଇଟା ପୃଥିବୀ । ଇଏ ହେଉଚି ଆଫ୍ରିକା ।” ସାପ ଉତ୍ତର ଦେଲା ।

 

“ସତେ ? ପୃଥିବୀରେ କ’ଣ କେହି ଜଣେ ହେଲେ ମଣିଷ ନାହାନ୍ତି ?”

 

“ଏଇଟା ହେଉଚି ମରୁଭୂମି । ମରୁଭୂମିରେ ଲୋକ ବାସ କରନ୍ତି ନାହିଁ । ପୃଥିବୀ ଭାରି ବଡ଼ ।” –ସାପ ଉତ୍ତର ଦେଇ କହିଲା ।

 

ରାଜକୁମାର ଯାଇ ଖଣ୍ଡିଏ ପଥର ଉପରେ ବସିପଡ଼ିଲା । ଉପରକୁ ଆଖି ଟେକି ଆକାଶ ଆଡ଼କୁ ଅନାଇଲା ।

 

“ମୁଁ ବେଳେବେଳେ ଭାରି ଆଶ୍ଚର୍ଯ୍ୟ ହୋଇ ଭାବେ,”–ରାଜକୁମାର କହିଲା,–“ମୁଁ ଭାବେ, ତାରାମାନେ ଆକାଶରେ ଏଇଥିପାଇଁ ଆଲୁଅ ଦିଅନ୍ତି, ଯେପରିକି ଉପରକୁ ଅନାଇ ସେହି ଆଲୁଅର ସାହାଯ୍ୟରେ ଆମେ ନିଜ ନିଜର ତାରଟିମାନ ଚିହ୍ନିନେଇ ପାରିବୁ ! ମୋ ଗ୍ରହଟିକୁ ଅନାଇ ଦେଖିଲୁ-! ଠିକ୍‍ ଆମ ମୁଣ୍ଡ ଉପରେ । କିନ୍ତୁ କେତେ ଦୂର !”

Image

“ଭାରି ସୁନ୍ଦର ଗ୍ରହଟିଏ !” –ସାପ କହିଲା–କିନ୍ତୁ ତୁ ଏଠିକି ଆସିଲୁ କିପରି ?

 

“ଗୋଟିଏ ଫୁଲ ନେଇ ମୁଁ ଟିକିଏ ଅସୁବିଧାରେ ପଡ଼ିଯାଇଚି” –ରାଜକୁମାର ଉତ୍ତର ଦେଲା ।

 

ସାପ ହୁଁ ମାରିଲା । କିଛିକ୍ଷଣ ଦୁହେଁଯାକ ନୀରବ ରହିଲେ ।

 

“କିନ୍ତୁ ମଣିଷମାନେ ଗଲେ କୁଆଡ଼େ ?” –ପୁଣି କଥାବାର୍ତ୍ତା ଆରମ୍ଭ କରି ରାଜକୁମାର ପଚାରିଲା–“ଏହି ମରୁଭୂମିଟାରେ ମୋତେ ଟିକିଏ ଏକୁଟିଆ ଏକୁଟିଆ ଲାଗୁଚି ।”

 

“ମଣିଷଙ୍କର ମେଳରେ ମଧ୍ୟ ଏକୁଟିଆ ଲାଗେ !” –ସାପ ଉତ୍ତର ଦେଲା ।

 

ଅନେକ ସମୟ ପର୍ଯ୍ୟନ୍ତ ସାପଆଡ଼କୁ ଅନାଇ ରହି ରାଜକୁମାର ଶେଷକୁ ପଚାରିଲା,

 

“ତୁ ତ ବେଶ୍‍ କଉତୁକିଆ ଜୀବଟିଏ ହୋଇଚୁ ! –ମୋର ହାତ ଆଙ୍ଗୁଠିଠାରୁ ମଧ୍ୟ ଅଧିକ ମୋଟା ହେବୁ ନାହିଁ !”

 

“କିନ୍ତୁ ରାଜାର ଆଙ୍ଗୁଠିଠାରୁ ମଧ୍ୟ ମୋର ଅଧିକ ଶକ୍ତି ରହିଚି !” –ସାପ ଉତ୍ତର ଦେଲା-

 

ରାଜକୁମାର ମୁରୁକି ମୁରୁକି ହସୁଥାଏ ।

 

“ତୋର ପୁଣି କି ଶକ୍ତି ହେବ ? ତୋର ତ ପାଦ ନାହିଁ, ତୁ ତ କୁଆଡ଼େ ଯାଇପାରିବୁ ନାହିଁ !”

“କିନ୍ତୁ ଇଚ୍ଛାକଲେ ମୁଁ ତୋତେ ଯେକୌଣସି ଜାହାଜଠାରୁ ମଧ୍ୟ ଅଧିକ ଦୂରକୁ ନେଇଯାଇ ପାରିବି !” –ସାପ ଉତ୍ତର ଦେଲା । ତା’ପରେ ସେ ଯାଇ ରାଜକୁମାରର ଆଣ୍ଠୁରେ ଗୁଡ଼ାଇ ହୋଇ ରହିଲା–ସତେଅବା ରାଜକୁମାର ସୁନାର ବଳାଟିଏ ପିନ୍ଧିଥିବା ପରି ଦେଖା ଯାଉଥାଏ ।

“ଯିଏ ଯେଉଁ ସଂସାରରୁ ଆସିଥାଉ ପଛକେ, ମୁଁ ତାକୁ ଛୁଇଁଲାମାତ୍ରକେ ତତ୍‍କ୍ଷଣାତ୍‍ ତାହାକୁ ପୁଣି ସେହି ସଂସାରକୁ ପଠାଇଦିଏ ।” ସାପ କହିବାକୁ ଲାଗିଲା । “କିନ୍ତୁ ତୁ ଭାରି ନିରୀହ, ତୋର ମନଟା ମଧ୍ୟ ଭାରି ସଫା । ପୁଣି ତୁ ଆଉ ଏକ ତାରାରୁ ମଧ୍ୟ ଏଠାକୁ ଆସିଚୁ......”

ଟିକି ରାଜକୁମାର କୌଣସି ଉତ୍ତର ଦେଲା ନାହିଁ ।

“ତୋତେ ଦେଖି ମୋର ମନରେ ଭାରି ଦୟା ହେଉଚି, ଏହି ଟାଆଁସିଆ ପୃଥିବୀର ପଥର ଉପରେ ତୁ ଅତି ଦୁର୍ବଳ ଓ କୋମଳ ମନେ ହେଉଚୁ”–ସାପ କହୁଥାଏ–“ଯଦି କୌଣସି ଦିନ ତୋତେ ଏଠାରେ ଖରାପ ଲାଗିବ ଓ ତୋରି ଆପଣା ଗ୍ରହରେ ଥିବା ଘରକଥା ମନେପଡ଼ିବ, ତେବେ ସେତେବେଳେ ମୁଁ ନିଶ୍ଚୟ ତୋତେ ସାହାଯ୍ୟ କରିବାକୁ ଆସିବି । ମୁଁ–”

“ଓ ହୋ ! ତୋର କଥା ମୁଁ ଭଲକରି ବୁଝିପାରୁଚି ।” –ରାଜକୁମାର ଉତ୍ତର ଦେଲା । “କିନ୍ତୁ ତୁ ସବୁବେଳେ ଏପରି ପ୍ରହେଳିରେ କଥାବାର୍ତ୍ତା କରୁଚୁ କାହିଁକି ?”

ସାପ ଉତ୍ତର ଦେଇ କହିଲା, “ମୁଁ ସବୁ ପ୍ରହେଳିର ସମାଧାନ କରିଦିଏ ।”

ଦୁହେଁଯାକ ପୁଣି ନୀରବ ହୋଇଗଲେ ।

 

।। ଅଠର ।।

 

ମରୁଭୂମି ଅତିକ୍ରମ କରି ଗଲାପରେ ରାଜକୁମାର ଗୋଟିଏ ଫୁଲ ଦେଖିଲା । ସେହି ଫୁଲଟିର ତିନୋଟି ପାଖୁଡ଼ା–ଏକ ଅତି ସାଧାରଣ ଫୁଲଟିଏ ।

 

“ନମସ୍କାର !” –ରାଜକୁମାର ପ୍ରଣାମ କରି କହିଲା ।

 

“ନମସ୍କାର !” –ଫୁଲ ଜବାବ ଦେଲା ।

 

“ମଣିଷମାନେ କୁଆଡ଼େ ଗଲେ ?” –ଅତ୍ୟନ୍ତ ଭଦ୍ରତା ସହକାରେ ରାଜକୁମାର ପଚାରିଲା ।

 

ଫୁଲ ଥରେ ସେହି ବାଟରେ ଗୋଟିଏ ଓଟଯାତ୍ରୀଦଳ (କରାଭାନ୍‍)କୁ ଯିବାର ଦେଖିଥିଲା ।

 

“ମଣିଷ ?” –ଫୁଲ ଉତ୍ତର ଦେଲା–“ମୋର ଅନୁମାନ ପୃଥିବୀରେ ବର୍ତ୍ତମାନ ଛଅ କି ସାତଜଣ ମଣିଷ ବାସ କରୁଚନ୍ତି । ମୁଁ ସେମାନଙ୍କୁ ଥରେ ଦେଖିଥିଲି । କିନ୍ତୁ ତାହା ଅନେକ ବର୍ଷ ତଳର କଥା ହୋଇଗଲାଣି । ସେମାନେ ବର୍ତ୍ତମାନ କେଉଁଠାରେ ଥିବେ, ସେକଥା କେହି କହିପାରିବେ ନାହିଁ । ପବନ ସେମାନଙ୍କୁ କୁଆଡ଼େ କୁଆଡ଼େ ଉଡ଼ାଇ ନେଇଯାଏ । ମଣିଷମାନଙ୍କର କୌଣସି ଚେର ନାହିଁ, ସେଥିଲାଗି ସେମାନଙ୍କୁ ବଡ଼ ଶୋଚନୀୟ ଭାବରେ ଜୀବନ କାଟିବାକୁ ପଡ଼େ-।”

Image

“ବିଦାୟ !” –ରାଜକୁମାର କହିଲା ।

 

“ବିଦାୟ !” –ଫୁଲଟି ଉତ୍ତର ଦେଲା ।

 

।। ଊଣେଇଶ ।।

 

ତା’ପରେ ରାଜକୁମାର ଗୋଟିଏ ଉଚ୍ଚ ପର୍ବତ ଉପରେ ଯାଇ ଚଢ଼ିଲା । ପର୍ବତ କହିଲେ ସେ ପୂର୍ବରୁ କେବଳ ତିନୋଟିମାତ୍ର ଆଗ୍ନେୟଗିରି ଦେଖିଥିଲା । ସେଗୁଡ଼ିକ ତା’ର ଆଣ୍ଠୁଠାରୁ ଅଧିକ ଉଚ୍ଚ ନ ଥିଲେ । ସୁପ୍ତ ଆଗ୍ନେୟଗିରିଟିକୁ ସେ ବସିବାର ଟୁଲ୍‍ ପରି ବ୍ୟବହାର କରୁଥିଲା । ତେଣୁ ବର୍ତ୍ତମାନ ସେ ମନେମନେ ଭାବିଲା, “ଏଡ଼େବଡ଼ ଗୋଟାଏ ଉଚ୍ଚ ପର୍ବତର ଉପରକୁ ଚାଲିଗଲେ ମୁଁ ଏକାଥରକେ ସାରା ପୃଥିବୀଟାକୁ ଦେଖିପାରିବି, ସବୁ ମଣିଷଙ୍କୁ ମଧ୍ୟ ଦେଖିପାରିବି ।”

 

କିନ୍ତୁ ପର୍ବତ ଉପରକୁ ଯାଇ ସେ କିଛି ଦେଖିପାରିଲା ନାହିଁ । ଯୁଆଡ଼କୁ ଅନାଉଥାଏ, କେବଳ ପର୍ବତ ଶୃଙ୍ଗମାନ ଛୁଞ୍ଚିପରି ମୁନିଆଁ ହୋଇ ଆକାଶ ଭେଦି ରହିଥାଆନ୍ତି ।

Image

“ନମସ୍କାର !” –ସେ ଭାରି ଉତ୍କଣ୍ଠିତ ଭାବରେ ପାଟିକରି କହିଲା ।

 

“ନମସ୍କାର,–ନମସ୍କାର,–ନମ-ସ୍କା-ର-” ପ୍ରତିଧ୍ଵନି ଜବାବ ଦେଲା ।

 

“ତୁ କିଏ ?” –ରାଜକୁମାର ପଚାରିଲା ।

 

“ତୁ କିଏ–ତୁ କିଏ–କିଏ–କିଏ ?” –ପ୍ରତିଧ୍ଵନି ଶୁଭିବାକୁ ଲାଗିଲା ।

 

“ମୋର ସାଙ୍ଗ ହେବୁ ଆ । ମତେ ଭାରି ଏକୁଟିଆ ଲାଗୁଚି ।” –ରାଜକୁମାର ପୁଣି କହିଲା ।

 

“ଏକୁଟିଆ ଲାଗୁଚି–ଏକୁଟିଆ ଲାଗୁଚି–ଲାଗୁଚି–ଲାଗୁଚି” ପ୍ରତିଧ୍ଵନି ଶୁଭିଲା ।

 

“କେଡ଼େ ବିଚିତ୍ର ଗ୍ରହ ଏଇଟା !” –ରାଜକୁମାର ମନେମନେ ଭାବୁଥାଏ । “ଚାରିଆଡ଼ଟାଯାକ ଖାଲି ଶୁଖିଲା, ଚାରିଆଡ଼ଯାକ ଖାଲି ଗୋଜିଆ ଗୋଜିଆ–ଚାରିଆଡ଼ଯାକ ଖାଲି ପଥୁରିଆ ! ଏପରି ସ୍ଥାନକୁ କିଏ କାହିଁକି ଆସିବ ? ମଣିଷଗୁଡ଼ାଙ୍କର ଆଦୌ କଳ୍ପନାଶକ୍ତି ନାହିଁ-। ସେମାନଙ୍କୁ ଯେତେବଡ଼ ପାଟିକରି ଯେତେ ଯାହା କହିଲେ ମଧ୍ୟ ସେମାନେ ଠିକ୍‍ ସେଇକଥାକୁ ଓଲଟିକରି କହୁଛନ୍ତି । ମୋର ଗ୍ରହରେ ମୋ ଫୁଲଟି ଥିଲା;–ସେ ମୋତେ ସର୍ବଦା ଆଗ କଥା କହୁଥିଲା !”

 

।। କୋଡ଼ିଏ ।।

 

କିନ୍ତୁ ତା’ପରେ ବାଲି, ପାହାଡ଼ ଓ ବରଫ ଭିତରେ ଅନେକ ବାଟ ଅତିକ୍ରମ କରିବା ପରେ ଶେଷରେ ରାଜକୁମାର ଭାଗ୍ୟକ୍ରମେ ଗୋଟିଏ ରାସ୍ତା ଉପରେ ଆସି ପହଞ୍ଚିଲା । ଏହି ଜଗତରେ ପ୍ରତ୍ୟେକ ରାସ୍ତା ମନୁଷ୍ୟମାନଙ୍କର ନିବାସସ୍ଥାନକୁ ହିଁ ପଡ଼ିଥାଏ ।

 

“ନମସ୍କାର”–ସେ କହିଲା ।

 

ସେ ଗୋଟିଏ ଉଦ୍ୟାନ ପାଖରେ ଠିଆ ହୋଇଥାଏ । ସେହି ଉଦ୍ୟାନଟି ଗୋଲାପ ଫୁଲରେ ଭରପୂର ଦିଶୁଥାଏ ।

 

“ନମସ୍କାର ।” –ଫୁଲମାନେ ଉତ୍ତର ଦେଲେ ।

 

ରାଜକୁମାର ସେମାନଙ୍କ ଆଡ଼କୁ ଅନାଇ ଦେଖିଲା । ସବୁଗୁଡ଼ିକ ତା’ର ଆପଣା ଗ୍ରହରେ ଥିବା ଗୋଲାପଫୁଲଟି ପରି ଦେଖାଯାଉଥାନ୍ତି ।

 

“ତୁମେସବୁ କିଏ ?” –ସେ ବଜ୍ରାହତ ହେଲାପରି ପଚାରିଲା ।

 

“ଆମେସବୁ ଗୋଲାପଫୁଲ !” –ଗୋଲାପମାନେ ଉତ୍ତର ଦେଲେ ।

 

ରାଜକୁମାର ଏକଥା ଶୁଣି ଦୁଃଖରେ ଅଭିଭୂତ ହୋଇପଡ଼ିଲା । ତା’ରି ଆପଣା ଫୁଲଟି ଦିନେ ତା’ ଆଗରେ କହିଥିଲା ଯେ ତା’ଭଳି ଦ୍ଵିତୀୟ ଫୁଲ ଏହି ବିଶ୍ଵବ୍ରହ୍ମାଣ୍ଡରେ ଅନ୍ୟ କେଉଁଠି ହେଲେ ନାହିଁ ଏବଂ ଏଠାରେ ମାତ୍ର ଗୋଟିଏ ଉଦ୍ୟାନରେ ତା’ପରି ପାଞ୍ଚହଜାର ଫୁଲ ଫୁଟିଚନ୍ତି । ସମସ୍ତେ ଠିକ୍‍ ଏକାଭଳି ଦେଖାଯାଉଚନ୍ତି !

Image

“ଏକଥା ଦେଖିଲେ ସେ ଭାରି ରାଗିଯିବ”–ରାଜକୁମାର ଭାବିବାକୁ ଲାଗିଲା । “ସଙ୍ଗେ ସଙ୍ଗେ ତା’ର ସାଂଘାତିକ କାଶ ଆରମ୍ଭ ହୋଇଯିବ । ଉପହାସରୁ ରକ୍ଷା ପାଇବାପାଇଁ ସେ ସତେଅବା ମରିବାକୁ ଯାଉଚି ବୋଲି ଛଳନା କରିବ । ମୁଁ ବି ତାକୁ ମୃତ୍ୟୁମୁଖରୁ ବଞ୍ଚାଇବା ପାଇଁ ତା’ର ଶୁଶ୍ରୂଷା କରିବାର ଛଳନା କରିବି । କାରଣ ସେସବୁ କରି ମୁଁ ଆପଣାକୁ ଟିକିଏ ନମ୍ର ବୋଲି ନ ଦେଖାଇଲେ ସେ ହୁଏତ ସତକୁସତ ମରିଯିବ ।”

 

ସେ ସେହିପରି ଭାବରେ ଭାବିବାରେ ଲାଗିଥାଏ, “ମୁଁ ଆପଣାକୁ କେଡ଼େ ଧନୀ ବୋଲି ଭାବୁ ନ ଥିଲି ! ମୋର ଫୁଲଟି ପରି ସଂସାରରେ ଆଉ ଦ୍ଵିତୀୟ ଫୁଲ କେଉଁଠିହେଲେ ନାହିଁ ବୋଲି ମୁଁ କେଡ଼େ ଆଣ୍ଟ କରିଥିଲି ! କିନ୍ତୁ ଆଜି ହୃଦୟଙ୍ଗମ କରୁଚି ଯେ ମୁଁ କେବଳ ଗୋଟାଏ ଅତି ସାଧାରଣ ଗୋଲାପଫୁଲକୁ ନେଇ ଫୁଲୁଥିଲି ! ପ୍ରକୃତରେ ଦେଖିବାକୁ ଗଲେ ମୋ ପାଖରେ ଆଉ କି ସମ୍ପତ୍ତି ରହିଲା ? ଗୋଟାଏ ଅତି ସାଧାରଣ ଗୋଲାପଫୁଲ, ଆଣ୍ଠୁଉଚ୍ଚ ତିନୋଟି ଆଗ୍ନେୟଗିରି–ସେଥିରୁ ପୁଣି ଗୋଟିଏ ସୁପ୍ତ–ହୁଏତ ସବୁଦିନ ପାଇଁ ନିଭିଯାଇଚି । କେବଳ ଏହି ଛାର ଧନକୁ ନେଇ ମୁଁ ଗୋଟାଏ ମସ୍ତବଡ଼ ଯୁବରାଜ ବୋଲାଉଥିଲି, ନା ?”

 

ଘାସ ଉପରେ ଶୋଇରହି ରାଜକୁମାର କାନ୍ଦିବାକୁ ଲାଗିଲା ।

 

।। ଏକୋଇଶି ।।

Image

ସେତିକିବେଳେ କୋକିଶିଆଳି ଆସି ପହଞ୍ଚିଲା ।

 

“ନମସ୍କାର !” ସମ୍ବୋଧନ କରି କୋକିଶିଆଳି କହିଲା ।

 

“ନମସ୍କାର”–ଅତି ଭଦ୍ରତାର ସହିତ ରାଜକୁମାର ଉତ୍ତର ଦେଲା । କିନ୍ତୁ ଚାରିଆଡ଼କୁ ଅନାଇ ସେ କେଉଁଠି କିଛି ଦେଖିପାରିଲା ନାହିଁ ।

 

“ମୁଁ ଆସି ଏଠି ।” –କଣ୍ଠସ୍ଵର ଶୁଭିଲା,–“ଏଇଠି ଏଇ ଆତଗଛର ତଳେ ।”

 

“ତୁ କିଏ ?” –ରାଜକୁମାର ପଚାରିଲା,–“ତୁ ଦେଖିବାକୁ ବଡ଼ ସୁନ୍ଦର !”

 

“ମୁଁ ଗୋଟିଏ କୋକିଶିଆଳି,”–କୋକିଶିଆଳି ଉତ୍ତର ଦେଲା ।

 

“ଆ,–ତୁ ମୋ ସାଙ୍ଗରେ ଖେଳିବୁ ଆ,”–ରାଜକୁମାର ପ୍ରସ୍ତାବ କଲା । “ମତେ ଏକୁଟିଆ ଭାରି ଖରାପ ଲାଗୁଚି ।”

 

“ମୁଁ ତୋ ସାଙ୍ଗରେ କିପରି ଖେଳିପାରିବି କହିଲୁ ?” –କୋକିଶିଆଳି କହିଲା । “ମୁଁ ପରା ପୋଷା ହୋଇ ନାହିଁ !”

 

“ଓହୋ, ମତେ କ୍ଷମା କରିବୁ !” –ପୁଣି କିଛିକ୍ଷଣ ଚିନ୍ତା କରି ରାଜକୁମାର ପଚାରିଲା “କିନ୍ତୁ ପୋଷିବାର ଅର୍ଥ କ’ଣ ?”

 

କୋକିଶିଆଳି କହିଲା ! “ତୁ ତ ଏଠାରେ ବାସ କରୁଥିଲାପରି ଦିଶୁ ନାହୁଁ ! ତୁ କ’ଣ ଖୋଜିବୁଲୁଚୁ ?”

 

ରାଜକୁମାର ଉତ୍ତର ଦେଲା । “ମୁଁ ମଣିଷ ଖୋଜି ବୁଲୁଚି । କିନ୍ତୁ ପୋଷିବାର ଅର୍ଥ କ’ଣ-?”

 

“ମଣିଷ ?” –କୋକିଶିଆଳି କହିଲା,–ମଣିଷଙ୍କର ବନ୍ଧୁକ ଥାଏ, ସେମାନେ ଶିକାର କରନ୍ତି । ସିଏ ଭାରି ଗୋଳମାଳିଆ କଥା । ହଁ, ମଣିଷମାନେ କୁକୁଡ଼ା ମଧ୍ୟ ପାଳନ୍ତି । ଏତିକି ବ୍ୟତୀତ ସେମାନଙ୍କର ଆଉ କୌଣସି କାମ ନାହିଁ । ତୁ କ’ଣ କୁକୁଡ଼ା ଖୋଜୁଚୁ କି ?”

 

“ନାଇଁ– ।” ରାଜକୁମାର ଜବାବ ଦେଲା । “ମୁଁ ବନ୍ଧୁ ଖୋଜିବୁଲୁଚି । କିନ୍ତୁ ପୋଷିବାର ଅର୍ଥ କ’ଣ ?”

 

“ପୋଷିବା ଏପରି ଗୋଟାଏ କଥା, ଯାହାକୁ କି ଆମେ ଅନେକ ସମୟରେ ଭାରି ଅବହେଳା କରିଥାଉ । ପୋଷିବାର ଅର୍ଥ ହେଉଚି ଡୋରି ଲଗାଇବା ।”

 

“ଡୋରି ଲଗାଇବା ?”

 

“ହଁ, ଡୋରି ଲଗାଇବା ।” –କୋକିଶିଆଳି କହିବାକୁ ଲାଗିଲା । “ବର୍ତ୍ତମାନ ମୋ ଆଖିରେ ତୁ କେବଳ ଗୋଟାଏ ଛୋଟ ପିଲା, ସଂସାରର ଆହୁରି ହଜାର ହଜାର ଛୋଟପିଲାଙ୍କ ପରି ଗୋଟାଏ ଛୋଟ ପିଲା । ତୋ ସହିତ ମୋର କୌଣସି ସମ୍ପର୍କ ନାହିଁ କି ମୋ ସହିତ ମଧ୍ୟ ତୋର କୌଣସି ସମ୍ପର୍କ ନାହିଁ । ସଂସାରର ହଜାର ହଜାର କୋକିଶିଆଳିଙ୍କ ପରି ବର୍ତ୍ତମାନ ତୋ ଆଖିରେ ମୁଁ ସାମାନ୍ୟ ଗୋଟାଏ କୋକିଶିଆଳି ମାତ୍ର । କିନ୍ତୁ ଯଦି ତୁ ମୋତେ ପୋଷନ୍ତୁ, ମୋ ସହିତ ଯଦି ତୁ ଡୋରି ଲଗାଇଦିଅନ୍ତୁ, ତେବେ ତୁ ମୋତେ ଲୋଡ଼ନ୍ତୁ, ମୁଁ ମଧ୍ୟ ତୋତେ ଲୋଡ଼ନ୍ତି । ମୋ ଆଖିରେ ତୁ ସଂସାରଯାକରେ ଅସାମାନ୍ୟ ଓ ଅନନ୍ୟସାଧାରଣ ହୋଇ ଦିଶନ୍ତୁ । ତୋ ଆଖିକୁ ମୁଁ ମଧ୍ୟ ଅସାମାନ୍ୟ ଓ ଅନନ୍ୟସାଧାରଣ ହୋଇ ଦିଶନ୍ତି !”

 

“ବର୍ତ୍ତମାନ ବୋଧହୁଏ ମୁଁ ବୁଝିବାକୁ ଆରମ୍ଭ କରୁଚି–” ରାଜକୁମାର କହିଲା । “ମୋର ଗୋଟିଏ ଫୁଲ ଅଛି....ମୋର ଅନୁମାନ ସିଏ ମୋତେ ପୋଷି ନେଇଥିଲା ।”

 

“ହଁ, ହୋଇପାରେ ।” –କୋକିଶିଆଳି ଜବାବ ଦେଲା । “ଏହି ପୃଥିବୀରେ ସବୁ ସମ୍ଭବ ହୋଇପାରିବ ।”

 

“କିନ୍ତୁ ମୁଁ ଏହି ପୃଥିବୀର କଥା କହୁ ନାହିଁ ।” –ରାଜକୁମାର କହିଲା । କୋକିଶିଆଳି କିଛି ବୁଝି ନ ପାରି ଟିକିଏ ଇତସ୍ତତଃ ହୋଇଗଲା । ସେ ଭାରି ଉତ୍କଣ୍ଠାର ସହିତ ପଚାରିଲା ।

 

“ତେବେ ତୁ ଆଉ ଏକ ଗ୍ରହର କଥା କହୁଚୁ ?”

 

“ହଁ ।”

 

“ସେଠି ଶିକାରୀ ଅଛନ୍ତି ?”

 

“ନା– ।”

 

“ଭାରି ବଢ଼ିଆ ! ଆଉ କୁକୁଡ଼ା ?”

 

“ନା– ।”

 

“ସବୁଠାରେ କିଛି ନା କିଛି ଖୁଣ ରହିଛି, କିଛି ନା କିଛି ମନ୍ଦ ରହିଚି !”–କୋକିଶିଆଳି ଦୀର୍ଘ ନିଃଶ୍ଵାସ ପକାଇଲା ।

 

କିନ୍ତୁ ସେ ପୁଣି ତା’ର ପୂର୍ବ କଥାକୁ ଫେରିଆସିଲା ।

 

“ଏ ଭେରସିଆ ଜୀବନ ଭାରି କେଚକେଚା ଲାଗିଲାଣି”–କୋକିଶିଆଳି କହିବାକୁ ଆରମ୍ଭ କଲା । “ମୁଁ କୁକୁଡ଼ା ଶିକାର କରି ବୁଲେ, ମଣିଷମାନେ ମୋତେ ଶିକାର କରନ୍ତି । ସବୁ କୁକୁଡ଼ାଗୁଡ଼ାକ ମତେ ଏକାପରି ଲାଗନ୍ତି । ସବୁ ମଣିଷଗୁଡ଼ାକ ମଧ୍ୟ ଏକାପରି ଲାଗନ୍ତି । ଏମିତି ଏମିତି ଦିନ କଟି ମତେ ଭାରି ବିରକ୍ତି ଲାଗୁଚି । କିନ୍ତୁ ଯଦି ତୁ ମତେ ପୋଷି ନିଅନ୍ତୁ, ତେବେ ମୋର ଜୀବନରେ ସୂର୍ଯ୍ୟୋଦୟ ହେଲାପରି ଲାଗନ୍ତା । ତେବେ ଅନ୍ୟାନ୍ୟ ସମସ୍ତ ପଦଶବ୍ଦଠାରୁ ଅତି ସ୍ଵତନ୍ତ୍ର ଆଉ ଗୋଟିଏ ପଦଶବ୍ଦକୁ ମୁଁ ଚିହ୍ନିବାକୁ ଆରମ୍ଭ କରନ୍ତି । ଅନ୍ୟାନ୍ୟ ପଦଶବ୍ଦ ଶୁଣିଲେ ମୁଁ ବର୍ତ୍ତମାନ ଦୌଡ଼ିଯାଇ ଗାତରେ ଲୁଚିଯାଉଚି । କିନ୍ତୁ ତୋ ପାଦର ଶବ୍ଦ ସଙ୍ଗୀତର ଆକର୍ଷଣରେ ମୋତେ ଗାତରୁ ବାହାରକରି ଆଣିବ । ସେଠାରେ ସେହି ଶସ୍ୟକିଆରି ଦେଖିପାରୁଚୁ ? ମୁଁ ତ ରୁଟି ଖାଏ ନାହିଁ, ତେଣୁ ଗହମ ମୋର କୌଣସି କାମରେ ଲାଗେ ନାହିଁ । ଗହମ କିଆରିରୁ ମୁଁ କୌଣସି ଆକର୍ଷଣ ଅନୁଭବ କରିପାରେ ନାହିଁ । ଏହା ବଡ଼ ଦୁଃଖର କଥା । କିନ୍ତୁ ତୋ ମୁଣ୍ଡ ବାଳର ରଙ୍ଗ ଠିକ୍‍ ସୁନାର ରଙ୍ଗ ପରି । ତୁ ଭାବିଲୁ, ମୋତେ ତୁ ପୋଷିନେଲେ କେଡ଼େ ଅଦ୍ଭୁତ କଥା ହେବ ! ଶସ୍ୟର ରଙ୍ଗ ମଧ୍ୟ ସୁନାର ରଙ୍ଗ ପରି, ତେଣୁ ତାକୁ ଅନାଇଲା ବେଳେ ମୋର ତୋହରି କଥା ମନେ ପଡ଼ିଯିବ । ଗହମକିଆରିରୁ ସୁ ସୁ ସଙ୍ଗୀତ ଗାଇ ବହି ଆସୁଥିବା ପବନର ଶବ୍ଦକୁ ଶୁଣିବାକୁ ମଧ୍ୟ ମତେ କ୍ରମେ ଭାରି ଭଲ ଲାଗିବ ।”

 

ଅନେକ ସମୟ ଧରି କୋକିଶିଆଳି ରାଜକୁମାରକୁ ଅନାଇ ରହିଲା ।

 

“ତୁ ମତେ ପୋଷ !” –ଭାରି ଅନୁନୟ କରି ସେ ରାଜକୁମାରକୁ କହିଲା ।

 

“ପୋଷିବାକୁ ତ ମୋର ଭାରି ଇଚ୍ଛା ହେଉଚି”–ରାଜକୁମାର ଉତ୍ତର ଦେଲା । “କିନ୍ତୁ ସେଥିଲାଗି ମୋର ସମୟ କାହିଁ ? ମୁଁ ପରା ବନ୍ଧୁ ଖୋଜି ବାହାରିଚି, ଅନେକ କଥା ବୁଝିବାଲାଗି ବାହାରିଚି !”

 

“ତୁ ଯାହାକୁ ପୋଷିବୁ, କେବଳ ତାହାକୁ ହିଁ ତୁ ବୁଝିପାରିବୁ ।”–କୋକିଶିଆଳି ବୁଝାଇ କହିଲା । “ମଣିଷମାନଙ୍କର ଆଉ କୌଣସି କଥା ବୁଝିବାଲାଗି ବେଳ ନାହିଁ । ଦୋକାନ ଭିତରକୁ ଯାଇ ସେମାନେ କେବଳ ଆଗରୁ ତିଆରି ହୋଇ ରହିଥିବା ଜିନିଷ କିଣିବାରେ ବ୍ୟସ୍ତ ରହିଚନ୍ତି । କିନ୍ତୁ ବନ୍ଧୁତା ତ ଆଉ ଦୋକାନରେ କିଣିବାକୁ ମିଳେ ନାହିଁ । ତେଣୁ ମଣିଷର ଆଉ କୌଣସି ବନ୍ଧୁ ନାହାନ୍ତି । ଯଦି ତୁ ବନ୍ଧୁ ଖୋଜୁଚୁ, ତେବେ ମତେ ପୋଷ !”

 

“ତୋତେ ପୋଷିବାକୁ ହେଲେ ମୁଁ କ’ଣ ସବୁ କରିବି, ତୁ ମତେ ବତେଇ ଦେଉନୁ !” –ରାଜକୁମାର ପଚାରିଲା ।

 

“ସେଥିପାଇଁ ତୋତେ ଅନେକ ଧୈର୍ଯ୍ୟ ଧରିବାକୁ ପଡ଼ିବ ।” କୋକିଶିଆଳି ଉତ୍ତର ଦେଲା । “ପ୍ରଥମେ ତୁ ମୋ’ଠାରୁ ଖଣ୍ଡେ ଦୂରରେ ଆସି ବସିବୁ, ଠିକ୍‍ ସେମିତି ସେହି ଘାସ ଉପରେ ଭାରି ସ୍ଥିର ହୋଇ ବସିବୁ । ମୋର ଆଖିର କୋଣରୁ ମୁଁ ତୋତେ ଥିରି ଥିରି ଅନାଇ ଦେଖିବି । ତୁ କିଛି କହିବୁ ନାହିଁଟି ! କେବଳ ଚୁପ୍‍ ହୋଇ ବସିବୁ । କଥା କହିଲେ ହିଁ ସବୁ ଭଣ୍ଡୁର ହୋଇଯାଏ । ଜଣେ ଆଉଜଣକୁ ଭୁଲ ଭୁଝିବାକୁ ଆରମ୍ଭ କରେ । ହଁ, ଦିନକୁ ଦିନ ତୁ ମୋ ପାଖକୁ ପାଖେଇ ପାଖେଇ ବସିଥିବୁ ।”

 

ତହିଁଆରଦିନ ରାଜକୁମାର ପୁଣି ସେହିଠାକୁ ଫେରିଆସିଲା ।

 

“ତୁ କାଲି ଯେତେବେଳେ ଆସିଥିଲୁ, ଆଜି ତୋର ଠିକ୍‍ ସେତିକିବେଳେ ଆସିବା ଉଚିତ ଥିଲା ।”

 

–ରାଜକୁମାରକୁ ଦେଖି କୋକିଶିଆଳି କହିଲା । “ମନେକର, ତୁ ଉପରଓଳି ଚାରିଟାବେଳେ ଆସି ଏଠାରେ ପହଞ୍ଚିବୁ । ତେବେ ତିନିଟା ବାଜିବା ମାତ୍ରକେ ମୁଁ ଖୁସି ହେବାକୁ ଆରମ୍ଭ କରିବି । ସମୟ ଯେତିକି ଯେତିକି ଅଧିକ ହେଉଥିବ, ମୁଁ ସେତିକି ସେତିକି ଅଧିକ ଖୁସି ହେଉଥିବି । ଆଉ ଚାରିଟା ବାଜିଲା ବେଳକୁ ମୁଁ ଖୁସିରେ ଅସ୍ଥିର ହୋଇ ଡେଇଁବାକୁ ଆରମ୍ଭ କରିବି-। ତୋ ଲାଗି ମୁଁ ପ୍ରକୃତରେ କେଡ଼େ ଖୁସି, ତୋତେ ତାହା ଦେଖାଇ ଦେଇପାରିବି-। କିନ୍ତୁ ତୁ ଯଦି ଯେତେବେଳେ ଇଚ୍ଛା ସେତେବେଳେ ଆସିବୁ, ତେବେ ଠିକ୍‍ କେତେଟାବେଳେ ମୋର ହୃଦୟ ତୋତେ ଅଭିନନ୍ଦନ କରି ଆଣିବାକୁ ପ୍ରସ୍ତୁତ ହେବ, ମୁଁ ସେକଥା ଆଦୌ ଜାଣିପାରିବି ନାହିଁ-। ପ୍ରତ୍ୟେକ ବିଷୟରେ ଆମକୁ ଉଚିତ ବିଧି ସବୁ ମାନି ଚଳିବାକୁ ପଡ଼ିବ !”

 

“ବିଧିର ଅର୍ଥ ପୁଣି କ’ଣ ?”

 

“ଏଇଟାକୁ ମଧ୍ୟ ଅନେକେ ଅନେକ ସମୟରେ ଭାରି ଅବହେଳା କରିଥାନ୍ତି” –କୋକିଶିଆଳି ଉତ୍ତର ଦେଇ କହିଲା । “ବିଧି ହିଁ ଗୋଟାଏ ଦିନକୁ ଅନ୍ୟ ସମସ୍ତ ଦିନଠାରୁ ସ୍ଵତନ୍ତ୍ର କରିଦିଏ, ଗୋଟାଏ ଘଣ୍ଟାକୁ ଆଉ ଅନ୍ୟାନ୍ୟ ଅନେକ ଘଣ୍ଟାଠାରୁ ସ୍ଵତନ୍ତ୍ର କରିଦିଏ । ଯେଉଁ ଲୋକମାନେ ମୋତେ ଶିକାର କରିବାକୁ ଆସନ୍ତି, ସେମାନଙ୍କର ମଧ୍ୟ ଗୋଟିଏ ବିଧି ରହିଚି । ପ୍ରତି ଗୁରୁବାର ଦିନ ସେମାନେ ଗାଆଁଝିଅଙ୍କ ସାଙ୍ଗରେ ନାଚନ୍ତି । ତେଣୁ ପ୍ରତି ଗୁରୁବାର ମୋ ଲାଗି ଏକ ଆନନ୍ଦର ଦିନ ହୋଇଯାଏ । ସେଦିନ ମୁଁ ଅଙ୍ଗୁର ବଗିଚାଯାଏ ମନଇଚ୍ଛା ବିଚରଣ କରୁଥାଏ । କିନ୍ତୁ ଭାବି ଦେଖିଲୁ, ଯଦି ଶିକାରୀମାନେ ଯେଉଁ ଦିନ ଇଚ୍ଛା ସେଦିନ ନାଚୁଥାନ୍ତେ, ତେବେ ସବୁଦିନ ମୋ ଲାଗି ସମାନ ହୋଇଥାଆନ୍ତା । ମୁଁ ଦିନେ ହେଲେ ଛୁଟି ପାଇପାରନ୍ତି ନାହିଁ ।”

Image

ଏହିପରି ଭାବରେ ରାଜକୁମାର କୋକିଶିଆଳିକୁ ପୋଷିନେଲା ଏବଂ ଯେତେବେଳେ ବିଦାୟର ସମୟ ଆସି ପହଞ୍ଚିଲା, କୋକିଶିଆଳି କହିଲା, “ଏଥର ମୋର କାନ୍ଦିବାର ବେଳ ଆସିଲା-!”

 

“ତାହା ହେଉଚି ତୋ ନିଜର ଦୋଷ,” ରାଜକୁମାର ତାକୁ କହିଲା ।

 

ମୁଁ ତ କେବେହେଲେ ତୋତେ କୌଣସି ପ୍ରକାର ଦୁଃଖ ଦେବାକୁ ଇଚ୍ଛା କରି ନାହିଁ । କିନ୍ତୁ ତୋତେ ପୋଷିବାଲାଗି ତୁଇ ତ ମୋତେ ଏତେ ଜିଦ୍‍ କରି କହିଲୁ !”

Image

“ହୁଁ !” –କୋକିଶିଆଳି ଆଉ କିଛି କହିଲା ନାହିଁ ।

 

“ତେବେ ବର୍ତ୍ତମାନ ପୁଣି କାନ୍ଦୁଚୁ କାହିଁକି ?” ରାଜକୁମାର ପଚାରିଲା ।

 

କୋକିଶିଆଳି କେବଳ ହୁଁଟିଏ ମାରିଲା ।

 

“ତେବେ ମୋ ସହିତ ବନ୍ଧୁ ବାନ୍ଧି ତୋର କୌଣସି ଲାଭ ହେଲା ନାହିଁ ।” –ରାଜକୁମାର ପୁଣି ପଚାରିଲା ।

 

“ହଁ, ଲାଭ ନିଶ୍ଚୟ ହୋଇଚି ।” –କୋକିଶିଆଳି ଉତ୍ତର ଦେଲା । “ଗହମକିଆରିର ରଙ୍ଗର କଥା କ’ଣ ତୋର ମନେ ନାହିଁ ?” ତା’ପରେ ପୁଣି କହିବାକୁ ଆରମ୍ଭ କଲା–

 

“ସେହି ଗୋଲାପଫୁଲଗୁଡ଼ିକୁ ତୁ ଆଉଥରେ ଦେଖିଆସିବୁ ଯାଆ । ତୋର ଆପଣାର ଫୁଲଟି ସଂସାରରେ କିପରି ଅସାମାନ୍ୟ ଓ ଅସାଧାରଣ, ତୁ ଏଥର ସେ କଥା ନିଶ୍ଚୟ ବୁଝିପାରିବୁ । ତା’ପରେ ମୋ ପାଖକୁ ବିଦାୟ ନେବାକୁ ଆସିବୁ । ତୋତେ ଗୋଟିଏ ଗୂଢ଼ ସତ୍ୟ ଉପହାର ଦେଇ ମୁଁ ତୋତେ ବିଦାୟ ଦେବି ।”

 

ଗୋଲାପଗୁଡ଼ିକୁ ରାଜକୁମାର ଆଉଥରେ ଦେଖିବାକୁ ଗଲା ।

 

“ତୁମେମାନେ ମୋର ଗୋଲାପ ପରି କଦାପି ନୁହଁ”–ସେ ଯାଇ ସେମାନଙ୍କୁ କହିଲା । “ଏପର୍ଯ୍ୟନ୍ତ ତୁମମାନଙ୍କର କୌଣସି ମୂଲ୍ୟ ନାହିଁ । ତୁମମାନଙ୍କୁ କେହି ପୋଷି ନାହାନ୍ତି, ତୁମେମାନେ ମଧ୍ୟ କାହାରିକୁ ପୋଷି ନାହଁ । ମୁଁ ମୋର କୋକିଶିଆଳିକୁ ପ୍ରଥମେ ଜାଣିଲାବେଳେ ମୋ ଆଖିରେ ସେ ଯେମିତି ଥିଲା, ତୁମେସବୁ ବର୍ତ୍ତମାନ ଠିକ୍‍ ସେମିତି ଅଛ । ସେତେବେଳେ ସେ ଅନ୍ୟାନ୍ୟ ଶହେ କି ହଜାରେ କୋକିଶିଆଳିଙ୍କ ପରି କେବଳ ଗୋଟିଏ ସାମାନ୍ୟ କୋକିଶିଆଳି ମାତ୍ର ଥିଲା । କିନ୍ତୁ ମୁଁ ତାକୁ ବନ୍ଧୁ କରିନେଇଚି ଓ ସେ ବର୍ତ୍ତମାନ ମୋ ଲାଗି ଅସାଧାରଣ ଓ ଅସାମାନ୍ୟ ବୋଲି ମୁଁ କହିବି ।”

 

ଏକଥା ଶୁଣି ଗୋଲାପଫୁଲଗୁଡ଼ିକ ଭାରି ଲଜ୍ଜିତ ହୋଇପଡ଼ିଲେ ।

 

“ତୁମେମାନେ ସୁନ୍ଦର, କିନ୍ତୁ ତୁମେମାନେ କେବଳ ଫମ୍ପା ।” –ରାଜକୁମାର ପୁଣି କହିବାକୁ ଲାଗିଲା । “କେହି ତୁମମାନଙ୍କ ସକାଶେ ଜୀବନ ଦେବ ନାହିଁ । ହଁ, ଏହା ସତକଥା ଯେ ଜଣେ ସାଧାରଣ ବାଟୋଇ ମୋର ଗୋଲାପଟିକୁ ଦେଖି ତାହା ଠିକ୍‍ ତୁମରିମାନଙ୍କ ପରି ଦେଖାଯାଉଚି ବୋଲି କହିବ । କିନ୍ତୁ ତୁମମାନଙ୍କ ଭଳି ଶହ ଶହ ହଜାର ହଜାର ଗୋଲାପଙ୍କଠାରୁ ମୋର ଗୋଲାପଟି ଅଧିକ ମୂଲ୍ୟବାନ୍‍ । କାରଣ ସେହି ଗୋଲାପଟିର ମୂଳରେ ମୁଁ ପାଣି ଦେଇଚି, ତାହାକୁ ମୁଁ କାଚର ଘୋଡ଼ଣୀରେ ଘୋଡ଼ାଇ ରଖିଚି, ପର୍ଦ୍ଦାର ଆଢ଼ୁଆଳ ଦେଇ ତାକୁ ଶୀତରୁ ରକ୍ଷା କରିଚି, ତାହାରିପାଇଁ ମୁଁ ଗଛରୁ ସବୁ ପୋକଙ୍କୁ ମାରିଦେଇଚି (ପ୍ରଜାପତି ହେବାଲାଗି ଅବଶ୍ୟ ମୁଁ ଦୁଇତିନୋଟିଙ୍କୁ ନ ମାରି ଛାଡ଼ିଦେଇଚି ।), ଯେତେବେଳେ ସେ ରୁଷିଚି କି ଅଭିମାନ କରିଚି, ରାଗିଚି, ଏପରିକି ଯେତେବେଳେ ସେ ମଉନ ରହିଚି, ସେତେବେଳେ ମୁଁ ତା’ର ସମସ୍ତ କଥାକୁ କାନଡେରି ଶୁଣିଚି । କାରଣ ସେ ହେଉଚି ମୋର ଗୋଲାପ ।”

 

ତା’ପରେ ସେ ପୁଣି କୋକିଶିଆଳି ପାଖକୁ ଫେରିଆସିଲା ।

 

“ବିଦାୟ !” –ରାଜକୁମାର କୋକିଶିଆଳିକୁ କହିଲା ।

 

“ବିଦାୟ !” –କୋକିଶିଆଳି ଉତ୍ତର ଦେଲା । “ବର୍ତ୍ତମାନ ସାଙ୍ଗରେ ନେଇକରି ଯିବାକୁ ମୁଁ ତୋତେ ଗୋଟିଏ ଗୂଢ଼ ସତ୍ୟ ଉପହାର ଦେବି । ଏହି ଗୂଢ଼ କଥାଟି ପ୍ରକୃତରେ ଭାରି ସରଳ କଥା । କେବଳ ହୃଦୟଦ୍ଵାରା ହିଁ ଯଥାର୍ଥରେ ଦେଖିହୁଏ । ଯାହା ସାର, ତାହା ଆଖିକୁ ଦେଖାଯାଏ ନାହିଁ ।”

 

“ଯାହା ସାର, ତାହା ଆଖିକୁ ଦେଖାଯାଏ ନାହିଁ ।” ଭଲକରି ମନେ ରଖିବାପାଇଁ ରାଜକୁମାର ପୁନରାବୃତ୍ତି କରି କହିଲା ।

 

‘‘ତୋର ଗୋଲାପଟି ଲାଗି ତୁ ଯେଉଁ ସମୟ ଦେଇଚୁ, ସେହି ସମୟ ହିଁ ଗୋଲାପଟିକୁ ତୋ’ଲାଗି ଏଡ଼େ ମୂଲ୍ୟବାନ୍‍ କରିଦେଇଚି ।”

 

“ମୁଁ ମୋର ଗୋଲାପଟି ଲାଗି ଯେଉଁ ସମୟ ଦେଇଚି–” ଭଲକରି ମନେ ରଖିବାଲାଗି ରାଜକୁମାର ପୁନରାବୃତ୍ତି କରି କହିଲା ।

 

“ମଣିଷମାନେ କ୍ରମେ ଏହି କଥାକୁ ଭୁଲିଯାଇଚନ୍ତି,”–କୋକିଶିଆଳି କହିଲା । କିନ୍ତୁ ତୁ ଯେପରି କଦାପି ଏହି କଥା ଭୁଲି ନ ଯାଉ । ତୁ ଯାହାକୁ ପୋଷିଚୁ, ତାହାର ଦାୟିତ୍ଵ ତୋ ଉପରେ । ତୋର ଗୋଲାପର ଦାୟିତ୍ଵ ତୋ’ ଉପରେ !”

Image

“ମୋର ଗୋଲାପର ଦାୟିତ୍ଵ ମୋ ଉପରେ”–ଠିକ୍‍ କରି ମନେ ରଖିବାଲାଗି ରାଜକୁମାର ପୁନରାବୃତ୍ତି କରି କହିଲା ।

 

॥ ବାଇଶ ॥

 

“ନମସ୍କାର !” –ରାଜକୁମାର କହିଲା ।

 

“ନମସ୍କାର !” –ରେଲବାଇ ପଏଶ୍ଟସ୍‍ମ୍ୟାନ୍‍ ପ୍ରତ୍ୟୁତ୍ତର ଦେଲା ।

 

“ତୁମେ ଏଠାରେ କ’ଣ କରୁଚ ?” –ରାଜକୁମାର ପଚାରିଲା ।

 

“ମୁଁ ଏଠାରେ ବସି ଶହ ଶହ ଯାତ୍ରୀଙ୍କୁ ବାଟ ବତାଇ ଦେଉଚି”–ପଏଣ୍ଟସ୍‍ମ୍ୟାନ୍ ଉତ୍ତର ଦେଲା । “ଯାତ୍ରୀମାନେ ଯେଉଁସବୁ ଗାଡ଼ିରେ ଯାଉଚନ୍ତି, ସେହିସବୁ ଗାଡ଼ି ଯେଉଁ ବାଟରେ ଯିବାର କଥା, ମୁଁ ସେହି ବାଟକୁ ନିର୍ଦ୍ଦିଷ୍ଟ କରି ବତାଇ ଦେଉଚି । କେତେବେଳେ ମୁଁ ଗାଡ଼ିକୁ ଡାହାଣକୁ ପଠାଇ ଦେଉଚି, ପୁଣି କେତେବେଳେ ବାଆଁକୁ ପଠାଇ ଦେଉଚି ।”

 

ଠିକ୍‍ ଏତିକିବେଳେ ଗୋଟାଏ ଏକ୍ସପ୍ରେସ୍‍ ଗାଡ଼ି ଭୁସ୍‍ ଭୁସ୍‍ ଶବ୍ଦ କରି ସେହି ବାଟଦେଇ ଚାଲିଗଲା । ଗାଡ଼ି ଭିତରେ ମାଳ ମାଳ ଆଲୁଅ ଜଳୁଥାଏ । ଘଡ଼ଘଡ଼ି ପରି ଶବ୍ଦ କରି ଗାଡ଼ିଟା ଚାଲିଯିବା ସମୟରେ ପଏଣ୍ଟସ୍‍ମ୍ୟାନ୍‍ର ଛୋଟ କୋଠରିଟି କମ୍ପି ଉଠିଲା ।

 

“ଭାରି ତରତର ହୋଇ ସେମାନେ ଦଉଡ଼ି ପଳାଇଲେ ?” –ରାଜକୁମାର ପଚାରିଲା । “ସେମାନଙ୍କର କେଉଁଠି କିଛି ଜରୁରି କାମ ଅଛି କି ?”

 

“ଖୋଦ୍‍ ରେଳଗାଡ଼ିର ଡ୍ରାଇଭରକୁ ମଧ୍ୟ ସେକଥା ଜଣା ନାହିଁ ।” –ପଏଣ୍ଟସ୍‍ମ୍ୟାନ୍‍ ଉତ୍ତର ଦେଲା ।

 

ବିପରୀତ ଦିଗରୁ ପୁଣି ଆଉଗୋଟାଏ ଏକ୍ସପ୍ରେସ୍‍ ଗାଡ଼ି ସେମିତି ଆଲୁଅ ଜଳାଇ ଘୁ’ ଘୁ’ ଶବ୍ଦ କରି ଚାଲିଗଲା ।

 

“ସେମାନେ ଏତେ ଚଞ୍ଚଳ ଫେରି ଆସିଲେ ?” –ରାଜକୁମାର ଆଶ୍ଚର୍ଯ୍ୟ ହୋଇ ପଚାରିଲା ।

 

“ଏମାନେ ହେଉଚନ୍ତି ଆଉ ଦଳେ ।” –ପଏଣ୍ଟସ୍‍ମ୍ୟାନ୍‍ ଉତ୍ତର ଦେଲା । “ଏଇଟା ଫେରନ୍ତି ଗାଡ଼ି !”

 

“ସେମାନେ ଯେଉଁଠାରେ ଥିଲେ, ସେଠାରେ କ’ଣ ସେମାନଙ୍କୁ ଭଲ ଲାଗିଲା ନାହିଁ ?” ରାଜକୁମାର ପଚାରିଲା ।

 

“ଯିଏ ଯେଉଁ ସ୍ଥାନରେ ଥାଏ, ସେହି ସ୍ଥାନ ତାକୁ କେବେହେଲେ ଭଲ ଲାଗେ ନାହିଁ ।” –ପଏଣ୍ଟସ୍‍ମ୍ୟାନ୍‍ ଉତ୍ତର ଦେଲା ।

 

ପୁଣି ଗୋଟାଏ ଏକ୍ସପ୍ରେସ୍‍ ଗାଡ଼ି ଆଲୁଅ ଜଳାଇ ଦୁଲ୍‍ଦୁଲ୍‍ ଶବ୍ଦ କରି ଚାଲିଗଲା ।

 

“ଏହି ଲୋକମାନେ ପ୍ରଥମ ଗାଡ଼ିର ଲୋକମାନଙ୍କ ପଛରେ ଧାଇଁଚନ୍ତି ନା କ’ଣ ?’’ ରାଜକୁମାର ପଚାରିଲା ।

 

“ସେମାନେ ଆଦୌ କାହାରି ପଛରେ ଧାଉଁ ନାହାନ୍ତି ।” –ପଏଣ୍ଟସ୍‍ମ୍ୟାନ୍ ଉତ୍ତର ଦେଲା-। “ସେମାନେ ସମସ୍ତେ ଗାଡ଼ି ଭିତରେ ନିଘୋଡ଼ ନିଦରେ ଶୋଇଚନ୍ତି । ଯେଉଁମାନେ ଶୋଇ ନାହାନ୍ତି, ସେମାନେ ବସି ହାଇ ମାରୁଚନ୍ତି । କେବଳ ପିଲାମାନେ ଯାହା ଗାଡ଼ିର ଝରକା-କାଚ ଉପରେ ନାକ ମାଡ଼ିଦେଇ ବାହାରକୁ ଚାହିଁଚନ୍ତି ।”

 

“କେବଳ ପିଲାମାନେ ହିଁ ଜାଣିଚନ୍ତି ସେମାନେ କ’ଣ ଖୋଜୁଚନ୍ତି ।”–ରାଜକୁମାର କହିବାକୁ ଲାଗିଲା । “ହୁଏତ ସେମାନେ ଛିଣ୍ଡା କନାରେ ତିଆରି ହୋଇଥିବା କଣ୍ଢେଇ ନେଇ ନିଜର ସମୟ ନଷ୍ଟ କରିବସନ୍ତି ଏବଂ ସେଇଥିପାଇଁ ସେହି କଣ୍ଢେଇଗୁଡ଼ାକ ସେମାନଙ୍କ ଲାଗି ଏପରି ବହୁମୂଲ୍ୟ ହୋଇପଡ଼ନ୍ତି । ଯଦି କେହି କଣ୍ଢେଇଗୁଡ଼ିକୁ ସେମାନଙ୍କଠାରୁ ଛଡ଼ାଇ ନେଇଯାଏ, ତେବେ ସେମାନେ କାନ୍ଦନ୍ତି ।”

 

“ସେଇ ପିଲାମାନେ ହିଁ ପ୍ରକୃତରେ ବଡ଼ ଭାଗ୍ୟବାନ୍‍ !” –ପଏଣ୍ଟସ୍‍ମ୍ୟାନ୍‍ କହିଲା ।

 

॥ ତେଇଶ ॥

 

“ନମସ୍କାର !” –ରାଜକୁମାର କହିଲା ।

 

“ନମସ୍କାର !” –ବଣିକ ଉତ୍ତର ଦେଲା ।

 

ଏହି ବଣିକଟି ତୃଷାନିବାରିଣୀ ବଟିକା ବିକ୍ରି କରୁଥାଏ । ମଣିଷର ତୃଷା ନିବାରଣ କରିବା ପାଇଁ ଏହି ବଟିକାର ଉଦ୍ଭାବନ ହୋଇଥାଏ । ସପ୍ତାହରେ କେବଳ ଗୋଟିଏମାତ୍ର ବଟିକା ଖାଇଦେଲେ ମଣିଷକୁ ଆଉ କଦାପି ଶୋଷ କରିବ ନାହିଁ କି ପାଣି ପିଇବା ଦରକାର ପଡ଼ିବ ନାହିଁ ।

Image

“ତୁମେ ଏହି ବଟିକାଗୁଡ଼ିକ କାହିଁକି ବିକୁଚ ?” –ରାଜକୁମାର ପଚାରିଲା ।

 

“କାରଣ ଏହି ବଟିକା ଖାଇଲେ ମଣିଷର ଅନେକ ସମୟ ବଞ୍ଚିଯିବ”–ବଣିକ ଉତ୍ତର ଦେଲା ।

 

“ବିଶେଷଜ୍ଞମାନେ ବସି ଭାଗମାପ ଠିକ୍‍ କରି ଏହି ବଟିକା ବାହାର କରିଚନ୍ତି । ଏଥିରୁ ଗୋଟିଏ ଖାଇଲେ ସପ୍ତାହରେ ତୁମର ତେପନ ମିନିଟ ସମୟ ବଞ୍ଚିବ ।”

 

“ସେହି ତେପନ ମିନିଟ ସମୟରେ ମୁଁ ଆଉ କ’ଣ ସବୁ କରିପାରିବି ?”

 

“ତୁମର ଯାହା ଇଚ୍ଛା–”

 

“ମୋର ନିଜର ଇଚ୍ଛାନୁସାରେ କଟାଇବାଲାଗି ଯଦି ମୋତେ ତେପନ ମିନିଟ ସମୟ ମିଳେ ।” –ରାଜକୁମାର ମନେମନେ ଭାବୁଥାଏ, “ତେବେ ମୁଁ ସେହି ସମୟରେ ତଟକା ପାଣି ରହିଥିବା ନିକଟସ୍ଥ କୌଣସି କୂଅ ଖୋଜି ବାହାରିବି ।”

 

॥ ଚବିଶ ॥

 

ମରୁଭୂମିରେ ମୋର ସେହି ଦୁର୍ଘଟଣାଟି ଘଟିବାର ଆଜିକୁ ଆଠଦିନ ହୋଇ ଯାଇଥାଏ-। ରାଜକୁମାରଠାରୁ ବଣିକର ଗଳ୍ପ ଶୁଣିଲା ବେଳେ ମୁଁ ମୋ ପାଖରେ ବାକି ରହିଥିବା ଶେଷ ପାଣିମୁନ୍ଦାକ ପିଇଦେଇଥିଲି ।

 

ରାଜକୁମାରକୁ ମୁଁ କହିଲି; “ରାଜକୁମାର, ତୋର ଏହିସବୁ ସ୍ମୃତି କାହାଣୀ ପ୍ରକୃତରେ ଭାରି ଚିତ୍ତାକର୍ଷକ । କିନ୍ତୁ ଏଣେ ମୋର ଯନ୍ତ୍ରଟା ଆଜିଯାଏ ସଜଡ଼ା ହୋଇପାରିଲା ନାହିଁ । ମୋ ପାଖରେ ଆଉ ଟୋପାଏ ହେଲେ ପିଇବା ପାଣି ନାହିଁ । ଏଠି କେଉଁଠି କାଳେ ତଟକା ପାଣିର କୌଣସି କୂଅ କି ଆଉ କ’ଣ ଥିବ, ଖୋଜି ଖୋଜି ସେଠାକୁ ଗଲେ ବର୍ତ୍ତମାନ ଭାରି ଆନନ୍ଦ ଲାଗନ୍ତା-!”

 

“ମୋର ବନ୍ଧୁ କୋକିଶିଆଳି–” ରାଜକୁମାର ମୋତେ ଆହୁରି ଗୋଟାଏ କ’ଣ କହିବାକୁ ଯାଉଥିଲା ।

 

“ଥାଉରେ ବାବୁ ଥାଉ ! ବର୍ତ୍ତମାନ କୋକିଶିଆଳି କଥାର କୌଣସି ସମ୍ବନ୍ଧ ନାହିଁ ।”

 

“କାହିଁକି ?”

 

“ଶୋଷରେ ପରା ମୋର ପ୍ରାଣ ଛାଡ଼ିଯାଉଚି !”

 

ସେ ମୋ କଥା ବୁଝିପାରିଲା ନାହିଁ । କହିଲା–

 

“ମରିବାକୁ ବସିଥିବାବେଳେ ମଧ୍ୟ ପାଖରେ ଜଣେ ବନ୍ଧୁ ଥିବା ଭାରି ଭଲ । ଗୋଟିଏ କୋକିଶିଆଳିକୁ ମୁଁ ମୋର ବନ୍ଧୁ କରି ପାଇଚି ବୋଲି ସତରେ ମୁଁ କେଡ଼େ ଖୁସି !”

 

“ଇଏ କେବେହେଲେ ମୋର ବିପଦକୁ ଯଥୋଚିତ ଭାବରେ ହୃଦୟଙ୍ଗମ କରିପାରିବ ନାହିଁ ।” –ମୁଁ ମନେମନେ ଭାବୁଥାଏ । “ତାକୁ ତ କେବେହେଲେ ଭୋକ କି ଶୋଷ ଲାଗି ନାହିଁ । କେବଳ ଟିକିଏ ସୂର୍ଯ୍ୟକିରଣ ହେଲେ ହିଁ ତା’ର ଯଥେଷ୍ଟ ।”

 

କିନ୍ତୁ ମୋ ଆଡ଼କୁ ସେ ସେହିପରି ଭାବରେ ଅନାଇ ରହିଥାଏ । ସତେଅବା ମୋର ମନର କଥାକୁ ଠଉରାଇପାରି ସେ ଉତ୍ତର ଦେଲା–

 

“ମତେ ବି ଭାରି ଶୋଷ କରୁଚି । ଚାଲ, କୋଉଠି କୂଅ ଥିବ ଦେଖିବା ।”

 

ତା’ର କଥା ଶୁଣି ମୁଁ ଚିନ୍ତାରେ ପଡ଼ିଗଲି । ଠିକ୍‍ କେଉଁଠାରେ କୂଅ ଅଛି ଆଗରୁ ନ ଜାଣି ଏହି ବିସ୍ତୀର୍ଣ୍ଣ ମରୁଭୂମିରେ କୂଅ ଖୋଜି ବୁଲିବାଟା ସିନା ବ୍ୟର୍ଥ ହିଁ ହେବ ! ତଥାପି ଆମେ ଦୁହେଁ ଆଗକୁ ଚାଲିବାକୁ ଆରମ୍ଭ କଲୁ !

 

ପରସ୍ପରକୁ କୌଣସି କଥା ନ କହି କେତେ ଘଣ୍ଟା ବାଟ ଚାଲିବା ପରେ ସଞ୍ଜ ବୁଡ଼ିଗଲା, ଆକାଶରେ ଗୋଟି ଗୋଟି ହୋଇ ତାରାମାନେ ଦେଖାଗଲେ । ଶୋଷର ପ୍ରକୋପରେ ମୋତେ ଟିକିଏ ଜ୍ଵର ହେଲାପରି ଲାଗୁଥାଏ । ତାରାମାନଙ୍କ ଆଡ଼କୁ ଅନାଇଲା ବେଳକୁ ମୁଁ ଠିକ୍‍ ସ୍ଵପ୍ନ ଦେଖିଲାପରି ମନେ ହେଉଥାଏ । ରାଜକୁମାରର ଶେଷ କେଇପଦ କଥାଗୁଡ଼ିକ ମୋର ମୁଣ୍ଡ ଭିତରେ ସ୍ପନ୍ଦିତ ହେଉଥାଏ । ମୁଁ ପଚାରିଲି–

 

“ତେବେ ତୋତେ ମଧ୍ୟ ଶୋଷ କରୁଚି ?”

 

କିନ୍ତୁ ସେ ମୋ ପ୍ରଶ୍ନର କୌଣସି ଉତ୍ତର ଦେଲା ନାହିଁ । କେବଳ କହିଲା–

 

“ପାଣି ହୃଦୟପାଇଁ ମଧ୍ୟ ଭାରି ଉପକାର କରିପାରେ ।”

 

ତା’ର ଏହି ଉତ୍ତରରୁ ମୁଁ କିଛି ବୁଝିପାରିଲି ନାହିଁ । ତଥାପି ତାକୁ ମୁଁ ଆଉ କୌଣସି କଥା ପଚାରିଲି ନାହିଁ । ପ୍ରଶ୍ନ ପଚାରି ତା’ଠାରୁ କଥା ଆଦାୟ କରିବା ଯେ ଆଦୌ ସମ୍ଭବ ନୁହେଁ, ସେକଥା ମୁଁ ଭଲକରି ଜାଣିଥିଲି ।

 

ସେ ଅତିଶୟ କ୍ଳାନ୍ତ ହୋଇ ପଡ଼ିଥିଲା । ତେଣୁ ଠିଆ ହୋଇ ନ ପାରି ସେ ତଳେ ବସିପଡ଼ିଲା । ମୁଁ ମଧ୍ୟ ତା’ ପାଖରେ ଯାଇ ବସିଲି । କିଛି ସମୟ ନୀରବ ରହିବା ପରେ ସେ ପୁଣି କହିଲା–

 

“ଗୋଟିଏ ଅଦୃଶ୍ୟ ଫୁଲଟି ପାଇଁ ଆଜି ସବୁ ତାରା କେଡ଼େ ସୁନ୍ଦର ଦିଶୁଚନ୍ତି !”

 

ମୁଁ ‘ହଁ’ ବୋଲି ଉତ୍ତର ଦେଲି । ଆଉ ଅଧିକ କିଛି ନ କହି ମୁଁ ଆମର ସମ୍ମୁଖରେ ଚନ୍ଦ୍ରକିରଣ ତଳେ ବିସ୍ତାରିତ ହୋଇ ରହିଥିବା ବାଲିଗଦା ଆଡ଼କୁ ଅନାଇ ରହିଥାଏ ।

 

“ମରୁଭୂମି ଭାରି ସୁନ୍ଦର !” –ରାଜକୁମାର କହିଲା ।

 

ମରୁଭୂମି ପ୍ରକୃତରେ ଭାରି ସୁନ୍ଦର । ଚିରଦିନ ମୁଁ ମରୁଭୂମିକୁ ଭଲ ପାଇ ଆସିଚି । ମରୁଭୂମିକୁ ଯାଇ ଗୋଟିଏ ବାଲିଗଦା ଉପରେ ଏକାକୀ ବସିପଡ଼ିବ, କୌଣସିଆଡ଼େ କିଛି ଦେଖିପାରୁ ନ ଥିବ କି କୌଣସିଆଡ଼ୁ କିଛି ଶୁଣିପାରୁ ନ ଥିବ । ତଥାପି ସେହି ନୀରବତାର ତନ୍ତୁ ଭେଦ କରି କିଏ ଯେପରି ସ୍ପନ୍ଦିତ ହୋଇ ଉଠୁଥିବ, କିଏ ଯେପରି ଝଲସି ଉଠୁଥିବ !

 

“ମରୁଭୂମି ଏଡ଼େ ସୁନ୍ଦର କାହିଁକି ଦିଶେ ଜାଣିଚୁ ?” –ରାଜକୁମାର କହିବାକୁ ଲାଗିଲା । “କାରଣ କୌଣସି ନା କୌଣସି ସ୍ଥାନରେ ମରୁଭୂମି ଆପଣାର ଗର୍ତ୍ତ ଭିତରେ କୂଅକୁ ଲୁଚାଇ ରଖିଥାଏ ।”

 

ବାଲୁକାର ସେହି ରହସ୍ୟମୟ ବିକିରଣର ତଥ୍ୟ ରାଜକୁମାର କିପରି ଭାବରେ ବୁଝିଚି, ହଠାତ୍‍ ତା’ଠାରୁ ସେହି କଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ପିଲାଦିନେ ମୁଁ ଗୋଟିଏ ଅତି ପୁରୁଣା ଘରେ ରହୁଥିଲି । ସେହି ଘର ତଳେ ଅନେକ ଧନସମ୍ପଦ ପୋତିହୋଇ ରହିଚି ବୋଲି ଚାରିଆଡ଼େ ଭାରି ଜନରବ ଥିଲା । ସେହି ସମ୍ପତ୍ତି କିପରି ମିଳିବ, କେହି କୌଣସିଦିନ ସେ କଥା ଆଦୌ ଭାବି ନ ଥିଲେ । କେହି ତାହାକୁ ଖୋଜି ବାହାର କରି ନ ଥିଲେ । କିନ୍ତୁ ତଥାପି ସେହି ଜନରବ ହେତୁ ଆମ ଘରଟିର ଆକର୍ଷଣ ଅନେକ ଗୁଣ ବଢ଼ିଯାଇଥିଲା । ଆପଣା ଗର୍ତ୍ତର ଗଭୀର ତଳରେ ଆମ ଘର ଏକ ଗୁପ୍ତଧନ ଲୁଚାଇକରି ରଖିଥିଲା ।

 

“ହଁ”–ମୁଁ ରାଜକୁମାରକୁ ଉତ୍ତର ଦେଇ କହିଲି, “ଘର, ତାରା, ମରୁଭୂମି,–ଏସବୁ ସେମାନଙ୍କ ଭିତରେ ରହିଥିବା ଅଦୃଶ୍ୟ ସମ୍ପଦଲାଗି ଏଡ଼େ ସୁନ୍ଦର ଦିଶନ୍ତି ।”

 

“ତୋ କଥା ଶୁଣି ମୋତେ ଭାରି ଖୁସି ଲାଗୁଚି”–ରାଜକୁମାର କହିଲା । “ତୁ ଠିକ୍‍ ମୋର କୋକିଶିଆଳି ବନ୍ଧୁପରି କହୁଚୁ ।”

 

ରାଜକୁମାର ଯେ କେତେବେଳେ ନିଦରେ ଶୋଇପଡ଼ିଲା, ସେ ସେକଥା ଜାଣି ନାହିଁ । ତାକୁ ଦୁଇବାହୁରେ ଧରି କାନ୍ଧରେ ପକାଇ ମୁଁ ଏକା ଏକା ଚାଲିବାକୁ ଲାଗିଲି । ଚାଲିଲାବେଳକୁ ହୃଦୟ ଉଦବେଳିତ ହୋଇଗଲା ପରି ଲାଗୁଥାଏ । ସତେଅବା ଯେପରି ମୁଁ କୌଣସି ଅତି କୋମଳ ଓ ଅତି ସୂକ୍ଷ୍ମ କୌଣସି ଜିନିଷ ବହନ କରି ଚାଲିଚି ! ସାରା ପୃଥିବୀରେ ମଧ୍ୟ ଯେପରି ଏହାଠାରୁ ଅଧିକ ସୂକ୍ଷ୍ମ ଓ ଅଧିକ କୋମଳ ଆଉ କିଛି ନାହିଁ ! ଚନ୍ଦ୍ରଆଲୁଅରେ ମୁଁ ତା’ର ଶୀର୍ଣ୍ଣ କପାଳଟି ଉପରେ ଦୃଷ୍ଟିପାତ କଲି, ନିଦରେ ମୁଦି ହୋଇଯାଇଥିବା ତା’ର ଦୁଇଟି ଆଖି ଓ ପବନରେ କମ୍ପି ଉଠୁଥିବା ତା’ର କେଶଗୁଚ୍ଛକୁ ଅନାଇଲି । ମନେମନେ ଭାବୁଥାଏ, “ଯାହା ମୁଁ ଆଖିରେ ଦେଖୁଚି, ତାହା କେବଳ ଆବରଣ ମାତ୍ର । ଯାହା ସବୁଠାରୁ ସାର, ତାହା ହେଉଚି ଅଦୃଶ୍ୟ !”

 

ଦରଦର ମୁରୁକି ହସୁଥିବାଭଳି ତା’ର ଓଠଦୁଇଟି ଟିକିଏ ଖୋଲିହୋଇ ଆସିଲା । ମୁଁ ପୁଣି ଭାବିଲି–“ଏଠାରେ ଶୋଇପଡ଼ିଥିବା ରାଜକୁମାରଟିର ଜୀବନର କେଉଁ କଥାଟି ଆଜି ମୋର ହୃଦୟକୁ ସବୁଠାରୁ ଅଧିକ ଆନ୍ଦୋଳିତ କରିଦେଉଚି ? ତାହା ହେଉଚି ତା’ର ସେହି ଗୋଲାପଫୁଲଟି,–ସିଏ ଶୋଇଥିବାବେଳେ ମଧ୍ୟ ତା’ର ସମସ୍ତ ଦେହର ଅସ୍ତିତ୍ଵ ମଧ୍ୟ ଦେଇ ଯେଉଁ ଫୁଲଟିର ପ୍ରତିଚ୍ଛବି ଦୀପଶିଖା ପରି ଝଲକି ଉଠୁଚି... ।” ମୁଁ ଯେତିକି ଯେତିକି ଭାବି ଚାଲିଥାଏ, ରାଜକୁମାର ମୋତେ ସେତିକି ସେତିକି କୋମଳ ବୋଧ ହେଉଥାଏ । ମୁଁ ଭାବିଲି, ମୋତେ ତାହାକୁ ଅତି ସୁରକ୍ଷିତ ଭାବରେ ରଖିବାକୁ ହେବ । ରାଜକୁମାର ନିଜେ ମଧ୍ୟ ମୋତେ ଗୋଟିଏ ଦୀପର କ୍ଷୀଣ ଶିଖାପରି ବୋଧ ହେଉଥାଏ, ଅଳ୍ପ ଝଲକାଏ ପବନ ମଧ୍ୟ ଯାହାକୁ ଅତି ସହଜରେ ନିଭାଇଦେଇ ପାରିବ ।

Image

ଏମିତି ଚାଲି ଚାଲି ଭୋର ହେଲାବେଳକୁ ମୁଁ କୂଅ ପାଖରେ ପହଞ୍ଚିଲି ।

 

॥ ପଚିଶ ॥

 

“ଏକ୍ସପ୍ରେସ୍‍ ଗାଡ଼ିରେ ଚଢ଼ି ମଣିଷମାନେ ଏଣେତେଣେ ଧାଉଁଥାନ୍ତି”–ରାଜକୁମାର ମୋତେ କହିବାକୁ ଲାଗିଲା, “କିନ୍ତୁ ସେମାନେ କ’ଣ ଖୋଜୁଚନ୍ତି ବା କୁଆଡ଼େ ଯାଉଚନ୍ତି, ସେକଥା ସେମାନଙ୍କୁ ଜଣା ନ ଥାଏ । ସେମାନେ ଖାଲି ଏଣେତେଣେ ଦଉଡ଼ନ୍ତି, ଉତ୍ତେଜିତ ହୁଅନ୍ତି, ଖାଲି ଚକର ମାରୁଥାନ୍ତି !”

 

ସେ ପୁଣି କହିଲା–

 

“ଏପରି ଭାବରେ ଦଉଡ଼ିବାର ଆଦୌ କୌଣସି ଅର୍ଥ ନ ଥାଏ ।”

 

ଯେଉଁ କୂଅଟି ପାଖରେ ଆସି ବର୍ତ୍ତମାନ ଆମେ ପହଞ୍ଚିଥାଉ, ସାହାରା ମରୁଭୂମିର ଅନ୍ୟାନ୍ୟ କୂଅ ଅପେକ୍ଷା ସେଇଟା ଟିକିଏ ଭିନ୍ନ ପ୍ରକାରର । ସାଧାରଣତଃ ସାହାରା ମରୁଭୂମିର କୂଅ ବୋଇଲେ ବାଲି ଭିତରେ ଖୋଳା ହୋଇଥିବା ଗୋଟାଏ ଗର୍ତ୍ତକୁ ବୁଝାଏ । କିନ୍ତୁ ଏହି କୂଅଟି ଠିକ୍‍ ଗୋଟିଏ ଗାଆଁର କୂଅ ପରି । କିନ୍ତୁ ଏଠି ତ କୌଣସି ଗାଆଁଗଣ୍ଡା ନ ଥିଲା, ତେଣୁ ମୋତେ ଖାଲି ସ୍ଵପ୍ନ ଦେଖିଲାପରି ଲାଗୁଥାଏ ।

 

“ଭାରି ଆଶ୍ଚର୍ଯ୍ୟର କଥା”–ମୁଁ ରାଜକୁମାରକୁ କହିଲି । “ଏଠାରେ ସବୁ ଦରକାରୀ ଜିନିଷମାନ ସଜଡ଼ା ହୋଇ ରହିଚି । –ପୁଲି, ବାଲ୍‍ଟି, ଦଉଡ଼ି... !”

 

ଟିକିଏ ହସିଦେଇ ସେ ଦଉଡ଼ିଟାକୁ ହାତରେ ଧରିଲା ଏବଂ ତାକୁ ନେଇ ପୁଲିରେ ଗଳାଇଦେଲା । ଆଗରୁ ପବନ ବାଜି ନ ଥିବା ପାଗଚକ୍ରିରେ ହଠାତ୍‍ ପବନ ବାଜିଲେ ଯେପରି ଶବ୍ଦ ହୁଏ, ପୁଲିଟା ଠିକ୍‍ ସେହିପରି ଶବ୍ଦ କରିଉଠିଲା ।

 

“ଶୁଣିପାରୁଚୁ ?” –ରାଜକୁମାର ମୋତେ ପଚାରିଲା । “ଆମେ ଏହି କୂଅଟିର ନିଦ୍ରାଭଙ୍ଗ କରିଚେ, ସେ ବର୍ତ୍ତମାନ ଗୀତ ଗାଉଚି ।”

 

ରାଜକୁମାର ହାତରେ ଦଉଡ଼ି ଟଣାଇ କୂଅରୁ ପାଣି କଢ଼ାଇବା ମୋର ଇଚ୍ଛା ନ ଥିଲା ।

 

ମୁଁ କହିଲି, “ଦଉଡ଼ିଟା ମୋ ହାତକୁ ଦେ । ତୁ ଉଠାଇ ପାରିବୁ ନାହିଁ ।”

 

ଥିରିକରି ମୁଁ ବାଲ୍‍ଟିଟାକୁ କୂଅଫନ୍ଦ ଉପରକୁ ଉଠାଇନେଲି । ଭାରି କ୍ଳାନ୍ତ ଲାଗୁଥାଏ । ତେଣୁ ଏତକ କରିପାରିଲି ବୋଲି ଭାରି ଖୁସି ଲାଗିଲା । ପୁଲିର ସଙ୍ଗୀତ ଏପର୍ଯ୍ୟନ୍ତ ଆସି କାନରେ ବାଜିଗଲାପରି ମନେ ହେଉଥାଏ । ଚହଲୁଥିବା ପାଣି ଉପରେ ସୂର୍ଯ୍ୟର ଆଲୁଅ ଛନ ଛନ କରୁଥାଏ-

 

“ମୁଁ ଏହି ପାଣି ଲାଗି ତୁଷାର୍ତ୍ତ ହୋଇ ରହିଚି”–ରାଜକୁମାର କହିଲା । “ଏଥିରୁ କିଛି ମତେ ପିଇବାକୁ ଦେ !”

 

ସେ କ’ଣ ଚାହୁଥିଲା, ମୁଁ ଏତେବେଳେକେ ସେକଥା ବୁଝିପାରିଲି ।

 

ବାଲ୍‍ଟିଟାକୁ ମୁଁ ତା’ର ମୁହଁପାଖକୁ ଟେକିଧରିଲି । ସେ ଆଖିବୁଜି ପାଣି ପିଇଯାଉଥାଏ-। କୌଣସି ଏକ ଉତ୍ସବର ଅନୁଷ୍ଠାନ ପରି ସବୁକଥା ଭାରି ମଧୁର ଲାଗୁଥାଏ । ସାଧାରଣ ତୃଷା ନିବାରଣ କରିବାଠାରୁ ଏହି ଜଳପାନ ଅତି ସ୍ଵତନ୍ତ୍ର ଥିଲା । ତାରାତଳେ ଘଣ୍ଟା ଘଣ୍ଟା ଧରି ବାଟ ଚାଲିବା, ପୁଲିର ସଙ୍ଗୀତ ଓ ବାହୁର ଉଦ୍ୟମ, ସବୁ ମିଶି ଏହି ପାଣିକୁ ଅତି ସ୍ଵତନ୍ତ୍ର ଭାବରେ ମଧୁର କରିଦେଇଥିଲା । ହୃଦୟକୁ ମଧ୍ୟ ଏହା ଭଲ ଲାଗିଲା, ସତେଯେପରି କାହାର ଉପହାର ସଦୃଶ ଲାଗିଲା । ପିଲାଦିନେ କ୍ରିସ୍‍ମାସ୍‍ ଗଛରେ ସଜା ହୋଇଥିବା ଆଲୁଅ, ମଧ୍ୟରାତ୍ରିର ପ୍ରାର୍ଥନାସଙ୍ଗୀତ, ଚତୁର୍ଦ୍ଦିଗରେ ହସ ଛଳଛଳ ମଣିଷଙ୍କର କୋମଳ ଚାହାଣି ସବୁ ଏକାଠି ମିଶି ଯେପରି କ୍ରିସ୍‍ମାସ୍‍ର ଉପହାରଗୁଡ଼ିକୁ ମୋ ଲାଗି ଅଧିକ ସୁନ୍ଦର ଓ ଚକ୍‍ଚକ୍‍ କରିଦେଉଥିଲା !

 

“ତୁ ଯେଉଁ ସଂସାରରେ ବାସ କରୁ”–ରାଜକୁମାର କହିବାକୁ ଲାଗିଲା, “ସେହି ସଂସାରରେ ମଣିଷମାନେ ଗୋଟାଏ ବଗିଚାରେ ପାଞ୍ଚହଜାର ଗୋଲାପ ଫୁଲ ଫୁଟାନ୍ତି; କିନ୍ତୁ ତଥାପି ସେମାନେ ଯାହା ଖୋଜୁଥାଆନ୍ତି, ସେଥିରୁ ତାହା ପାଇ ପାରନ୍ତି ନାହିଁ ।”

 

“ସେମାନେ ତାହା ପ୍ରକୃତରେ ପାଇପାରନ୍ତି ନାହିଁ ।” –ମୁଁ ଉତ୍ତର ଦେଲି ।

 

“ତଥାପି ସେମାନେ ଯାହା ଚାହୁଚନ୍ତି, ତାହାକୁ ସେମାନେ ହୁଏତ କେବଳ ଗୋଟିଏ ଗୋଲାପଫୁଲ ବା ବାଲ୍‍ଟିଏ ପାଣିରେ ପାଇ ପାରୁଥାନ୍ତେ !”

 

“ହଁ, ପାଇପାରନ୍ତେ !” –ମୁଁ କହିଲି ।

 

ରାଜକୁମାର ପୁଣି କହିଲା–

 

“କିନ୍ତୁ ଆଖି ହେଉଚି ଅନ୍ଧ । ପାଇବାକୁ ହେଲେ ହୃଦୟ ଦେଇ ଦେଖିବାକୁ ହେବ… ।”

 

ପାଣି ପିଇ ମୁଁ ମଧ୍ୟ ଟିକିଏ ସାଷ୍ଟାମ ହେଲି । ସୂର୍ଯ୍ୟୋଦୟ ସମୟରେ ବାଲିର ରଙ୍ଗ ଠିକ୍‍ ମହୁର ରଙ୍ଗ ପରି ଦେଖାଯାଏ । ସେହି ରଙ୍ଗ ଦେଖି ମୋତେ ଭାରି ଆନନ୍ଦ ଲାଗୁଥାଏ । ତେବେ ମୋର ମନରେ ହଠାତ୍‍ ଗୋଟାଏ ପ୍ରକାରର ବିଷାଦଭାବ ଆସିଲା କୁଆଡ଼ୁ ?

 

“ତୋତେ ତୋର ଜବାବ ରଖିବାକୁ ହେବ”–ମୋତେ ଉଦ୍ଦେଶ୍ୟ କରି ରାଜକୁମାର ଅତି କୋମଳ କଣ୍ଠରେ କହିଲା ଏବଂ ମୋ ପାଖକୁ ଲାଗିକରି ବସିପଡ଼ିଲା ।

 

“କେଉଁ ଜବାବ ?”

 

“ତୋର ମନେ ନାହିଁ ? ମୋ ମେଣ୍ଢାପାଇଁ ଗୋଟାଏ ପଘା ! ମୋ ଉପରେ ପରା ମୋ ଫୁଲର ଦାୟିତ୍ଵ ରହିଚି !”

 

ମୁଁ ପକେଟ୍‍ ଭିତରୁ ଏଣୁତେଣୁ ଛବି ଆଙ୍କିଥିବା କାଗଜଗୁଡ଼ାକ ବାହାରକଲି । ରାଜକୁମାର ସେଗୁଡ଼ିକୁ ଗୋଟି ଗୋଟି କରି ଦେଖିଲା । ସେଇଠୁ ହସି କହିଲା–

 

“ତୁ ଯୋଉ ଅସୁରଜଟା ଗଛ ଆଙ୍କିଚୁ ! ଦେଖିଲାବେଳକୁ ମୋର ବନ୍ଧାକୋବିର କଥା ମନେ ପଡ଼ିଯାଉଚି ।”

 

“ହୁଁ !” –ଆଗରୁ ମୁଁ ମୋର ଅସୁରଜଟା ଗଛର ଛବିପାଇଁ କେତେ ଗର୍ବ ଅନୁଭବ କରି ନ ଥିଲି !

 

“ଆଉ ତୋର କୋକିଶିଆଳି,–ତା’ର କାନଦୁଇଟା ଠିକ୍‍ ଗୋଟାଏ ଗୋଟାଏ ଶିଙ୍ଗପରି ଦେଖାଯାଉଚି; ସେଗୁଡ଼ାକ ଭାରି ଲମ୍ବ ହୋଇଯାଇଚି ।”

 

ସେ ପୁଣି ହସିବାକୁ ଲାଗିଲା ।

 

“ରାଜକୁମାର, ତୁ ଆଦୌ ନ୍ୟାୟବିଚାର କରୁ ନାହୁଁ”–ମୁଁ କହିଲି । “ଭିତର ଓ ବାହାରପଟୁ ଅଜଗର ସାପର ଛବି ଆଙ୍କିବା ବ୍ୟତୀତ ମୋତେ ତ ଛବି କରି ହିଁ ଆସେ ନାହିଁ !”

 

“ଓଃ, ସେଥିରେ କିଛି ଯାଏଆସେ ନାହିଁ ।” –ସେ ଉତ୍ତର ଦେଲା । “ପିଲାମାନେ ବେଶ୍‍ ବୁଝିପାରନ୍ତି ।”

 

ସେଇଠୁ ପେନ୍‍ସିଲ୍‍ ନେଇ ମୁଁ ଗୋଟିଏ ପଘା ଆଙ୍କିଦେଲି । ସେଇଟାକୁ ତା’ର ହାତକୁ ବଢ଼ାଇ ଦେଲାବେଳକୁ ମୋର ହୃଦୟ ବିଦାରି ହୋଇଯାଉଥାଏ ।

 

“ତୋ ମନ ଭିତରେ ପଶିଥିବା ଖିଆଲକୁ ମୁଁ ଆଦୌ ବୁଝିପାରୁ ନାହିଁ ।” ମୁଁ ତାକୁ କହିଲି-

 

ମୋ କଥାର କୌଣସି ଉତ୍ତର ନ ଦେଇ ସେ କହିଲା–

 

“ଜାଣିଚୁ ? କାଲି ମୋର ପୃଥିବୀକୁ ଆସିବାର ବରଷେ ପୂରିଯିବ ।”

 

କିଛିକ୍ଷଣ ନୀରବ ରହି ସେ ପୁଣି କହିଲା–

 

“ବର୍ଷକ ତଳେ ପ୍ରାୟ ଏହି ସ୍ଥାନରେ ମୁଁ ପୃଥିବୀକୁ ଓହ୍ଲାଇ ଆସିଥିଲି ।”

 

ଏତକ କହୁ କହୁ ତା’ର ମୁଖ ଉଜ୍ଜ୍ଵଳ ହୋଇଆସିଲା ।

 

ପୁଣି କାହିଁକି ଯେ ମୁଁ ହଠାତ୍‍ ବଡ଼ ବିଷଣ୍ଣ ହୋଇ ପଡ଼ିଲି, ତା’ର କୌଣସି କାରଣ ଜାଣିପାରିଲି ନାହିଁ । ସେତେବେଳକୁ ମୋର ମନରେ ଗୋଟାଏ ପ୍ରଶ୍ନ ଖେଳୁଥାଏ ।

 

“ତେବେ ସପ୍ତାହକ ପୂର୍ବରୁ ଯେତେବେଳେ ଜନବସତିଠାରୁ ହଜାର ହଜାର ମାଇଲ୍‍ ଦୂରରେ ତୁ ଏକାକୀ ଏହି ବାଲି ଉପରେ ବୁଲୁଥିଲୁ, ଯେତେବେଳେ ତୋ’ ସହିତ ମୋର ପ୍ରଥମ ପରିଚୟ ହେଲା, ତେବେ ଏସବୁ କ’ଣ ଆଦୌ ଆକସ୍ମିକ ଭାବରେ ହୋଇ ନାହିଁ ? ବରଷକ ପୂର୍ବରୁ ତୁ ଯେଉଁଠି ଆସି ଏହି ପୃଥିବୀରେ ଓହ୍ଲାଇଥିଲୁ, ତେବେ ତୁ ଠିକ୍‍ ସେହି ଜାଗା ଖୋଜି ବୁଲୁଥିଲୁ ?”

 

ରାଜକୁମାରର ମୁଖ ପୁଣି ଉଜ୍ଜ୍ଵଳ ହୋଇ ଉଠିଲା ।

 

ଟିକିଏ କୁଣ୍ଠିତ ହେଲାପରି ମୁଁ ପଚାରିଲି–

 

“ପୃଥିବୀକୁ ଆସିବାର ବରଷେ ପୂରିଗଲା ବୋଲି ବୋଧହୁଏ ତୁ ଏଠାକୁ ଆସିଥିଲୁ ?”

 

ତା’ର ମୁହଁ ଆହୁରି ଥରେ ଉଜ୍ଜ୍ଵଳ ଦେଖାଗଲା । ସେ ମୋ ପ୍ରଶ୍ନର କୌଣସି ଉତ୍ତର ଦେଉ ନ ଥିଲା । କିନ୍ତୁ ତା’ର ମୁହଁ ଉଜ୍ଜ୍ଵଳ ହୋଇ ଉଠୁଥିବାବେଳେ ସେ ‘ହଁ’ର ସୂଚନା ଦେଉ ନ ଥିଲା କି ?

 

ମୁଁ କହିଲି, “ରାଜକୁମାର, ମୋତେ କାହିଁକି ଟିକିଏ ଭୟ ଲାଗୁଚି ।”

 

କିନ୍ତୁ ସେ ମୋତେ ବାଧା ଦେଇ କହିଲା–

 

“ମାତ୍ର ବର୍ତ୍ତମାନ ତୋତେ ତୋ’ରି ଉଡ଼ାଜାହାଜଟି ସଜାଡ଼ିବାକୁ ପଡ଼ିବ । ଯାଆ, ତୋର ଇଞ୍ଜିନ୍‍ ପାଖକୁ ଯାଆ । ମୁଁ ଏଇଠାରେ ତୋ ଲାଗି ଅପେକ୍ଷା କରି ରହିଥିବି । ତୁ କାଲି ସନ୍ଧ୍ୟାବେଳେ ପୁଣି ଏଇଠାକୁ ଆସିବୁ !”

 

କିନ୍ତୁ ମତେ କିଛିହେଲେ ସତ ଲାଗିଲା ନାହିଁ । ମୋର କୋକିଶିଆଳି କଥା ମନେ ପଡ଼ିଗଲା । ଯଦି ତୁମେ ଜୀବନରେ କାହାକୁ ପୋଷିଚ, ତେବେ ଦିନେ ନା ଦିନେ ଟିକିଏ କାନ୍ଦିବାକୁ ହିଁ ପଡ଼େ ।

 

॥ ଛବିଶ ॥

 

କୂଅକୁ ଲାଗିକରି ଗୋଟିଏ ଅତି ପୁରୁଣା ଭଙ୍ଗା ପଥରକାନ୍ଥ ଥିଲା । ପରଦିନ ସକାଳେ ଇଞ୍ଜିନ୍‌ର କାମ ସାରି ଯେତେବେଳେ ମୁଁ ଆସି କୂଅ ପାଖରେ ପହଞ୍ଚିଲି, ସେତେବେଳେ ଖଣ୍ଡେଦୂରରୁ ଦେଖିବାକୁ ପାଇଲି ଯେ ରାଜକୁମାର ଗୋଡ଼ ଦୁଇଟାକୁ ତଳକୁ ଓହଳାଇ ଦେଇ ସେହି କାନ୍ଥ ଉପରେ ଯାଇ ବସିଚି । ସେ କାହା ସହିତ କଥାବାର୍ତ୍ତା କରୁଥିବାର ମୁଁ ଶୁଣିବାକୁ ପାଇଲି–

 

“ତେବେ ତୋ’ର ମନେ ନାହିଁ । ଏଇଟା ଠିକ୍‍ ସେହି ଜାଗା ନୁହେଁ !”

 

ହୁଏତ ଆଉ କେହି ନିଶ୍ଚୟ ତା’ କଥାର ଉତ୍ତର ଦେଇଥିବ । କାରଣ ରାଜକୁମାର ପୁଣି ଉତ୍ତର ଦେଲା–

 

“ହଁ, ହଁ ! ଆଜି ଠିକ୍‍ ସେଇ ଦିନ, କିନ୍ତୁ ଏଇଟି ଠିକ୍‍ ସେହି ଜାଗା ନୁହେଁ !”

 

ମୁଁ କାନ୍ଥ ଆଡ଼କୁ ଯିବାକୁ ଆରମ୍ଭ କଲି । କିନ୍ତୁ କାହାରିକୁ ଦେଖିପାରିଲି ନାହିଁ ବା କାହାରି କଥା ଶୁଣିବାକୁ ପାଇଲି ନାହିଁ । ରାଜକୁମାର ପୁଣି କାହାକୁ ଉତ୍ତର ଦେଲା–

 

“ଠିକ୍‍ ଠିକ୍‍ । ଯେଉଁଠି ବାଲି ଉପରେ ମୋର ପାଦଚିହ୍ନ ଆରମ୍ଭ ହୋଇଥିବ, ଠିକ୍‍ ସେଇଠି । ସେଇଠି ଆଜି ତୁ ମୋ ଲାଗି ଅପେକ୍ଷା କରିବୁ । ଆଜି ରାତିରେ ମୁଁ ସେଇଠାକୁ ଆସିବି-।”

 

ସେତେବେଳେ ମୁଁ କାନ୍ଥପାଖରୁ ମୋଟେ ଚାଳିଶ ହାତ ଦୂରରେ ଥାଏ । କିନ୍ତୁ ତଥାପି ମୁଁ ଆଉ କାହାରିକୁ ଦେଖିପାରୁ ନ ଥାଏ ।

 

କିଛି ସମୟ ଚୁପ୍‍ ରହି ରାଜକୁମାର ପୁଣି କହିଲା–

 

“ତୋର ବିଷ ଠିକ୍‍ କାଟୁ କରିବଟି ? ନା ମୋତେ ଅନେକ ସମୟ ପର୍ଯ୍ୟନ୍ତ କଷ୍ଟ ପାଇବାକୁ ପଡ଼ିବ ?”

 

ମୋର ପାଦ ଥମିଗଲା, ହୃଦୟ ସତେଅବା ଫାଟିଗଲା ପରି ମନେହେଲା । ତଥାପି ମୁଁ କିଛି ବୁଝିପାରୁ ନ ଥାଏ ।

 

“ତେବେ ବର୍ତ୍ତମାନ ତୁ ଯାଆ, ପଳା !” –ରାଜକୁମାର କହିଲା । ‘‘ଏଥର ମୁଁ ତଳକୁ ଓହ୍ଲାଇବି ।’’

 

ତଳକୁ ଆଖି ଫେରାଇ ମୁଁ କାନ୍ଥମୂଳକୁ ଅନାଇ ଦେଖିଲି । ଦେଖି ମୋର ହାଲୁକ ଶୁଖିଗଲା । ଠିକ୍‍ ମୋରି ଆଗରେ ରାଜକୁମାର ଆଡ଼କୁ ମୁହଁ କରି ମୁଁ ଗୋଟାଏ ହଳଦୀ ବର୍ଣ୍ଣର ସାପ ଦେଖିବାକୁ ପାଇଲି । ସେହି ସାପ ମାରିଦେଲେ ମାତ୍ର ତିରିଶ ସେକେଣ୍ଡରେ ପ୍ରାଣବାୟୁ ଉଡ଼ିଯିବ । ପକେଟ ଭିତରେ ହାତ ପୂରାଇ ପିସ୍ତଲଟା ବାହାର କରୁ କରୁ ମୁଁ ପାଦେ ପଛକୁ ଘୁଞ୍ଚିଗଲି-। କିନ୍ତୁ ମୋର ସେହି ଶବ୍ଦରେ ସାପ ସେହି ବାଲି ଭିତରେ କୁଆଡ଼େ ଚାଲିଯାଇ ଅଦୃଶ୍ୟ ହୋଇଗଲା-। ତାହାର ଅଦୃଶ୍ୟ ହୋଇଯିବାଟା ମୋତେ ଠିକ୍‍ କୌଣସି କ୍ଷୀଣ ଜଳଧାର ବାଲି ଭିତରେ ହଠାତ୍‍ ଅଦୃଶ୍ୟ ହୋଇଯିବା ପରି ମନେହେଲା । ସେ ପଥର ଭିତରେ ଲୁଚିଗଲାବେଳେ ଟିକିଏ ଝନ୍‌କରି ଶବ୍ଦ ହେଲା ।

Image

ରାଜକୁମାର ତଳକୁ ଡେଇଁଲାବେଳକୁ ମୁଁ ସେହି ସମୟରେ କାନ୍ଥ ପାଖରେ ପହଞ୍ଚି ତାକୁ ଧରିନେଲି । ସେତେବେଳେ ସେ ଅବିକଳ ବରଫ ପରି ଧଳା ଦିଶୁଥାଏ ।

 

“ଏସବୁର ଅର୍ଥ କ’ଣ ?” –ମୁଁ ତାକୁ ପଚାରିଲି । “ସେଇ ସାପଟା ସାଙ୍ଗରେ ତୁ କାହିଁକି କଥାବାର୍ତ୍ତା କରୁଚୁ ?”

 

ତା’ର ବେକରେ ଗୁଡ଼ାଇ ହୋଇ ରହିଥିବା ସୁନେଲି ମଫଲରଟାକୁ ମୁଁ ଟିକିଏ ହୁଗୁଳା କରିଦେଲି । ତାକୁ ଆଉ କୌଣସି ପ୍ରଶ୍ନ ପଚାରିବାକୁ ମୋର ସାହସ ହେଉ ନ ଥାଏ । ଭାରି ଗମ୍ଭୀର ହୋଇ ସେ ମୋତେ ଅନାଇ ରହିଥାଏ ଓ ମୋର ବେକରେ ତା’ର ହାତକୁ ବେଢ଼ାଇ ରଖିଥାଏ । କାହାର ପିସ୍ତଲ ଗୁଳିର ଆଘାତ ଖାଇଥିବା ମୁମୂର୍ଷୁ ଚଢ଼େଇର ହୃତ୍‌ପିଣ୍ଡ ପରି ମୋତେ ତା’ର ହୃତ୍‌ପିଣ୍ଡର ସ୍ପନ୍ଦନ ମନେ ହେଉଥାଏ ।

 

“ତୁ ତୋର ଇଞ୍ଜିନ୍‍ ମରାମତି କରି ସାରିଲୁଣି ବୋଲି ଜାଣି ମୁଁ ଭାରି ଖୁସି,” ସେ ମୋତେ କହିଲା, “ତୁ ମଧ୍ୟ ବର୍ତ୍ତମାନ ଘରକୁ ଫେରିଯାଇପାରିବୁ ।”

 

“ତୁ ସେ କଥା ଜାଣିଲୁ କିପରି ?”

 

ମୋର ଇଞ୍ଜିନ୍‍ ମରାମତି ହୋଇଯିବ ଓ ଏତେଶୀଘ୍ର ଏହି କାର୍ଯ୍ୟରେ ସଫଳ ହୋଇପାରିବି ବୋଲି ମୁଁ ଆଶା ମଧ୍ୟ କରି ନ ଥିଲି, ସେହି କଥା କହିବାକୁ ହିଁ ମୁଁ ତା’ ପାଖକୁ ଆସିଥିଲି ।

 

“ମୁଁ ବି ଆଜି ମୋର ଘରକୁ ବାହୁଡ଼ି ଯାଉଚି !”

 

ତା’ପରେ ଅତି କରୁଣ ଭାବରେ ସେ କହିଲା–

 

“କିନ୍ତୁ ସେ ଅନେକ ଦୂର...ସେଠିକି ଯିବା ବଡ଼ କଷ୍ଟ...”

 

ମୁଁ ଭଲକରି ବୁଝିପାରିଲି ଯେ ନିଶ୍ଚୟ ଗୋଟାଏ କିଛି ଅସାଧାରଣ ବ୍ୟାପାର ଘଟିବାକୁ ଯାଉଚି । ମୁଁ ରାଜକୁମାରକୁ ଶିଶୁଟି ପରି ମୋର ଦୁଇ ହାତର ବନ୍ଧନ ଭିତରେ ଜାବୁଡ଼ି କରି ଧରିଥାଏ । ତଥାପି ସେ ଯେପରି ମୋର ବନ୍ଧନ ଭିତରୁ ଖସି ଗୋଟାଏ ଭୟଙ୍କର ଅତଡ଼ାର ମୁହଁକୁ ଦଉଡ଼ି ପଳାଇବା ପରି ମନେ ହେଉଥାଏ । ସେହି ଅତଡ଼ା ମୁହଁକୁ ନ ଯିବାଲାଗି ତାକୁ ଅଟକାଇ ରଖିବାକୁ ମୋ ପାଖରେ ଆଉ କୌଣସି ବଳ ନ ଥିଲା ପରି ଲାଗୁଥାଏ ।

 

ତା’ର ଆଖିର ଚାହାଣି ଭିତରେ ଗମ୍ଭୀରତା ଭରି ରହିଥାଏ । ସତେଯେପରି କେଉଁ ଦୂରଦୂରାନ୍ତ ଭିତରେ ସେ ଆପଣାର ବାଟ ଭୁଲିଯାଇଚି !

 

“ତୁ ଦେଇଥିବା ମେଣ୍ଢାଟିକୁ ମୁଁ ସାଙ୍ଗରେ ନେଇକରି ଯାଉଚି । ମେଣ୍ଢାପାଇଁ ବାକ୍ସଟି ଆଉ ପଘାଟି ମଧ୍ୟ...”

 

ତା’ର ମୁହଁ ଉପରେ କରୁଣ ହସର କାନ୍ତି ଫୁଟିଉଠିଲା ।

 

ମୁଁ ଅନେକ ସମୟ ଅପେକ୍ଷା କରି ରହିଲି । ସେ ଧୀରେ ଧୀରେ ପ୍ରକୃତିସ୍ଥ ହୋଇଆସୁଥାଏ ।

 

“ମୋର ଅତି ଆଦରର କୁନି ମଣିଷ”–ମୁଁ ତାକୁ କହିଲି, “ତୁ ଭାରି ଭୟ ପାଇଚୁ ନା ?”

 

ପ୍ରକୃତରେ ଯେ ସେ ଭାରି ଭୟ ପାଇଥିଲା, ଏଥିରେ ଆଉ ସନ୍ଦେହ କରିବାର କିଛି ନ ଥିଲା । କିନ୍ତୁ ମୋ କଥା ଶୁଣି ସେ ଥିରି ଥିରି ହସି କହିଲା–

 

“ଆଜି ରାତିରେ ମତେ ଆହୁରି ଅଧିକ ଭୟ ଲାଗିବ...”

 

ମୋର ଆୟତ୍ତରୁ ବାହାର କୌଣସି କଥାର ଚିନ୍ତାରେ ପୁଣି ଆପଣାକୁ ବଡ଼ ଶକ୍ତିହୀନ ମନେହେଲା । ରାଜକୁମାରର ଏହି ହସ ମୁଁ ଯେ ଆଉଥରେ ଶୁଣିବାକୁ ପାଇବି ନାହିଁ, ଏ କଥା ଭାବିବାକୁ ମଧ୍ୟ ମୋର ବଳ ପାଉ ନ ଥାଏ । ତା’ର ହସ ମୋ ଲାଗି ଏହି ମରୁଭୂମିରେ ନିର୍ମଳ ଜଳଧାରାର ଏକ ଝରଣା ପରି ହୋଇ ରହିଥିଲା ।

 

ମୁଁ କହିଲି, “ରାଜକୁମାର, ମୁଁ କ’ଣ ଆଉ ତୋର ହସ ଶୁଣିପାରିବି ନାହିଁ ?”

 

କିନ୍ତୁ ସେ ଉତ୍ତର ଦେଲା–

 

“ଆଜି ମୋର ବର୍ଷେ ପୂରିଯିବ । ...ଠିକ୍‍ ବର୍ଷକ ପୂର୍ବେ ପୃଥିବୀକୁ ଆସିଲା ଦିନ ମୋର ଗ୍ରହଟି ଯେଉଁଠାରେ ଥିଲା, ଆଜି ସିଏ ଠିକ୍‍ ସେହି ସ୍ଥାନରେ ଆସି ରହିବ ।“

 

ମୁଁ ପୁଣି କହିଲି, “ରାଜକୁମାର,–ମତେ କହିଲୁ, ଏଇ ସାପ, ଏଇ ଭେଟିବା ଜାଗା ଆଉ ଏହି ଗ୍ରହର କଥା ସବୁ କେବଳ ମିଛ କି ନୁହଁ ?”

 

ସେ ମୋ ଅଭିଯୋଗର କୌଣସି ଉତ୍ତର ଦେଲା ନାହିଁ । କହିଲା–

 

“ସାର ଜିନିଷକୁ କେହି ଆଖିରେ ଦେଖିପାରିବ ନାହିଁ ।’’

 

“ହଁ, ମୁଁ ଜାଣିଚି...”

 

“ଠିକ୍‍ ମୋର ଫୁଲର କାହାଣୀଟି ପରି । ତୁ ଯଦି କୌଣସି ଗ୍ରହରେ ଥିବା ଗୋଟିଏ ଫୁଲକୁ ଭଲ ପାଉ, ତେବେ ରାତିରେ ଆକାଶ ଆଡ଼କୁ ଅନାଇଲେ ତୋତେ ଭାରି ଆନନ୍ଦ ଲାଗିବ । ମନେହେବ, ଯେପରି ସବୁ ତାରାରେ ଏକାବେଳେକେ କେତେ କେତେ ଫୁଲ ଫୁଟି ଉଠିଚି !”

 

“ହଁ, ମୁଁ ଜାଣିଚି !”

 

“ପାଣି ବେଳକୁ ମଧ୍ୟ ଠିକ୍‍ ସେହି କଥା । ପୁଲି ଆଉ ଦଉଡ଼ି ସକାଶେ, ତୁ ମତେ ଯେଉଁ ପାଣି ପିଇବାକୁ ଦେଲୁ, ତାହା ଠିକ୍‍ ସଙ୍ଗୀତ ପରି ଲାଗିଲା । ତୋର କ’ଣ ମନେ ନାହିଁ, ସିଏ କେଡ଼େ ମଧୁର ଲାଗିଲା ?”

 

“ହଁ, ମନେଅଛି !”

 

“ରାତି ହେଲେ ତୁ ଆକାଶର ତାରାମାନଙ୍କ ଆଡ଼କୁ ଅନାଇ ଦେଖିବୁ । ମୋର ଗ୍ରହଟିରେ ସବୁ ଜିନିଷ ଏଡ଼େ ଛୋଟ ଯେ ଏଠାରୁ ମୁଁ ତୋତେ ତାହାକୁ ଦେଖାଇ ଦେଇପାରିବି ନାହିଁ । ମୁଁ ତ ଭାବୁଚି, ଏପରି ହୋଇ ଅଧିକ ଭଲ ହୋଇଚି । ତୁ ଭାବିବୁ, ଆକାଶର ସବୁ ତାରା ଭିତରେ କୋଉଠି ମୋର ତାରାଟି ଅବଶ୍ୟ ରହିଥିବ । ତେଣୁ ଆକାଶର ସବୁ ତାରାଙ୍କ ଆଡ଼କୁ ଅନାଇ ଦେଖିବାକୁ ତୋତେ ଭଲ ଲାଗିବ । ପ୍ରତ୍ୟେକଟିକୁ ତୁ ଆପଣାର ବନ୍ଧୁ ବୋଲି ମନେ କରିବୁ-। ହଁ, ଯିବା ପୂର୍ବରୁ ମୁଁ ମଧ୍ୟ ତୋତେ ଗୋଟିଏ ଉପହାର ଦେଇଯିବି ।”

 

ସେ ପୁଣି ହସିବାକୁ ଲାଗିଲା ।

 

“ରାଜକୁମାର, ରାଜକୁମାର, ତୋର ଏଇ ହସ ଶୁଣିବାକୁ ମୁଁ କେତେ ଭଲପାଏ !”

 

“ଏଇ ହସଟିକକ ମୋର ତୋ ଲାଗି ଉପହାର । ହଁ, ଏଇ ହସଟିକକ । ଆମେ ପାଣି ପିଇଲାବେଳେ ଯେମିତି ହୋଇଥିଲା, ଇଏ ମଧ୍ୟ ଠିକ୍‍ ସେମିତି ହେବ ।“

 

“ତୁ କ’ଣ କହୁଚୁ ?”

 

“ସମସ୍ତଙ୍କର ତାରା ଅଛି”–ସେ ଉତ୍ତର ଦେଲା । “କିନ୍ତୁ ସବୁ ମଣିଷଙ୍କର ତାରା ସମାନ ନୁହନ୍ତି । ବାଟୋଇମାନଙ୍କ ଲାଗି ତାରା ହେଉଚି ପଥପ୍ରଦର୍ଶକ । ଆଉ କାହାରି ଲାଗି ଆକାଶରେ ଜଳୁଥିବା କ୍ଷୁଦ୍ର ଗୋଟିଏ ଆଲୁଅ ବ୍ୟତୀତ ଏହି ତାରା ଆଉ କିଛି ନୁହେଁ । ପଣ୍ଡିତମାନଙ୍କ ଲାଗି ପ୍ରତ୍ୟେକଟି ତାରା ହେଉଚି ଗୋଟିଏ ଗୋଟିଏ ସମସ୍ୟା । ମୋର ଗଳ୍ପରେ ଥିବା ବ୍ୟବସାୟୀଟି ପାଇଁ ତାରା ହେଉଚି ଧନସମ୍ପତ୍ତି । କିନ୍ତୁ ଏସବୁ ତାରା ମୂଳ, ସେମାନେ କଥା କହିପାରିବେ ନାହିଁ । ମାତ୍ର ତୋ ପାଖରେ ଏପରି ଗୋଟିଏ ତାରା ରହିବ, ଯାହା କି ଅନ୍ୟ କାହାରି ପାଖରେ ନାହିଁ ।’’

 

“ତୁ କ’ଣ କହୁଚୁ ?”

 

“ଠିକ୍‍ ଏହିପରି ଗୋଟିଏ ତାରାକୁ ଯାଇ ମୁଁ ବାସ କରିବି । ଠିକ୍‍ ଏହିପରି ଗୋଟିଏ ତାରାରେ ରହି ମୁଁ ହସୁଥିବି । ତେଣୁ ରାତିହେଲେ ଯେତେବେଳେ ତୁ ଆକାଶ ଆଡ଼କୁ ଅନାଇବୁ, ତୋତେ ଲାଗିବ ଯେପରି ଆକାଶର ପ୍ରତ୍ୟେକଟି ତାରା ହସୁଚନ୍ତି । କେବଳ ତୋହରି ତାରାମାନେ ହିଁ ହସିପାରିବେ ।’’

 

ସେ ପୁଣି ହସିବାକୁ ଲାଗିଲା ।

 

“ଏବଂ ଯେତେବେଳେ ତୋର ଏହି ଦୁଃଖ ଅପସରି ଯିବ (ସମୟ ସବୁରି ଦୁଃଖକୁ ଅପସରାଇ ନିଏ), ସେତେବେଳେ ମୋ ସହିତ ତୋ’ର ପରିଚୟ ହୋଇଚି ବୋଲି ଭାବି ତୋତେ ଭାରି ଖୁସି ଲାଗିବ । ସବୁଦିନ ପାଇଁ ତୁ ମୋର ବନ୍ଧୁ ହୋଇ ରହିବୁ । ମୋ ସହିତ ତୁ ମଧ୍ୟ ସବୁବେଳେ ହସିବାକୁ ଇଚ୍ଛା କରିବୁ । ସେହି ଆନନ୍ଦଟି ଅନୁଭବ କରିବାଲାଗି ତୁ ଆପଣା ଘରର ଝରକା ସବୁ ଖୋଲି ରଖିବୁ । ଆକାଶ ଆଡ଼କୁ ଅନାଇ ତୁ ହସିବାକୁ ଆରମ୍ଭ କରିବୁ । ତୋତେ ଏପରି ଖୁସି ହେବାର ଦେଖି ତୋର ବନ୍ଧୁମାନେ ନିଶ୍ଚୟ ଭାରି ଆଶ୍ଚର୍ଯ୍ୟ ହୋଇଯିବେ । ସେମାନଙ୍କୁ ତୁ କହିବୁ, “ହଁ, ପ୍ରକୃତରେ ଏହି ତାରାମାନଙ୍କ ଆଡ଼କୁ ଅନାଇଲେ ହିଁ ମତେ ଭାରି ଖୁସି ଲାଗେ, ମୁଁ ଆନନ୍ଦରେ ହସିଉଠେ । ତୋର କଥା ଶୁଣି ସେମାନେ ତୋତେ ପାଗଳ ବୋଲି କହିବେ । ମୁଁ ତୋ ସହିତ କେଡ଼େ ବଢ଼ିଆ କୌଶଳ ଖେଳିଦେଇ ଯାଉଚି, ସେ କଥା ତୁ ବୁଝିପାରୁଚୁ ?”

 

ସେ ପୁଣି ହସିବାକୁ ଲାଗିଲା ।

 

“ତାରାମାନଙ୍କର ପରିବର୍ତ୍ତରେ ସତେଯେପରି ମୁଁ ତୋତେ ହସି ଜାଣିଥିବା ଅନେକ ଛୋଟିଆ ଛୋଟିଆ ଘଣ୍ଟି ଦେଇଯାଇଚି, ଏହା ଠିକ୍‍ ସେହିପରି କଥା ହେବ ।’’

 

ସେ ପୁଣି ହସିଲା । ତା’ପରେ ହଠାତ୍‍ ଗମ୍ଭୀର ହୋଇ କହିଲା–

 

“ଦେଖ–ଆଜି ରାତିରେ ଆଉ ତୁ ଏଠାକୁ ଆସିବୁ ନାହିଁ !”

 

“ମୁଁ ଆଜି ତୋତେ ଆଦୌ ଛାଡ଼ିକରି ଯିବି ନାହିଁ–’’ ମୁଁ କହିଲି ।

 

“ଆଜି ମୁଁ ଭାରି କଷ୍ଟ ପାଉଥିଲା ପରି ଦେଖାଯିବ । କେତେକ ପରିମାଣରେ ମୁଁ ଠିକ୍‍ ମରିବାକୁ ଯାଉଥିବା ପରି ଦେଖାଯିବ । ତୁ ସେହି ଦୃଶ୍ୟ ଦେଖିବାଲାଗି ଆଉ ଏଠାକୁ ଆସିବୁ ନାହିଁ-। ଏହି ଆସିବାରେ କୌଣସି ଲାଭ ହେବ ନାହିଁ !”

 

“ମୁଁ ତୋତେ କଦାପି ଛାଡ଼ି ଯିବି ନାହିଁ ।’’

 

ମୋର କଥା ଶୁଣି ସେ ଟିକିଏ ଚିନ୍ତିତ ହୋଇପଡ଼ିଲା ।

 

“ଶୁଣ, ସେଇ ସାପଟା ସକାଶେ ମଧ୍ୟ ତୋତେ ମୁଁ ଏଠାକୁ ଆସିବାକୁ ବାରଣ କରୁଚି । ଯେପରି ସେ ତୋତେ ମଧ୍ୟ ନ କାମୁଡ଼େ, ସେଥିଲାଗି ଭାରି ସାବଧାନ ରହିବାକୁ ହେବ । ସାପ ହେଉଚି ବଡ଼ ହିଂସ୍ର ଓ ଈର୍ଷାପରାୟଣ ଜୀବ । କେବଳ କଉତୁକ ଦେଖିବା ପାଇଁ ମଧ୍ୟ ସିଏ ତୋତେ କାମୁଡ଼ି ଦେଇପାରେ... ।’’

 

“ନାଇଁ, ମୁଁ ତୋତେ ଛାଡ଼ିଦେବି ନାହିଁ ।’’

 

ହଠାତ୍‍ କ’ଣ ମନେପକାଇ ସେ ମନେମନେ ସାନ୍ତ୍ଵନା ପାଇଲା ପରି ମନେହେଲା ।

 

“ଅବଶ୍ୟ ଥରେ କାମୁଡ଼ି ସାରିଲେ ଦ୍ଵିତୀୟଥର ଲାଗି ସାପର ଆଉ ବିଷ ନ ଥାଏ ।’’

 

ସେ ସବୁଦିନ ଯେଉଁ ବାଟରେ ଯାଏ, ସେଦିନ ରାତିରେ ସେ ଆଉ ସେବାଟେ ଗଲା ନାହିଁ । କୌଣସି ଶବ୍ଦ ନ କରି ସେ ମୋ ପାଖରୁ ଚାଲିଗଲା । ପଛରେ ଧାଇଁଯାଇ ମୁଁ ତାକୁ ଭେଟିଲା ବେଳକୁ ସେ ଭାରି ଦୃଢ଼ସଂକଳ୍ପ ହୋଇଥିଲା ପରି ଅଧିକ କ୍ଷିପ୍ର ଗତିରେ ଚାଲିବାକୁ ଆରମ୍ଭ କଲା । ମୋତେ ଦେଖି କେବଳ କହିଲା–

 

“ତୁ ପୁଣି ଆସିଲୁ... !!”

 

ମୋ ହାତ ଧରି ସେ ଆଗକୁ ଚାଲିବାକୁ ଲାଗିଲା । ତଥାପି ତା’ର ମନରୁ ଚିନ୍ତା ଯାଇ ନ ଥାଏ ।

 

“ତୋର ଆସିବାଟା ଆଦୌ ଉଚିତ ହେଲା ନାହିଁ । ତୁ ଭାରି କଷ୍ଟ ପାଇବୁ । ମୁଁ ଠିକ୍‍ ମରିଯାଇଥିବା ମଣିଷଟିଏ ପରି ଦେଖାଯିବି । କିନ୍ତୁ ସେ କଥା ସତ ହେବ ନାହିଁ.... !”

 

ମୁଁ କୌଣସି ଉତ୍ତର ଦେଲି ନାହିଁ ।

 

“ତୁ ବୁଝିପାରୁଚୁ ? ...ତାହା ଏଠାରୁ ଅନେକ ଦୂର । ଏହି ଶରୀରଟାକୁ ମୁଁ ଏତେ ଦୂରବାଟ ପର୍ଯ୍ୟନ୍ତ ବୋହିନେଇପାରିବି ନାହିଁ । ଅତି ବେଶି ଭାରୀ ହୋଇଯିବ ।’’

 

ମୁଁ ଚୁପ୍‍ ହୋଇ ତା’ର କଥା ଶୁଣୁଥାଏ ।

 

“କିନ୍ତୁ ଦେହରୁ ଛାଡ଼ିଗଲା କାତି ପରି ଏହି ଶରୀରଟା ପଡ଼ିରହିବ । କିଏ କାହିଁକି ପୁରୁଣା କାତିଟା ସକାଶେ ମନରେ ଦୁଃଖ କରିବ ?”

 

ମୁଁ କିଛି କହିଲି ନାହିଁ ।

 

ତା’ର ସାହସ ଟିକିଏ ଊଣା ହୋଇଗଲା ପରି ଲାଗିଲା । ତଥାପି ସେ ଆଉଥରେ ଚେଷ୍ଟାକରି କହିଲା–

 

“ଜାଣିଚୁ ? ଭାରି ଭଲକଥା ହେବ । ମୁଁ ବି ତାରାମାନଙ୍କ ଆଡ଼କୁ ଅନାଇ ଦେଖିବି । ପ୍ରତ୍ୟେକଟି ତାରା ମୋତେ ପୁରୁଣା କଳଙ୍କିଲଗା ପୁଲି ଲାଗିଥିବା ଗୋଟିଏ ଗୋଟିଏ କୂଅପରି ଦେଖାଯିବ । ପ୍ରତ୍ୟେକଟି ତାରା ମୋର ପିଇବା ଲାଗି ନିର୍ମଳ ଜଳ ଅଜାଡ଼ି ଦେଉଥିବ...”

 

ମୁଁ କେବଳ ଶୁଣିଯାଉଥାଏ ।

 

“ତାହା ପ୍ରକୃତରେ ବଡ଼ ଆନନ୍ଦଦାୟକ ହେବ ! ତୁ ପଚାଶ କୋଟି ଛୋଟ ଛୋଟ ଘଣ୍ଟା ପାଇବୁ, ଆଉ ମୁଁ ମଧ୍ୟ ନିର୍ମଳ ଜଳ ଥିବା ପଚାଶ କୋଟି କୂଅ ପାଇବି ।”

 

ସେ ଆଉ କିଛି କହିଲା ନାହିଁ, କାରଣ ସେ କାନ୍ଦିବାକୁ ଲାଗିଲା... ।

 

“ଏଇଠି । ଏହିଠାରୁ ମୋତେ ଏକୁଟିଆ ଯିବାକୁ ହେବ ।’’

Image

ଏତିକି କହି ସେ ବସିପଡ଼ିଲା । କାରଣ ତାକୁ ଡର ମାଡ଼ୁଥାଏ । ତା’ପରେ ପୁଣି କହିଲା-

 

“ତୁ ତ ଜାଣିଚୁ । ମୋ ଫୁଲଟି,–ତା’ର ଦାୟିତ୍ଵ ମୋ ଉପରେ । ସେ କେଡ଼େ ଦୁର୍ବଳ, କେଡ଼େ ନିରୀହ ! ତା’ର ଚାରୋଟି କଣ୍ଟା ଅଛି, କିନ୍ତୁ ତାହା କୌଣସି କାମକୁ ଆସେ ନାହିଁ । ତଥାପି ଏତିକି ସମ୍ବଳ ଧରି ତାକୁ ସାରା ସଂସାର ବିରୋଧରେ ଆପଣାକୁ ବଞ୍ଚାଇ ରଖିବାକୁ ପଡ଼ିବ !”

 

ମୁଁ ମଧ୍ୟ ବସିପଡ଼ିଲି, ଠିଆ ହେବାଲାଗି ମୋର ବି ଆଉ ବଳ ପାଉ ନ ଥିଲା ।

 

“ସେଇଠି,–ଏଥର ବେଳ ହୋଇ ଆସିଲା ।”

Image

ସେ ଟିକିଏ କୁଣ୍ଠା ଅନୁଭବ କରୁଥିବା ପରି ମନେ ହେଉଥାଏ । ତା’ପରେ ସେ ଉଠି ଠିଆ ହେଲା । ଗୋଟିଏ ଖୋଜ ଆଗକୁ ପକାଇଲା । ମୁଁ ଆଉ ଆଗକୁ ଚଳିପାରିଲି ନାହିଁ ।

Image

ତା’ର ଆଣ୍ଠୁ ପାଖରେ ହଠାତ୍‍ ଗୋଟାଏ ହଳଦିଆ ଜିନିଷ ଚକ୍‍ ଚକ୍‍ ହୋଇ ଉଠିଲା । ମୁହୂର୍ତ୍ତକ ପାଇଁ ସେ ଅଚଳ ଭାବରେ ଠିଆ ହୋଇ ରହିଲା । କୌଣସି ଚିତ୍କାର କଲା ନାହିଁ । ତା’ପରେ ଠିକ୍‍ ଗୋଟିଏ ଗଛ ତଳକୁ ପଡ଼ିଗଲା ପରି ଥିରିକରି ତଳେ ପଡ଼ିଗଲା । ବାଲି ଉପରେ ପଡ଼ିବାରୁ ସେହି ପଡ଼ିବାର କୌଣସି ଶବ୍ଦ ମଧ୍ୟ ଶୁଣାଗଲା ନାହିଁ ।

 

॥ ସତେଇଶ ॥

 

ସେହି ଘଟଣା ଘଟିବାର ଆଜିକୁ ଛଅ ବର୍ଷ ହୋଇଗଲାଣି । ଏହି କାହାଣୀଟି ମୁଁ ଏପର୍ଯ୍ୟନ୍ତ କାହାରିକୁ କହି ନ ଥିଲି । ମରୁଭୂମିରୁ ପ୍ରାଣ ଘେନି ଘରକୁ ଆସିପାରିଲି ବୋଲି ମୋର ବନ୍ଧୁମାନେ ମୋତେ ଦେଖି ଭାରି ଆଶ୍ଵସ୍ତ ହେଲେ । ମୁଁ ବଡ଼ ଦୁଃଖାଭିଭୂତ ହୋଇ ପଡ଼ିଥାଏ । କିନ୍ତୁ ସେମାନଙ୍କ ଆଗରେ ଛଳନା କରି ମୁଁ କେବଳ ଟିକିଏ କ୍ଳାନ୍ତ ହୋଇ ପଡ଼ିଚି ବୋଲି କହିଲି ।

 

ବର୍ତ୍ତମାନ ମୋର ଦୁଃଖରେ ମୁଁ କିଞ୍ଚିତ୍‍ ସାନ୍ତ୍ଵନା ମଧ୍ୟ ପାଇଲିଣି । ଅବଶ୍ୟ ସମ୍ପୂର୍ଣ୍ଣ ଭାବରେ ନୁହେଁ । କିନ୍ତୁ ମୁଁ ଭଲକରି ଜାଣେ ଯେ ରାଜକୁମାର ନିଶ୍ଚୟ ତା’ର ଆପଣା ଗ୍ରହକୁ ଫେରିଯାଇଚି । କାରଣ ଭୋର ହେଲାବେଳକୁ ମୁଁ ଆଉ ତା’ର ଦେହକୁ ସେଠାରେ ଦେଖିବାକୁ ପାଇଲି ନାହିଁ । ତା’ର ଦେହ ଆଦୌ ଭାରୀ ନ ଥିଲା ।... ରାତି ହେଲେ ତାରାମାନଙ୍କର ସଙ୍ଗୀତ ଶୁଣିବାକୁ ମୋତେ ଭାରି ଭଲ ଲାଗୁଚି । ଠିକ୍‍ ପଚାଶକୋଟି ଛୋଟ ଛୋଟ ଘଣ୍ଟିଘାଗୁଡ଼ି ପରି ସେମାନେ ବାଜି ଉଠୁଚନ୍ତି ।

 

କିନ୍ତୁ ଗୋଟାଏ କଥା ମୋତେ ଭାରି ଅସାଧାରଣ ଓ ଅଦ୍ଭୁତ ଲାଗୁଚି । ତା’ର ମେଣ୍ଢା ପାଇଁ ମୁଁ ପଘାଟିଏ କରିଦେଲି ସତ, କିନ୍ତୁ ସେଥିରେ ଚମଡ଼ାପଟି ଦେବାକୁ ଭୁଲିଗଲି । ତେଣୁ ମୋର ଆଶଙ୍କା ହେଉଚି ଯେ ସେ ପଘାଟିକୁ କଦାପି ମେଣ୍ଢାର ବେକରେ ବାନ୍ଧିପାରି ନ ଥିବ-। ତେଣୁ ତା’ର ଗ୍ରହରେ ବର୍ତ୍ତମାନ କ’ଣ ସବୁ ଘଟୁଥିବ, ମୁଁ ସେହି କଥା ଭାବି ଆଶ୍ଚର୍ଯ୍ୟ ହୋଇଯାଉଚି । ହୁଏତ ଇତିମଧ୍ୟରେ ମେଣ୍ଢା ଫୁଲଟିକୁ ଖାଇଦେଇଥିବ... ।

 

ବେଳେବେଳେ ମୁଁ ଭାବୁଚି, “କଦାପି ନୁହେଁ । ନିତି ରାତିହେଲେ ରାଜକୁମାର କାଚର ଘୋଡ଼ଣୀ ଦେଇ ଫୁଲଟିକୁ ଘୋଡ଼ାଇ ରଖୁଥିବ, ତା’ର ମେଣ୍ଢାକୁ ସେ ଭାରି ସାବଧାନ ହୋଇ ଜଗୁଥିବ...’’

 

ଏହିପରି ମନକୁ ବୋଧଦେଇ ମୁଁ ଟିକିଏ ନିଶ୍ଚିନ୍ତ ହୁଏ ଓ ଖୁସି ରହେ । ସବୁ ତାରାଙ୍କର ହସ ଦେଖି ମୋତେ ଭାରି ମଧୁର ଲାଗେ ।

 

କିନ୍ତୁ ମୁଁ ପୁଣି ବେଳେବେଳେ ଭାବେ–“ହୁଏତ କୌଣସି ଦିନ କୌଣସି ସମୟରେ ରାଜକୁମାର ଅନ୍ୟମନସ୍କ ଥିବ । ବାସ୍‍, ତା’ହେଲେ ଆଉ କିଛି ବାକି ରହି ନ ଥିବ । ଦିନେ ସଞ୍ଜବେଳେ ହୁଏତ ସେ କାଚ ଘୋଡ଼ଣୀଟିକୁ ଘୋଡ଼ାଇବାକୁ ଭୁଲିଯିବ ବା ମେଣ୍ଢା ପଘାରୁ ଫିଟିଯିବ–କୌଣସି ଶବ୍ଦ କରିବ ନାହିଁ...” ଏହି କଥା ଭାବିଲାବେଳକୁ ଆକାଶର ଛୋଟ ଛୋଟ ଘଣ୍ଟିଗୁଡ଼ିକ ଗୋଟିଏ ଗୋଟିଏ ଲୋତକବିନ୍ଦୁରେ ପରିଣତ ହୋଇଯାଆନ୍ତି ।

 

ଏହାହିଁ ହେଉଚି ସବୁଠାରୁ ବଡ଼ ରହସ୍ୟ । ଯଦି କୌଣସି ଦିନ କୌଣସି (କିନ୍ତୁ କେଉଁଠାରେ ସେକଥା କିଏ ଜାଣେ ?) ମେଣ୍ଢାଟି (ଯେଉଁ ମେଣ୍ଢାକୁ କି ଆମେ କେହିହେଲେ ଦେଖି ନାହୁଁ ।) ଗୋଲାପଫୁଲଟିକୁ (ହୁଏତ) ଟୁଙ୍କି ଖାଇଯାଏ, ତେବେ ବିଶ୍ଵବ୍ରହ୍ମାଣ୍ଡ ମୋ ଲାଗି ଆଉ ପୂର୍ବପରି ଠିକ୍‍ ସେମିତି ହୋଇ କଦାପି ରହିବ ନାହିଁ । ତୁମମାନଙ୍କ ଭିତରୁ ମଧ୍ୟ ଯେଉଁମାନେ ରାଜକୁମାରକୁ ଭଲ ପାଆନ୍ତି, ସେମାନଙ୍କୁ ବି ସେହି ଦଶା ଭୋଗିବାକୁ ହେବ ।

 

ଆକାଶ ଆଡ଼କୁ ଚାହିଁ ଦେଖ ! ଆପଣାକୁ ପଚାର ! ସେ ସେଠାରେ ଅଛି ନା ନାହିଁ ? ମେଣ୍ଢା କ’ଣ ସତରେ ଫୁଲଟିକୁ ଖାଇଦେଇଛି ? ତା’ହେଲେ ଦେଖିବ, ତୁମଲାଗି ସଂସାରର ସମସ୍ତ କଥା ବଦଳିଯିବ । ଆଉ ଏହା ଯେ ଏକ ଅତି ଗୁରୁତ୍ଵପୂର୍ଣ୍ଣ କଥା, କୌଣସି ବୟସ୍କ ଲୋକ ତାହା କଦାପି ବୁଝିପାରିବ ନାହିଁ ।

Image

ଏହି ଦୃଶ୍ୟଟି ହେଉଚି ମୋର ଆଖିରେ ସଂସାରର ସବୁଠାରୁ ସୁନ୍ଦର ଓ ସବୁଠାରୁ କରୁଣ ଦୃଶ୍ୟ । ଏଇଠି ଏହି ପୃଥିବୀ ଉପରେ ରାଜକୁମାରର ଆବିର୍ଭାବ ହୋଇଥିଲା, ପୁଣି ଠିକ୍‍ ଏହିଠାରେ ମଧ୍ୟ ସେ ପୃଥିବୀପୃଷ୍ଠରୁ ଅନ୍ତର୍ହିତ ହେଇଯାଇଥିଲା ।

 

ଏହି ଛବିଟିକୁ ତୁମେ ଖୁବ୍‍ ଭଲକରି ଦେଖିଥାଅ । ଯଦି କୌଣସି ଦିନ ତୁମେ ଆଫ୍ରିକାର ମରୁଭୂମିକୁ ଭ୍ରମଣ କରିଯାଅ, ସେତେବେଳେ ଯେପରି ଏହି ଛବିଟି ତୁମର ଅତି ସ୍ପଷ୍ଟଭାବରେ ମନେଥାଏ । ମରୁଭୂମିରେ ବୁଲୁ ବୁଲୁ ଯଦି ତୁମେ ଠିକ୍‍ ଏହିପରି ଗୋଟିଏ ସ୍ଥାନରେ ଆସି ପହଞ୍ଚିବ ତେବେ ତୁମେ ସେଠାରେ ଥିର ହୋଇ ଦଣ୍ଡେ ଠିଆ ହେବ ବୋଲି ମୋର ଅନୁରୋଧ । ଠିକ୍‍ ଏହି ତାରାଟି ତଳେ ତୁମେ କିଛି ସମୟ ଅପେକ୍ଷା କରିବ । ତା’ପରେ ଯଦି ଗୋଟିଏ କୁନି ମଣିଷ ଆସି ସେଠାରେ ଆବିର୍ଭୂତ ହେବ, ଯଦି ସେ ହସୁଥିବ, ଯଦି ତା’ ମୁଣ୍ଡର ବାଳ ସୁନେଲି ରଙ୍ଗର ହୋଇଥିବ, ସେ ଯଦି କୌଣସି ପ୍ରଶ୍ନର ଉତ୍ତର ଦେଉ ନ ଥିବ, ତେବେ ତୁମେ ଜାଣିବ ଯେ ସେହି ହେଉଚି ମୋର ରାଜକୁମାର । ଏପରି ଏକ ସୁଘଟଣା ଘଟିଲେ ତୁମେ ମୋତେ ଟିକିଏ ସାନ୍ତ୍ଵନା ଦେଇ ପଠାଇବ ବୋଲି ମୋର ଭାରି ଆଶା ରହିଲା । ରାଜକୁମାର ଯେ ପୁଣି ଫେରିଆସିଚି, ତୁମଠାରୁ ଯେପରି ମୁଁ ଅବଶ୍ୟ ଏହି ସମ୍ବାଦ ପାଇବି ।

Image